କରୋନାକୁ ନେଇ ଗୀତ ପରିବେଷଣ ନିନ୍ଦନୀୟ

ଭୁବନେଶ୍ୱର : ମହାମାରୀ କରୋନା ଭୂତାଣୁକୁ ନେଇ ଏବେ ସମଗ୍ର ବିଶ୍ବ ଚିନ୍ତାରେ ଥିବା ବେଳେ ନାରୀ ଓ କରୋନାକୁ ନେଇ ଗୀତ ପରିବେଷଣ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ରାଉରକେଲା ମୂର୍ଚ୍ଛନା ପରିବାରର ସଭାପତି ଅରୁନ୍ଧତୀ ବିଶ୍ବାଳ କହିଛନ୍ତି। ପରିସ୍ଥିତିକୁ ଆଳ କରି ଏପରି ଶସ୍ତା ଗୀତ ପରିବେଷଣରୁ କ୍ଷାନ୍ତ ରହିବା ପାଇଁ ସେ ଓଡ଼ିଆ କଳାକାରମାନଙ୍କୁ ଅନୁରୋଧ କରିଛନ୍ତି। ଏହା ଉପରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ମଧ୍ୟ ସେ ସରକାରଙ୍କୁ ଦାବି ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ହଜି ଯାଉଥିବା ଗୀତ, ଗୀତଶୈଳୀ, ଗୀତିକାର, ଗାୟକ/ଗାୟିକା, ନିର୍ଦ୍ଦେଶକମାନଙ୍କୁ ଲୋକଲୋଚନକୁ ଆଣିବାରେ ମୂର୍ଚ୍ଛନା ପରିବାର କାର୍ଯ୍ୟ କରିଆସୁଛି।

କର୍ମଚାରୀଙ୍କ ପାଇଁ ସଂସଦୀୟ ବ୍ୟାପାର ବିଭାଗ ଜାରି କଲା ରୋଟେସନ୍‌ ବ୍ୟବସ୍ଥା
ଭୁବନେଶ୍ବର : କରୋନା ପାଇଁ ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ କର୍ମଚାରୀମାନଙ୍କ ଅଫିସ ଆସିବା ନେଇ ରୋଟେସନ୍‌ ବ୍ୟବସ୍ଥା ଜାରି କରାଯାଇଛି। ଏଣିକି ଦୈନଦିନ କାର୍ଯ୍ୟ ତୁଲାଇବା ପାଇଁ ଆବଶ୍ୟକ ବିଭାଗୀୟ କର୍ମଚାରୀମାନେ ପାଳି କରି ଅଫିସ୍‌ ଆସିବେ। ନିର୍ଦ୍ଦେଶନାମା ଅନୁଯାୟୀ, ସକାଳେ ଅଫିସକୁ ଆସିଥିବା କର୍ମଚାରୀମାନେ ଅପରାହ୍ନ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ସେହିପରି ଅପରାହ୍ନରେ ଆସିଥିବା କର୍ମଚାରୀମାନେ ପରଦିନ ସକାଳେ କାର୍ଯ୍ୟକୁ ଆସିବେ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି।

ମାନବାଧିକାର କମିସନରେ ଶୁଣାଣି ବନ୍ଦ, ଇ ମେଲ୍ ଯୋଗେ ଦେଇପାରିବେ ଅଭିଯୋଗ
ଭୁବନେଶ୍ବର : କରୋନା ମୁକାବିଲା ସତର୍କତାମୂଳକ ପଦକ୍ଷେପ ସ୍ବରୂପ ରାଜ୍ୟ ମାନବାଧିକାର କମିସନରେ ଶୁଣାଣି ବନ୍ଦ ରହିବ। ଆସନ୍ତାକାଲିଠାରୁ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ମାମଲାର ଶୁଣାଣି ବନ୍ଦ ରହିବ। ସମସ୍ତ ପକ୍ଷଙ୍କୁ ଏହି ସମୟ ମଧ୍ୟରେ ନ ଆସିବା ପାଇଁ କୁହାଯାଇଛି। ଆବେଦନକାରୀମାନେ ମଧ୍ୟ କମିସନକୁ ନ ଆସିବା ପାଇଁ ପରାମର୍ଶ ଦିଆଯାଇଛି। ଯଦି ଗୁରୁତ୍ବପୂର୍ଣ୍ଣ ପିଟିସନ୍ ଥାଏ ତାହାଲେ ଇ-ମେଲ୍([email protected]) କିମ୍ବା ଫାକ୍ସ(୦୬୭୪-୨୫୭୨୦୧୦)ରେ ପଠାଇବା ପାଇଁ ମାନବାଧିକାର କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ଠିପି ଖୋଲା ମଦ ଦୋକାନ ଓ ବାର୍ ବନ୍ଦ
ଭୁବନେଶ୍ବର : କରୋନା ମୁକାବିଲା ଲାଗି ସତର୍କତାମୂଳକ ପଦକ୍ଷେପସ୍ବରୂପ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ ଠିପି ଖୋଲା ଓ ବାର୍ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ। ଏହି ନିର୍ଦ୍ଦେଶ ତତ୍କାଳ ଲାଗୁ କରିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଠିପି ଖୋଲା ଓ ବାର୍‌ରେ ଲୋକଙ୍କ ଗହଳି ଲାଗୁଥିବାରୁ ସଂକ୍ରମଣର ଆଶଙ୍କା ରହିଛି। ଏହାକୁ ଏଡ଼ାଇବା ଲାଗି ଅବକାରୀ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଯେଉଁମାନେ ଖିଲାପ କରିବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ ଠିପି ବନ୍ଦ ମଦ ଦୋକାନ ଖୋଲା ରହିଛି। ପୂର୍ବରୁ ରାଜଧାନୀରେ ବାରଗୁଡ଼ିକରେ ପ୍ରଥମେ ମ୍ୟୁଜିକ୍, ପରେ ଡ୍ୟାନ୍ସକୁ ବନ୍ଦ କରାଯାଇଥିଲା। ଏବେ ସମ୍ପୂର୍ଣ୍ଣ ଭାବେ ବାର ବନ୍ଦ ରହିବ।

ସମ୍ବନ୍ଧିତ ଖବର