ପ୍ରେମିକା ନାଁରେ ଅଶ୍ଳୀଳ ସଙ୍ଗୀତ ଭାଇରାଲ

କୋରାପୁଟ : ପ୍ରେମ କରୁଥିଲେ। କିନ୍ତୁ ଯୁବତୀ ଜଣଙ୍କ ତାଙ୍କୁ ଛାଡ଼ି ଆଉ ଜଣଙ୍କୁ ବିବାହ କଲେ। ଫଳରେ ପ୍ରତିଶୋଧ ପରାୟଣ ହୋଇ ଉଠିଲେ ପ୍ରେମିକ। ଆଉ ପ୍ରେମିକା ନାମରେ ଅଶ୍ଳୀଳ ସଂଗୀତ କରି ରେକର୍ଡ କରି ଭାଇରାଲ କରିଦେଲେ। ଏମିତି ଏକ ସଂଗୀନ ଘଟଣା ଘଟିଛି କୋରାପୁଟ ଜିଲ୍ଲାର ସଦର ଥାନା ଅଂଚଳରେ। ଏଥିନେଇ ଯୁବତୀ ଜଣଙ୍କ ପୁଲିସରେ ଅଭିଯୋଗ କରିବା ପରେ ପ୍ରେମିକ ଓ ଗୀତ ଗାଇଥିବା ଯୁବକଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା ଚଳାଇଛି।

କୋରାପୁଟ ସଦର ଥାନା କୋଲାବ ଅଂଚଳର ଜଣେ ଯୁବତୀଙ୍କୁ ପୁରୁଣାପୁକି ଗ୍ରାମର ଗୁପ୍ତ ଜାନୀ ଭଲ ପାଉଥିଲେ। ଗୁପ୍ତ ବିବାହ କରିବା ପରେ ମଧ୍ୟ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲେ। ଏପଟେ ଯୁବତୀ ଜଣଙ୍କ ଅନ୍ୟ ଜଣେ ଯୁବକଙ୍କୁ ବିବାହ କରିଥିଲେ। ଏହା ଜାଣିବା ପରେ ଗୁପ୍ତ ପ୍ରତିଶୋଧ ନେବା ପାଇଁ ପ୍ରେମିକାଙ୍କ ନାମରେ ଏକ ଅଶ୍ଳୀଳ ଗୀତ ରଚନା କରିଥିଲେ। ଏହାକୁ ଏକ ସ୍ଥାନରେ ରେକର୍ଡିଂ କରାଇଥିଲେ। ଏହି ଗୀତ ପ୍ରସ୍ତୁତ ହେବା ପରେ ସାମାଜିକ ଗଣମାଧ୍ୟମରେ ଏହାକୁ ଭାଇରାଲ କରି ଦେଇଥିଲେ। ଯୁବତୀ ଜଣଙ୍କ ଏହା ଜାଣିବା ପରେ ଏନେଇ କୋରାପୁଟ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଗୁପ୍ତ ଜାନୀ ଓ ଗାୟକଙ୍କୁ ଅଟକ ରଖି ଘଟଣା ସଂପର୍କରେ ପଚରାଉଚୁରା ଚଳାଇଛି।

ସମ୍ବନ୍ଧିତ ଖବର