ନିର୍ବାଚନୀ ଜୁମ୍‌ଲା ଥିଲା କି ସୋନ ଜଳସେଚନ ପ୍ରକଳ୍ପ?

ଭିତ୍ତିପ୍ରସ୍ଥର ସ୍ଥାପନକୁ ୭ ବର୍ଷ ବିତିଲାଣି, ଫଳକରେ ସୀମିତ ୮ଶହ କୋଟିର ପ୍ରକଳ୍ପ

ବାରିପଦା : ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ୪ ବ୍ଲକ୍‌ର ହଜାର ହଜାର କୃଷକ ଉପକୃତ ହେବେ। ମୟୂରଭଞ୍ଜର ଜିବି ନଗର, ବଡ଼ସାହି ଏବଂ ବାଲେଶ୍ବରର ନୀଳଗିରି ଓ ରେମୁଣା ବ୍ଲକ୍‌ର ୯୯୦୦ ହେକ୍ଟରରୁ ଊର୍ଧ୍ବ ଜମିକୁ ମାଡ଼ିବ ପାଣି। ସରକାରୀ ଭାବେ ୯୯୦୦ ହେକ୍ଟର ଜମିକୁ ଜଳସେଚିତ କରିବା କଥା କୁହାଯାଉଥିଲେ ମଧ୍ୟ ବାସ୍ତବରେ ଏହି ପ୍ରକଳ୍ପ ପ୍ରାୟ ୧୧ହଜାର ହେକ୍ଟର ଜମିକୁ ଜଳସେଚିତ କରିବାର କ୍ଷମତା ରଖୁଥିଲା। ୨୦୧୦ରୁ ପ୍ରକଳ୍ପକୁ ମଞ୍ଜୁରି ବି ମିଳିସାରିଛି। ୨୦୧୧ରୁ ପରିବେଶ ଅନୁମତି ମିଳିଛି। ମାର୍ଚ୍ଚ ୨୦୧୪ରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାତ୍ର ଭିତ୍ତିପ୍ରସ୍ଥର ସ୍ଥାପନର ୭ ବର୍ଷ ବିତିଯାଇଥିଲେ ମଧ୍ୟ କେବଳ ଫଳକରେ ସିମୀତ ରହିଛି ଜିଲ୍ଲାର ଉଦଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋପବନ୍ଧୁନଗରରେ ହେବାକୁ ଥିବା ସୋନ ଜଳସେଚନ ପ୍ରକଳ୍ପ।

ବର୍ତ୍ତମାନ ବଜାର ମୂଲ୍ୟରେ ଏହି ମଧ୍ୟମ ଜଳସେଚନ ପ୍ରକଳ୍ପରେ ପ୍ରାୟ ୭ଶହ ରୁ ୮ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ମାତ୍ର ବିଭାଗୀୟ ଉଦାସୀନତା ଏବଂ ରାଜନୈତିକ ଇଛାଶକ୍ତିର ଅଭାବରୁ ଏକ ଜଳସେଚନ ପ୍ରକଳ୍ପର ଭାଗ୍ୟ କାଗଜପତ୍ରରେ ହିଁ ସିମୀତ ରହିଯାଇଛି। ଏପରିକି ପ୍ରକଳ୍ପ ନିମ‌ନ୍ତେ ପ୍ରାରମ୍ଭିକ ସ୍ତରରେ ହେବାକୁ ଥିବା ସର୍ଭେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନି। ଯାହାକି ବିଭାଗୀୟ ଅଧିକାରୀଙ୍କ ପାରିବାପଣିଆକୁ ପଦାରେ ପକାଇଛି। ଏହି ଜଳସେଚନ ପ୍ରକଳ୍ପ ଜିଲ୍ଲାର କାଳ, ସୁନେଇ ଆଦି ଜଳସେଚନ ପ୍ରକଳ୍ପଠାରୁ ମଧ୍ୟ ଅଧିକ ଜଳସେଚନ କ୍ଷମତା ରଖୁଛି। ମାତ୍ର ଏହାର କଚ୍ଛପ ଗତି ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକେଇଛି।

ବିଜେଡିର ତତ୍କାଳୀନ ବିଧାୟକ ଶ୍ରୀନାଥ ସୋରେନ୍‌ଙ୍କ ଅମଳରେ ପ୍ରକଳ୍ପର ଭିତ୍ତିପ୍ରସ୍ଥର ଦିଆଯାଇଥିଲା। ବର୍ତ୍ତମାନ ଉଦଳା ନିର୍ବାଚନମଣ୍ଡଳୀରେ ବିଜେପି ବିଧାୟକ ଅଛନ୍ତି। ମାତ୍ର ଏହି ପ୍ରକଳ୍ପକୁ ନେଇ ବିଜେଡି-ବିଜେପି କେହି ବି ସ୍ବର ଉଠାଉନାହାନ୍ତି। ତେବେ ମୟୂରଭଞ୍ଜ ଜଳସେଚନ ନିର୍ବାହୀ ଯନ୍ତ୍ରୀ ଲୋକନାଥ ମହାନ୍ତିଙ୍କ କହିବା ଅନୁଯାୟୀ ପ୍ରକଳ୍ପର ଜିଓଲୋଜିକାଲ୍‌ ସର୍ଭେ ପ୍ରକ୍ରିୟା ସରିଛି, ଡିଜାଇନ୍‌ ପ୍ରୋଗ୍ରେସ୍‌ରେ ଅଛି। ମାତ୍ର ପ୍ରକଳ୍ପ ନିର୍ମାଣ ସ୍ଥଳ ପରିବର୍ତ୍ତନ ଘଟିଛି। ପୂର୍ବରୁ ଏହା ଜିବି ନଗର ବ୍ଲକ୍‌ର ଜଇଦାରେ ହେବାକୁ ଥିଲା। ମାତ୍ର ଏହା ଏବେ ୭୬୦ ମିଟର ତଳକୁ ପୁରୋଡିହି ନିକଟରକୁ ଉଠିଯାଇଛି। ପ୍ରକଳ୍ପ କାର୍ଯ୍ୟର ପ୍ରକ୍ରିୟା ଆରମ୍ଭ ହୋଇଛି। କିଛି ବୈଷୟିକ ସମସ୍ୟା କାରଣରୁ ବିଳମ୍ବ ହୋଇଥିବା ସେ କହିଛନ୍ତି।

ତେବେ ଏହି ପ୍ରକଳ୍ପ ପାଇଁ ନିର୍ଦ୍ଦିଷ୍ଟ ଏକ ଅଣଓଡ଼ିଆ ସଂସ୍ଥାକୁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅନୁଗ୍ରହ ଦେଖାଉଥିବା ଅଭିଯୋଗ ହେଲାଣି। ୨ ଥର ଏନେଇ ଟେଣ୍ଡର ହୋଇଥିଲେ ମଧ୍ୟ ବାତିଲ ହୋଇଛି। ତୃତୀୟ ଥର ପାଇଁ ଟେଣ୍ଡର ଆହ୍ୱାନ କରଯାଇଛି। ଏନେଇ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମହାନ୍ତି କିନ୍ତୁ ବିଭିନ୍ନ କାରଣ ଦର୍ଶାଇଛନ୍ତି। ପ୍ରଥମ ଟେଣ୍ଡର ସିଙ୍ଗଲ୍‌ ଟେଣ୍ଡର ଥିବାରୁ ବାତିଲ ହୋଇଥିଲା। ୨ୟ ଥର ମଧ୍ୟ କିଛି କାରଣ ପାଇଁ ବାତିଲ ହୋଇଥିଲା। ମାତ୍ର ଯୁଦ୍ଧକାଳୀନ ଭିତ୍ତିରେ ପୁଣି ଟେଣ୍ଡର ଡକାଯାଇଥିବା ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ମାତ୍ର ଏଭଳି ବାରମ୍ବାର ଟେଣ୍ଡର ବାତିଲ ଏକ ନିର୍ଦ୍ଦିଷ୍ଟ ଅଣଓଡ଼ିଆ ସଂସ୍ଥାକୁ କାର୍ଯ୍ୟାଦେଶ ଦେବାର ମସୁଧା ବୋଲି ଅଭିଯୋଗ ହୋଇଛି। ସେହିଭଳି ସମୟ ଅନୁସାରେ ଟେଣ୍ଡର ମୂଲ୍ୟ ବଢ଼ିଥାଏ। ମାତ୍ର ଏଠାରେ ବାରମ୍ବାର କମି ଚାଲିଥିବା ବା ପ୍ରଶ୍ନବାଚୀ ସୃଷ୍ଟି କରୁଛି।

କଏହି ପ୍ରକଳ୍ପ କେବଳ ଏକ ନିର୍ବାଚନୀ ଜୁମ୍‌ଲା ଥିଲାବୋଲି ବ‌ିରୋଧୀ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର