ସୋନପୁର ଓ ବୀରମହାରାଜପୁର ନିର୍ବାଚନମଣ୍ଡଳୀ ହାଲଚାଲ୍: ହ୍ୟାଟ୍ରିକ୍ ବିଜୟ ସହ ସର୍ବାଗ୍ରେ ବିଜେଡି

ପ୍ରାର୍ଥୀ ବଦଳାଇ ବି ସଫଳତା ପାଇନାହାନ୍ତି ବିଜେପି, କଂଗ୍ରେସ

ସୋନପୁର : ଆଗକୁ ସାଧାରଣ ନିର୍ବାଚନ। ଏଥର ଦୁଇ ବିରୋଧୀ ଦଳର ସ୍ଥିତି କଣ ରହିବ ସେ ନେଇ ବିଭିନ୍ନ ମହଲରେ ଅଙ୍କକଷା ଆରମ୍ଭ ହୋଇଛି। ସବୁର୍ଣ୍ଣପୁର ଜିଲ୍ଲାରେ ବିଜେଡିର ଦୁଇ ହାଇ ପ୍ରୋଫାଇଲ୍‌ ନେତା ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋନପୁରରୁ ଏବଂ ବିଧାୟକ ପଦ୍ମନାଭ ବେହେରା ବୀରମହାରାଜପୁର ଆସନରୁ ୨୦୦୯, ୨୦୧୪ ଏବଂ ୨୦୧୯ରେ ହ୍ୟାଟ୍ରିକ ବିଜୟୀ ହୋଇଛନ୍ତି। ଦୀର୍ଘ ଦୁଇ ଦଶନ୍ଧି ହେଲା ଜିଲ୍ଳା ରାଜନୀତି ବିଜେଡି ଦଖଲରେ ଅଛି। ତେବେ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ୧୩ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୧୦ଟି ହାତେଇ ଜିଲ୍ଲା ପରିଷଦ ଗଠନ କରିଥିଲା। ୨୦୨୨ ପଞ୍ଚାୟତ ନିର୍ବାଚନରେ ଏହି ସଫଳତା ଦୋହରାଇବାରେ ଦଳ ବିଫଳ ହୋଇଥିଲା। ତେବେ ପୌର ଏବଂ ପଞ୍ଚାୟତ ନିର୍ବାଚନକୁ ବିଜେଡି ଏକପାଖିଆ ଜିତି ପୁଣି ଦବଦବା ବଜାୟ ରଖିଛି। ସେହିପରି ବିଗତ ଦୁଇଟି ନିର୍ବାଚନରେ ବିଜେପି ଓ କଂଗ୍ରେସ ଉଭୟ ସୋନପୁର ଏବଂ ବୀରମହାରାଜପୁର ଆସନରେ ପ୍ରାର୍ଥୀ ବଦଳ କରିଛନ୍ତି। ହେଲେ କାହାକୁ ମିଳିନି ସଫଳତା।

ଏଥର କ’ଣ ହେବ ବିରୋଧୀଙ୍କ ଷ୍ଟ୍ରାଟେଜି

୨୦୧୯ରେ ବିଜେଡି ସୋନପୁର ଆସନ ପାଇଁ ନିରଞ୍ଜନ ପୂଜାରୀ ଏବଂ ବୀରମହାରାଜପୁର ପାଇଁ ପଦ୍ମନାଭ ବେହେରାଙ୍କୁ ପୁନର୍ବାର ପ୍ରାର୍ଥୀ କରିଥିଲା। କିନ୍ତୁ ୨୦୧୪ରେ ବିଜେପି ଏବଂ କଂଗ୍ରେସ ପକ୍ଷରୁ ଲଢ଼ିଥିବା ପ୍ରାର୍ଥୀଙ୍କୁ ୨୦୧୯ରେ ଆଉ ସୁଯୋଗ ମିଳି ନ ଥିଲା। ନୂଆ ଚେହେରାଙ୍କୁ ନେଇ ଦୁଇ ଦଳ ଲଢ଼ିଥିଲେ ବି ସେମାନଙ୍କ ଷ୍ଟ୍ରାଟେଜି କାମ ଦେଇ ନ ଥିଲା। ତେବେ ୨୦୧୯ରେ ୨୦୧୪ ଅପେକ୍ଷା ଉଭୟ ଆସନରେ ବିଜେପିର ଭୋଟ ବଢ଼ିଥିଲା। କଂଗ୍ରେସର କିନ୍ତୁ ବୀରମହାରାଜପୁରରେ ବଢ଼ିଥିବା ବେଳେ ସୋନପୁରରେ କମିଥିଲା। ୨୦୧୪ ନିର୍ବାଚନରେ ସୋନପୁର ଆସନରୁ ବିଜେଡିର ନିରଞ୍ଜନ ପୂଜାରୀ ୯୩, ୫୩୪ ଭୋଟ୍ ପାଇଥିଲେ। ୨୦୧୯ରେ ପାଇଛନ୍ତି ୯୯, ୦୭୩ଟି। ୨୦୧୪ରେ ଏଠାରୁ ବିଜେପି ପ୍ରାର୍ଥୀ ପ୍ରମୋଦ ମହାପାତ୍ର ୪୨, ୦୪୯ ଭୋଟ୍ ପାଇଥିଲେ। ୨୦୧୯ରେ ବିଜେପି ପ୍ରାର୍ଥୀ ଅଶୋକ ପୂଜାରୀଙ୍କୁ ମିଳିଲା ୭୩, ୩୪୭ ଭୋଟ୍। ୨୦୧୪ରେ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ସର୍ବେଶ୍ବର ପୁରୋହିତ ୩୫, ୭୯୫ ଭୋଟ୍ ପାଇଥିବା ବେଳେ ୨୦୧୯ରେ ଦଳୀୟ ପ୍ରାର୍ଥୀ ଚିତ୍ତରଞ୍ଜନ ମିଶ୍ରଙ୍କୁ ମିଳିଥିଲା ମାତ୍ର ୨୩, ୩୨୬ ଭୋଟ୍।

ସେହିପରି ବୀରମହାରାଜପୁର ଆସନ ପାଇଁ ୨୦୧୪ରେ ବିଜେଡିର ପଦ୍ମନାଭ ବେହେରା ୬୭, ୫୬୧ ଭୋଟ୍ ପାଇଥିବା ବେଳେ ୨୦୧୯ରେ ପାଇଥିଲେ ୬୫, ୦୪୬ ଭୋଟ୍। ୨୦୧୪ରେ ବିଜେପି ପ୍ରାର୍ଥୀ ଆନନ୍ଦ ବାରିକଙ୍କୁ ୩୬, ୪୪୭ ଭୋଟ୍ ମିଳିଥିବା ବେଳେ ୨୦୧୯ରେ ଦଳୀୟ ପ୍ରାର୍ଥୀ ରଘୁନାଥ ଜଗଦଲା ପାଇଥିଲେ ୫୧, ୯୨୦ ଭୋଟ୍। ୨୦୧୪ରେ କଂଗ୍ରେସ ପ୍ରାର୍ଥୀ କାର୍ତ୍ତିକ ପ୍ରସାଦ ତରିଆ ୩୪, ୫୧୫ ଭୋଟ୍ ପାଇଥିବା ବେଳେ ୨୦୧୯ରେ ଦଳୀୟ ପ୍ରାର୍ଥୀ ବିନୋଦ ପାତ୍ରଙ୍କୁ ମିଳିଥିଲା ୪୦, ୬୪୯ ଭୋଟ୍। ବିଜେଡିର ପଦ୍ମନାଭ ବେହେରା ଜିତିଥିଲେ ମଧ୍ୟ ୨୦୧୪ ତୁଳନାରେ ତାଙ୍କ ଭୋଟ୍ କମିଥିଲା। ଅନ୍ୟପକ୍ଷରେ ବିଜେପି ଏବଂ କ‌ଂଗ୍ରେସର ଭୋଟ ବଢ଼ିଥିଲା। ଏଭଳି ସ୍ଥିତିରେ ବିଜେପି ଓ କଂଗ୍ରେସ ପକ୍ଷରୁ ଦୁଇ ନେତାଙ୍କ ବିରୋଧରେ ୨୦୨୪ରେ ଯେଉଁମାନଙ୍କୁ ପ୍ରାର୍ଥୀ କରିବେ ସେମାନଙ୍କ ପ୍ରଭାବ କେତେ ରହିବ ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ସେହିପରି ଉଭୟ ଆସନରେ ବିଜେପି ଓ କଂଗ୍ରେସ ପୁଣି ପ୍ରାର୍ଥୀ ବଦଳ କରିପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର