ସୋନପୁର ଏବଂ ବୀରମହାରାଜପୁର ନିର୍ବାଚନମଣ୍ଡଳୀ : ଗଡ଼ ରକ୍ଷା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ

ସୋନପୁର, (ରତନ ପଟ୍ଟନାୟକ): ଗତ ଦୁଇ ଦଶନ୍ଧି ଧରି ସୁବର୍ଣ୍ଣପୁର ଜିଲ୍ଲା ରାଜନୀତି ବିଜେଡି କବ୍‌ଜାରେ ରହିଛି। ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ୧୩ଟି ଜିଲ୍ଳା ପରିଷଦ ଆସନ ମଧ୍ୟରୁ ବିଜେପି ୧୦ଟି ଆସନ ପାଇ ଜିଲ୍ଳା ପରିଷଦ ଗଠନ କରିଥିଲା । ଏହି ପଞ୍ଚାୟତ ନିର୍ବାଚନରେ ବିଜେପି ସପକ୍ଷରେ ହାୱା ବୋହିଥିଲା ଯାହାକି ବିଜେଡି ଗଡ଼ ଭାଙ୍ଗିବାରେ ସକ୍ଷମ ହୋଇଥିଲା। କିନ୍ତୁ ଜିଲ୍ଳାରେ ଥିବା ୬ଟି ବ୍ଲକ ମଧ୍ୟରୁ ବିଜେଡି ନିଜ ଖାତାକୁ ୫ଟି ବ୍ଲକ ଅଧ୍ୟକ୍ଷ ପଦବି ନେଇଥିବାବେଳେ କଂଗ୍ରେସ ଖାତାକୁ ଗୋଟିଏ ଯାଇଥିଲା । ବିଜେପି ଦଳ କୌଣସି ଗୋଟିଏ ହେଲେ ବ୍ଲକ ଅଧ୍ୟକ୍ଷ ଆସନ ନିଜ ପାଖରେ ରଖି ପାରିନଥିଲା ।

ଉଭୟ ସୋନପୁର ଏବଂ ବୀରମହାରାଜପୁର ନିର୍ବାଚନମଣ୍ଡଳୀର ଗଡ଼ରକ୍ଷା ନେଇ ବିଜେଡି ଦଳ ପ୍ରୟାସ ଆରମ୍ଭ କରିଛି । ସୋନପୁର ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ବ କରୁଛନ୍ତି ଜଳସମ୍ପଦ ତଥା ନଗର ଉନ୍ନୟନ ଓ ଗୃହ ନିର୍ମାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ବୀରମହାରାଜପୁର ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ବ କରୁଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ପଦ୍ମନାଭ ବେହେରା। ସୋନପୁର ନିର୍ବାଚନମଣ୍ଡଳୀରେ ପୁଣିଥରେ ମନ୍ତ୍ରୀ ଶ୍ରୀ ପୂଜାରୀ ଟିକେଟ ପାଇବା ନିଶ୍ଚିତ ହୋଇଥିବାବ‌େଳେ ବୀରମହାରାଜପୁର ନିର୍ବାଚନମଣ୍ଡଳୀରେ ଦଳ ପୁଣିଥରେ ପଦ୍ମନାଭଙ୍କୁ ଭରସା କରିବ ନା ନୂଆ ଚେହେରାକୁ ଟିକେଟ ଦେବ ତାହାକୁ ନେଇ ଦ୍ବନ୍ଦ୍ବ ରହିଛି । ସୋନପୁର ନିର୍ବାଚନମଣ୍ଡଳୀରେ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଛଡା ଆଉ କେହି ବିଜେଡିରୁ ଆଶାୟୀ ଆଗକୁ ଆସିନାହାନ୍ତି। ବୀରମହାରାଜପୁର ନିର୍ବାଚନମଣ୍ଡଳୀରେ ବିଜେଡି ଦଳରୁ ପୂର୍ବ ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ,ବବଲୁ ବିଶି,ରୁଷି ପଟେଲ,ପଦାର୍ଥ ଜଗଦଲା ଆଦି ଅନେକ ଆଶାୟୀ ଅଛନ୍ତି ।

ବୀରମହାରାଜପୁର ନିର୍ବାଚନମଣ୍ଡଳୀରେ ଗୋଟିଏ ବିଜେଡି ଗୋଷ୍ଠୀ ବିଧାୟକ ପଦ୍ମନାଭଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି ଯାହାକି ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । କିନ୍ତୁ ଗତ ବୁଧବାର ଦିନ ପଦ୍ମନାଭଙ୍କ ଟିକେଟ ନିଶ୍ଚିତ ଥିବା ତାଙ୍କର କର୍ମୀମାନେ ମତ ପ୍ରକାଶ କରିବା ସହିତ ଏନେଇ ପଦ୍ମନ‌ାଭଙ୍କ ପାଇଁ ଏକ ସମ୍ବର୍ଦ୍ଧନା ଉତ୍ସବ କରିଥିଲେ। ସୋନପୁର ନିର୍ବାଚନମଣ୍ଡଳୀରେ ଗତ ସାଧାରଣ ନିର୍ବାଚନରେ ବିଜେଡିରୁ ମନ୍ତ୍ରୀ ଶ୍ରୀ ପୂଜାରୀ ୯୩ ହଜାର ୫୩୪ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିରୁ ପ୍ରମୋଦ ମହାପାତ୍ର ୪୨୦୪୯ ଖଣ୍ଡ ଏବଂ କଂଗ୍ରେସର ସର୍ବେଶ୍ବର ପୁରୋହିତ ୩୫ ହଜାର ୭୯୫ ଖଣ୍ଡ ଭୋଟ ପାଇଥିଲେ । ମନ୍ତ୍ରୀ ଶ୍ରୀ ପୂଜାରୀ ବିଜେପିର ପ୍ରମୋଦ ମହାପାତ୍ରଙ୍କଠାରୁ ୫୧ ହଜାର ୪୮୫ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ । ତେବେ ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ବିଧାନସଭାମଣ୍ଡଳିରେ ରହିଥିବା ୭ଟି ଜିଲ୍ଳାପରିଷଦ ଆସନରୁ ବିଜେଡି ପାଇଥିଲା ୩ଟି ଏବଂ ବିଜେପି ଖାତାକୁ ଯାଇଥିଲା ୪ଟି । ଏହି ପଞ୍ଚାୟତ ନିର୍ବାଚନରେ ୭ଟି ଜିଲ୍ଳା ପରିଷଦ ଆସନରେ ବିଜେଡି ୬୯ ହଜାର ୪୯୫ ଖଣ୍ଡ ଭୋଟ ପାଇଥିବାବେଳେ ଗତ ସାଧାରଣ ନିର୍ବାଚନରୁ ୨୪ ହଜାର ୩୯ ଖଣ୍ଡ ଭୋଟ କମ ପାଇଥିଲା । ଏଥିରେ ବିଜେପି ଦଳ ୭୬ ହଜାର ୫୨୬ ଖଣ୍ଡ ଭୋଟ ପାଇଥିବାବେଳେ ଗତ ସାଧାରଣ ନିର୍ବାଚନରୁ ୩୪ ହଜାର ୪୭୭ ଖଣ୍ଡ ଭୋଟ ଅଧିକ ପାଇଥିଲା । ସେହିପରି କଂଗ୍ରେସ ଦଳ ୨୩ ହଜାର ୮୧୧ ଖଣ୍ଡ ଭୋଟ ପାଇଥିଲା, ଯାହା ଗତ ସାଧାରଣ ନିର୍ବାଚନରୁ ୧୧ ହଜାର ୯୮୪ ଖଣ୍ଡ ଭୋଟ କମ୍‌।

ସେହିପରି ବୀରମହାରାଜପୁର ନିର୍ବାଚନମଣ୍ଡଳୀରେ ଗତ ସାଧାରଣ ନିର୍ବାଚନରେ ବିଜେଡିରୁ ବିଧାୟକ ପଦ୍ମନାଭ ବେହେରା ୬୭ ହଜାର ୫୬୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ଆନନ୍ଦ ବାରିକ ୩୬ ହଜାର ୪୪୭ ଖଣ୍ଡ ଏବଂ କଂଗ୍ରେସର କାର୍ତ୍ତିକ ପ୍ରସାଦ ତରିଆ ୩୪ ହଜାର ୫୫୧ ଖଣ୍ଡ ଭୋଟ ପାଇଥିଲେ। ବିଜେଡିରୁ ବିଧାୟକ ପଦ୍ମନାଭ ବେହେରା ବିଜେପିର ଆନନ୍ଦ ବାରିକଙ୍କଠାରୁ ୩୧ ହଜାର ୧୧୪ ଖଣ୍ଡ ଅଧିକ ଭୋଟ ପାଇଥିଲେ । ତେବେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ବୀରମହାରାଜପୁର ନିର୍ବାଚନମଣ୍ଡଳୀରେ ସର୍ବାଧିକ କ୍ଷତି ସହିଥିଲା । ନିର୍ବାଚନମଣ୍ଡଳୀରେ ଥିବା ୬ଟି ଯାକ ଜିଲ୍ଳା ପରିଷଦ ଆସନ ବିଜେପି ଖାତାକୁ ଯାଇଥିଲା । ଏହି ୬ଟି ଜିଲ୍ଲା ପରିଷଦ ଆସନରେ ବିଜେଡି ୫୩ ହଜାର ୨୧୮ ଖଣ୍ଡ ଭୋଟ ପାଇଥିବାବେଳେ ଗତ ସାଧାରଣ ନିର୍ବାଚନରୁ ୧୪ ହଜାର ୩୪୩ ଖଣ୍ଡ ଭୋଟ କମ୍‌ ପାଇଥିଲା । ସେହିପରି ବିଜେପି ଦଳ ୮୩ ହଜାର ୭୯୬ ଖଣ୍ଡ ଭୋଟ ପାଇଥିବାବେଳେ ଗତ ସାଧାରଣ ନିର୍ବାଚନରୁ ୪୭ ହଜାର ୩୩୯ ଖଣ୍ଡ ଭୋଟ ଅଧିକ ପାଇଥିଲା। ଏଠାରେ କଂଗ୍ରେସ ଦଳ ୧୧ ହଜାର ୫୭ ଖଣ୍ଡ ଭୋଟ ପାଇଥିବାବେ‌ଳେ ଗତ ସାଧାରଣ ନିର୍ବାଚନରୁ ୨୩ ହଜାର ୪୫୮ ଖଣ୍ଡ ଭୋଟ କମ ପାଇଥିଲା । ଗତ ପଞ୍ଚାୟତ ନିର୍ବାଚନର ପରିସଂଖ୍ୟାନକୁ ଦେଖିଲେ ସାଧାରଣ ନିର୍ବାଚନରେ ମଧ୍ୟ ଏହା ପ୍ରତିଫଳନ ହେବା ଆଶଙ୍କାରେ ରହିଛି ଶାସକ ବିଜେଡି ଦଳ ।

ସମ୍ବନ୍ଧିତ ଖବର