ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଶୁକ୍ରବାର ଜିଲ୍ଲାର ବୀରମହାରାଜପୁର ଅଞ୍ଚଳରେ ଲଘୁଚାପ ଜନିତ ଳଗାଣ ବର୍ଷାରେ ହୋଇଥିବା କ୍ଷତିଗ୍ରସ୍ତ ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି। ଏଥି ସହିତ ସେ ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ବନ୍ୟା ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ କୃଷକ ନେତାମାନେ ଯୋଗଦେଇଥିବା ବେଳେ ସେମାନେ ଜଳ ପରିଚାଳନା ନେଇ ପ୍ରସଙ୍ଗ ଉଠାଇଛନ୍ତି।

Advertisment

ହରିହରଯୋର ମଧ୍ୟମ ଜଳସେଚନ ପ୍ରକଳ୍ପରୁ ୬ଟି ଗେଟ ଦେଇ ବନ୍ୟାଜଳ ଛାଡ଼ିବା ଫଳରେ ତଳ ମୁଣ୍ଡରେ ବନ୍ୟାର ଜଳ ମାଡ଼ି ଯିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ହରିହର ଯୋର୍ ଠେଙ୍ଗେ ଡ୍ୟାମ ତଳ ଅଞ୍ଚଳରେ ଥିବା ବିଭିନ୍ନ ଉଠାଜଳସେଚନ ପ୍ରକଲ୍ପ ବ୍ୟାପକ ପରିମାଣରେ କ୍ଷତି ହେବା ସହ ପ୍ରକଲ୍ପ ପାଇଁ ଥିବା ବିଦ୍ୟୁତ ଟ୍ରାନସଫରମ ଗୁଡିକ ଭାଙ୍ଗି ଜିବା ସହିତ ଅନେକ ସ୍ଥାନରେ ତାର ଛିଣ୍ଡି ଯାଇଥିଲା। ଆଜି ଜିଲ୍ଲାପାଳ ମୃଷୁଣ୍ଢି ପଂଚାୟତର ଲୁଦୁମୁଣ୍ଡା ଠାରେ ଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ସ୍ଥିତି ବୁଲି ଦେଖିଥିଲେ। ସମସ୍ତ କ୍ଷତିଗ୍ରସ୍ଥ ଉଠାଜଳସେଚନ ପ୍ରକଲ୍ପ ସ୍ଥିତି ପରଖିଥିଲେ। ଏହାସହିତ କ୍ଷତିଗ୍ରସ୍ତ ମୁର୍ଷୁଣ୍ଢି ପୋଲ ବୁଲି ଦେଖିବା ସହିତ ଅନେକ ଚାଷୀଙ୍କ ବର୍ଷାରେ ନଷ୍ଟ ହୋଇଥିବା ଚାଷଜମି ମଧ୍ୟ ଦେଖିଥିଲେ।

publive-image

ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ଉଠାଜଳସେଚନ ନିର୍ବାହି ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା, ଜଳସେଚନ ବିଭାଗ ନିର୍ବାହି ଯନ୍ତ୍ରୀ ଜିତେନ୍ଦ୍ରିୟ ପାଢୀ, ସହକାରୀ ଯନ୍ତ୍ରୀ, କୃଷ୍ଣଚନ୍ଦ୍ର ଜେନା, ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ, ଟାଟା ପାଓ୍ବାର ସହକାରୀ ଯନ୍ତ୍ରୀ ଓ କନିଷ୍ଟ ଯନ୍ତ୍ରୀ, ତହସିଳଦାର ବିବୁଧ ଗଡନାୟକ, ଉଠାଜଳସେଚନ କନିଷ୍ଟ ଯନ୍ତ୍ରୀ ସୁଶାନ୍ତ ସାମଲ ଏବଂ ଲୁତୁରପଙ୍ଗ ସରପଞ୍ଚ ସୁର୍ଯ୍ୟକୁମାର ନନ୍ଦ ପ୍ରମୁଖଙ୍କ ସମେତ ପ୍ରକଲ୍ପ ଅଧିନସ୍ଥ ଅନେକ ଚାଷୀ ଉପସ୍ଥିତ ଥିଲେ।

ଶେଷରେ ଜିଲ୍ଲାପାଳ ବୀରମହାରାଜପୁରର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଠାରେ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ ଅନେକ ଚାଷୀ ନେତା ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ତଥା କୃଷକ ନେତା ରାଧାକାନ୍ତ ମହାକୁଡ଼, ସଜନ ପଣ୍ଡା, ଦାମୋଦର ହୋତା, ସୁଧୀର ବଘାର, ରାଜେନ୍ଦ୍ର ପଧାନ ପ୍ରମୁଖ। ବିଶେଷ ଭାବରେ ହରିହର ଯୋର୍ ମଧ୍ୟମ ଜଳ ସେଚନ ବିଭାଗର କର୍ତ୍ତୃପକ୍ଷଙ୍କ ଭୁଲ ପରିଚାଳନା ନିତିଯୋଗୁ ବନ୍ୟା ସୃଷ୍ଟି ହୋଇଛି ବୋଲି ସମସ୍ତ ଚାଷୀମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଶ୍ରୀ ରାୟ ଉପରମୁଣ୍ଡରେ ୩୫୦ ମିଲିମିଟର ବର୍ଷା ହୋଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଚାଷୀମାନଙ୍କୁ କହିଥିଲେ।

ଜିଲ୍ଲାପାଳ କହିଛନ୍ତି, ବନ୍ୟା ଯୋଗୁଁ ଅନେକ ସ୍ଥାନରେ ରାସ୍ତା ଭାଙ୍ଗି ଯାଇଛି। ସେଥିପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ କାର୍ଯ୍ୟ ଆରମ୍ଭ କଲେଣି। ଯେଉଁ ପଞ୍ଚାୟତ ରାସ୍ତାରେ ଭାଙ୍ଗିଛି ତାହା ମନରେଗାରେ ତୁରନ୍ତ କାର୍ଯ୍ୟ କରିବାକୁ କୁହାଯାଇଛି। ଏହା ସହିତ ବିଦ୍ୟୁତ୍ ବିଭାଗ ପାଇଁ ଯେଉଁ ସ୍ଥାନରେ ତାର ଛିଣ୍ଡିଛି ତାକୁ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ସ୍ଥାନରେ ଟ୍ରାନ୍ସଫରମର ନଷ୍ଟ ହୋଇଛି ତାହା ୧୫ ଦିନ ଭିତରେ କରିବାକୁ ଟାଟା ପାୱାର କୁହାଯାଇଛି। ଚାଷୀମାନଙ୍କ ଯାହା କ୍ଷତି ହୋଇଛି ତୁରନ୍ତ ରିପୋର୍ଟ ଦେବାକୁ କୁହାଯାଇଛି। ରିପୋର୍ଟ ଆସିବା ପରେ ଜିଲ୍ଲା ପ୍ରଶାସନ ତୁରନ୍ତ ଏସ ଆରସିସିଙ୍କୁ ରିପୋର୍ଟ ପ୍ରଦାନ କରିବେ ରାଜ୍ୟ ରିଲିଫ କୋର୍ଡ ଅନୁସାରେ ସମସ୍ତ ସହାୟତା ପ୍ରଦାନ କରାଯିବ।