ସୋନିଆ ବାଛିବେ କଂଗ୍ରେସ ପଦାଧିକାରୀ

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଙ୍ଗଠନିକ ନିର୍ବାଚନ ସମ୍ବନ୍ଧୀୟ ପ୍ରସ୍ତାବ ଗୃହୀତ

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଂଗଠନିକ ନିର୍ବାଚନ ଅଧିକାରୀ ତଥା ସାଂସଦ ନିରୋଜ ଡାଙ୍ଗିଙ୍କ ଅଧ୍ୟକ୍ଷତାରେ ନବନିର୍ବାଚିତ ପିସିସି ପ୍ରତିନିଧିମାନଙ୍କର ଏକ ବୈଠକ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ସମସ୍ତ ନବ ନିର୍ବାଚିତ ପିସିସି ପ୍ରତିନିଧି ଯୋଗଦେଇଥିବା ବେଳେ ଶ୍ରୀ ଡାଙ୍ଗି କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପ୍ରସ୍ତାବ ଆଗତ କରିଥିଲେ ଯେ ପିସିସି ସଭାପତି, ଉପସଭାପତି, କୋଷାଧକ୍ଷ ଓ ପିସିସିର କାର୍ଯ୍ୟନିର୍ବାହୀ ସଦସ୍ୟ, ଏଆଇସିସିର ସଦସ୍ୟ, ପିସିସି ନିର୍ବାଚନ କମିଟିର ସଦସ୍ୟ ମାନଙ୍କୁ ଏଆଇସିସି ଅଧ୍ୟକ୍ଷା ମନୋନୀତ କରନ୍ତୁ।

ଏହି ପ୍ରସ୍ତାବକୁ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ପ୍ରସାଦ ହରିଚନ୍ଦନ, ସୁଶ୍ରୀ ସୁଶିଳା ତିରିଆ, ରାମଚନ୍ଦ୍ର ଖୁଣ୍ଟିଆ, ବିଧାୟକ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି ଏବଂ ସନ୍ତୋଷ ସିଂହ ସାଲୁଜା ସମର୍ଥନ କରିଥିଲେ । ସମସ୍ତ ନବନିର୍ବାଚିତ ପିସିସି ପ୍ରତିନିଧିମାନେ ହାତ ଟେକି ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ଏହି ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ଗୃହୀତ ହେଲା ବୋଲି ଶ୍ରୀ ଡାଙ୍ଗି ଘୋଷଣା କରିଥିଲେ। ଏହାଦ୍ବାରା ଦଳ ଆଜି ନିଷ୍ପତ୍ତି ନେଲା ‌ଯେ ଓଡ଼ିଶାରେ କଂଗ୍ରେସର ଯିଏ ପଦାଧିକାରୀ ରହିବେ ସେନେଇ ନିର୍ବାଚନ ହେବନି, ବରଂ ସୋନିଆ ଗାନ୍ଧୀ ଯାହାକୁ ଚାହିଁବେ ତାଙ୍କୁ କ୍ଷମତା ଦେବେ।ଏହି ସଭାରେ ସାଙ୍ଗଠନିକ ଅତିରିକ୍ତ ନିର୍ବାଚନ ଅଧିକାରୀ ଅମିତାଭ ଚକ୍ରବର୍ତ୍ତୀ, ସନ୍ଦୀପ ସିଂହ, ଓଡ଼ିଶା ପ୍ରଭାରୀ ଏ. ଚେଲ୍ଲା କୁମାର, ଓଡ଼ିଶା ସହ ପ୍ରଭାରୀ ତଥା ଏଆଇସିସି ସଂପାଦକ ଜି. ରୁଦ୍ର ରାଜୁ ଉପସ୍ଥିତ ଥିଲେ। ସସ୍ମିତା ବେହେରା ସସସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର