ପରଲୋକରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପ୍ରକାଶକ ତଥା ସମ୍ପାଦକ ସନି ମେହେଟ୍ଟା

ମେହେଟ୍ଟା ଜଣେ ଉତ୍ତମ ସମ୍ପାଦକ ଓ ଭଦ୍ର ବ୍ୟକ୍ତି ଥିଲେ: ନବୀନ, ଅଗାଧ୍ୟ ପାଣ୍ଡିତ୍ୟର ଅଧିକାରୀ ଥିଲେ ମେହେଟ୍ଟା: ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପ୍ରକାଶକ ତଥା ସମ୍ପାଦକ ସନି ମେହେଟ୍ଟାଙ୍କର ଆଜି ପରଲୋକ ଘଟିଛି। ତାଙ୍କୁ ୭୭ ବର୍ଷ ହୋଇଥିଲା। ସେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ସ୍ବାମୀ। ଆଜି ଆମେରିକାର ନ୍ୟୁୟର୍କ ସହରରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ସ୍ବାଧୀନ ଭାରତର ପ୍ରଥମ କୁଟନୀତିଜ୍ଞ ଆମରିକ୍ ସିଂହ ମେହେଟ୍ଟାଙ୍କ ପୁଅ ସନି ମେହେଟ୍ଟାଙ୍କ ଶୁଭ ନାମ ଅଜୟ ସିଂହ ମେହେଟ୍ଟା। ୧୯୪୨ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ। ସ୍ବର୍ଗତ ମେହେଟ୍ଟାଙ୍କ ପିତା କୁଟନୀତିଜ୍ଞ ହୋଇଥିବାରୁ ପିଲାଟି ବେଳୁ ତାଙ୍କୁ ବିଦେଶ ମାଟିରେ ରହି ପାଠ ପଢ଼ିବାର ସୁଯୋଗ ମିଳିଥିଲା। ତାଙ୍କର ଅଧିକାଂଶ ବାଲ୍ୟକାଳ ସମୟ ପ୍ରେଗ୍, ନ୍ୟୁୟର୍କ, ନେପାଳ ଓ ଜେନେଭା ସହରରେ ବିତିଥିଲା। ବ୍ରିଟେନ୍‌ର ଲରେନ୍ସ ସ୍କୁଲରୁ ପାଠ ପଢ଼ା ସାରିବା ପରେ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରୁ ଇତିହାସ ଓ ଇଂରାଜୀ ସାହିତ୍ୟରେ ଦୁଇଟି ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଅକ୍ସଫୋର୍ଡ଼ ବିଶ୍ବବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ଗୀତା ମେହେଟ୍ଟାଙ୍କ ସହ ତାଙ୍କର ଦେଖା ହୋଇଥିଲା। ପରେ ଉଭୟଙ୍କ ବିବାହ ହୋଇଥିଲା। ଗୀତା ମେହେଟ୍ଟା ମଧ୍ୟ ଜଣେ ପ୍ରଖ୍ୟାତ ଲେଖିକା ତଥା ପ୍ରାମାଣିକ ଚଳଚ୍ଚିତ୍ର ପ୍ରଯୋଜିକା।

୧୯୬୫ ମସିହାରେ ସ୍ବର୍ଗତ ମେହେଟ୍ଟା ଲଣ୍ଡନଠାରେ ପୁସ୍ତକ ପ୍ରକାଶନରେ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୭ରେ ସେ ନ୍ୟୁୟର୍କ ଯାଇଥିଲେ। ସେହି ବର୍ଷ ସେ ବିଶ୍ବସ୍ତରରେ ଖ୍ୟାତି ଅର୍ଜନ କରିଥିବା ପ୍ରକାଶନ ସଂସ୍ଥା ଆଲଫ୍ରେଡ୍ ଏ ନଫ୍ ଡବଲଡେ ପବ୍ଲିକେସନର ଅଧ୍ୟକ୍ଷ ତଥା ମୁଖ୍ୟ ସମ୍ପାଦକ ଥିଲେ। ସେ ଥିଲେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ସମ୍ପାଦକ। ଭାରତ, ଲଣ୍ଡନ ଓ ଆମେରିକାରେ ପ୍ରକାଶନ ପାଇଁ ସନିଙ୍କୁ ଲାଇଫଟାଇମ୍ ଆଚିଭମେଣ୍ଟ୍ ଆଵାର୍ଡ଼ ମିଳିଛି। ବାର୍ଡ଼ କଲେଜ ପକ୍ଷରୁ ସେ ସମ୍ମାନୀୟ ଡକ୍ଟରେଟ୍ ଉପାଧି ପାଇଛନ୍ତି। ଭାନିଟି ଫେୟାର୍ସର ବେଷ୍ଟ୍ ଡ୍ରେସ୍‌ଡ ମ୍ୟାନର୍‌ ଅନ୍ତର୍ଜାତୀୟ ତାଲିକାରେ ହଲ୍ ଅଫ୍ ଫେମ୍‌ରେ ବି ସନି ସ୍ଥାନ ପାଇଥିଲେ।

ପ୍ରଖ୍ୟାତ ଇଂରାଜୀ ଲେଖକ ଜ୍ୟାକି କୋଲିନ୍‌ସ ଏବଂ ଡୁଗଲାସ୍ ଆଦମ୍‌ସ ଲେଖାକୁ ୧୯୭୨ ମସିହାରେ ପ୍ରକାଶିତ କରି ସ୍ବର୍ଗତ ମେହେଟ୍ଟା ପାଶ୍ଚାତ୍ୟ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ସେହିପରି ତାଙ୍କ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ସଲମାନ୍ ରୁସଦି, ଇୟାନ୍ ମିକ୍‌ଵାନ୍, ଏଡମଣ୍ଡ୍ ହ୍ବାଇଟ୍, ଜୁଲିୟାନ୍ ବାର୍ନେସ୍ ଓ ଗ୍ରାହାମ୍ ସ୍ବିଫ୍ଟଙ୍କ ବହି ବୁକର୍‌ ପୁରସ୍କାରରେ ସମ୍ମାନିତ ହୋଇଥିଲା। ସ୍ବର୍ଗତ ମେହେଟ୍ଟାଙ୍କ ଦ୍ବାରା ପ୍ରକାଶିତ ୬ଟି ପୁସ୍ତକ ନୋବେଲ ପୁରସ୍କାର ପାଇଛି। ସ୍ବର୍ଗତ ମେହେଟ୍ଟା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ୍ ଏଚ୍.ଡବ୍ଲ୍ୟୁ ବୁଶ୍ ଓ ବିଲ୍ କ୍ଲିଣ୍ଟନ, ପୂର୍ବତନ ବ୍ରିଟିସ ପ୍ରଧାନମନ୍ତ୍ରୀ ମାର୍ଗାରେଟ୍ ଥ୍ୟାଚର୍‌ ଓ ଟୋନି ବ୍ଲେୟାରଙ୍କ ଲେଖା ପ୍ରକାଶ କରିଛନ୍ତି। ଏହାସହିତ ପୂର୍ବତନ ପୋପ୍ ଜନ୍ ପଲଙ୍କ ଲେଖା ପ୍ରକାଶ କରିବାର ମଧ୍ୟ ସେ ସୌଭାଗ୍ୟ ଅର୍ଜନ କରିଥିଲେ।

ମେହେଟ୍ଟା ଜଣେ ଉତ୍ତମ ସମ୍ପାଦକ ଓ ଭଦ୍ର ବ୍ୟକ୍ତି ଥିଲେ: ନବୀନ

ଭିଣୋଇଙ୍କ ମୃତ୍ୟୁରେ ମର୍ମାହତ, ନବୀନ ପାଳିବେନି ନୂଆବର୍ଷ

ଭୁବନେଶ୍ବର : ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପ୍ରକାଶକ ଓ ବିଶିଷ୍ଟ ସମ୍ପାଦକ ତଥା ଭିଣୋଇ ସନି ମହେଟ୍ଟାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ମର୍ମାହତ ହୋଇଛନ୍ତି। ଟୁଇଟର ଯୋଗେ ନିଜର ଶୋକ ବ୍ୟକ୍ତ କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ସ୍ବର୍ଗତ ମେହେଟ୍ଟା ଜଣେ ଅତି ଉଚ୍ଚକୋଟୀର ସମ୍ପାଦକ ଓ ଅତ୍ୟନ୍ତ ଭଦ୍ର ବ୍ୟକ୍ତି ଥିଲେ। ତାଙ୍କର ପରଲୋକ ଯୋଗୁଁ ସେ ଆସନ୍ତାକାଲି ନୂଆବର୍ଷ ପାଳନ କରିବେନି। ଏଥିପାଇଁ ଶୁଭେଚ୍ଛୁମାନଙ୍କୁ ନବୀନ ନିବାସ ଆସିବାକୁ ମୁଖ୍ୟମନ୍ତ୍ରୀ ମନା କରିଦେଇଛନ୍ତି।

ଅଗାଧ୍ୟ ପାଣ୍ଡିତ୍ୟର ଅଧିକାରୀ ଥିଲେ ମେହେଟ୍ଟା: ପ୍ରଧାନମନ୍ତ୍ରୀ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ସ୍ବାମୀ ସନି ମହେଟ୍ଟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ପ୍ରଥମେ ଟୁଇଟ୍ ଓ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟେଲିଫୋନ କରି ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି। କହିଛନ୍ତି ଯେ ସ୍ବର୍ଗତ ମେହେଟ୍ଟା ଜଣେ ବିଦ୍ବାନ ବ୍ୟକ୍ତି ଥିଲେ। ଜଣେ ସମ୍ପାଦକ ଭାବେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା। ସେଥିପାଇଁ ସେ ବହୁ ଆଗ୍ରହୀ ପାଠକ ସୃଷ୍ଟି କରିପାରିଥିଲେ। ସ୍ବର୍ଗତ ମେହେଟ୍ଟାଙ୍କ ପତ୍ନୀ ଗୀତା ମହେଟ୍ଟା ଓ ତାଙ୍କ ପରିବାର ବର୍ଗ ଓ ପ୍ରଶଂସକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର