ରଘୁନାଥଙ୍କ ପତ୍ନୀଙ୍କୁ ସମବେଦନା ଜଣାଇଲେ ସୋନିଆ ଗାନ୍ଧି

ଭୁବନେଶ୍ବର : ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧି। ସ୍ବର୍ଗତ ମହାପାତ୍ରଙ୍କ ପତ୍ନୀ ରଜନୀ ମହାପାତ୍ରଙ୍କ ପାଖକୁ ଏକ ପତ୍ର ଲେଖି ସମବେଦନା ଜଣାଇବା ସହ ସ୍ବର୍ଗତ ମହାପାତ୍ରଙ୍କ ସୁପୁତ୍ରମାନଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶ୍ରୀମତୀ ଗାନ୍ଧିଙ୍କ ଏହି ପତ୍ରକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପିସିସି ମିଡିଆ ସେଲ୍‌ ସଂଯୋଜକ ଦୀପକ କୁମାର ମହାପାତ୍ର ସ୍ବର୍ଗତ ମହାପାତ୍ରଙ୍କ ନାତି ସ୍ମିତେଶ ମହାପାତ୍ରଙ୍କୁ ଆଜି ହସ୍ତାନ୍ତର କରିଛନ୍ତି।

ଶୋକବାର୍ତ୍ତାରେ ଶ୍ରୀମତୀ ଗାନ୍ଧି ଉଲ୍ଲେଖ କରିଛନ୍ତି, ଓଡ଼ିଶାର ସଂସ୍କୃତି, କଳା ଓ ଭାସ୍କର୍ଯ୍ୟକୁ ସାରା ବିଶ୍ବ ଦରବାରରେ ଅଧିକ ଆଦୃତି ଆଣିବାରେ ସ୍ବର୍ଗତ ମହାପାତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଦୁଇ ସୁପୁତ୍ର ଯଶୋବନ୍ତ ମହାପାତ୍ର ଓ ପ୍ରଶାନ୍ତ ମହାପାତ୍ର କରୋନା ରୋଗରେ ପୀଡ଼ିତ ହୋଇ ଦେହାନ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ। ସେ କହିଛନ୍ତି, ରଜନୀ ମହାପାତ୍ରଙ୍କର ସ୍ବାମୀ ଓ ଦୁଇ ସନ୍ତାନ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ପାରଦର୍ଶିତା ଓ ସୁନାମ ଲାଭ କରିଥିଲେ। ଭବିଷ୍ୟତରେ ସମାଜକୁ ସେମାନେ ଅନେକ କିଛି ଅବଦାନ ଦେବାର ମଧ୍ୟ ଥିଲା। ଏଭଳି ସମୟରେ ସମବେଦନା ଜ୍ଞାପନ କରିବା ପାଇଁ ଆମ ପାଖରେ ଶବ୍ଦ ନାହିଁ । କିନ୍ତୁ ଏହି ଅପୁରଣୀୟ କ୍ଷତିକୁ ସହ୍ୟ କରିବାକୁ ଈଶ୍ବର ତାଙ୍କ ପରିବାର ସଦସ୍ୟଙ୍କୁ ସାହାସ ଓ ଶକ୍ତି ଦିଅନ୍ତୁ ବୋଲି ଏଆଇସିସି ସଭାନେତ୍ରୀ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର