ସୋନପୁର ଏନ୍‌ଏଚ୍‌ଏମ୍ ଠକେଇ ଘଟଣା: ପ୍ରଣବ ରାୟଙ୍କୁ କାହିଁକି ଗିରଫ କରୁନି ଇଓଡବ୍ଲୁ?

୩୦ଲକ୍ଷ ଟଙ୍କା ପାଇଁ ୧୨ଶହ କିମି ଦୂରରୁ ଆସି ହାଇଦ୍ରାବାଦ ପୁଲିସ ବାନ୍ଧିଲା
୩ମାସ ବିତିଲାଣି; ୫କୋଟି ଟଙ୍କା ଠକେଇରେ ହାତ ବାନ୍ଧି ବସିଛି ଇଓଡବ୍ଲୁ

ଭୁବନେଶ୍ବର : ବହୁଚର୍ଚ୍ଚିତ ସୋନପୁର ଜାତୀୟ ସ୍ବାସ୍ଥ୍ୟ ମିସନ(ଏନ୍‌ଏଚ୍‌ଏମ୍) ବ୍ୟାଙ୍କ୍ ଆକାଉଣ୍ଟ୍‌ରୁ ୫କୋଟି ହଡ଼ପ କରିବା ଅଭିଯୋଗକୁ ୩ମାସ ବିତିଲାଣି। ଅଥଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଏନ୍‌ଏଚ୍‌ଏମ୍ ଠକେଇରେ ସଂପୃକ୍ତ ଅନ୍ୟତମ ଅଭିଯୁକ୍ତ ପ୍ରଣବ ରାୟଙ୍କୁ ଛୁଇଁପାରୁନି। ଏପରିକି ପ୍ରଣବଙ୍କ ଆଗୁଆ ଜାମିନ୍ ଆବେଦନକୁ ହାଇକୋର୍ଟ ଖାରଜ କରିଥିବା ସତ୍ତ୍ବେ ଇଓଡବ୍ଲୁ ଏବେ ବି ଚୁପ୍ ବସିଥିବାରୁ ତଦନ୍ତକାରୀ ଅଧିକାରୀଙ୍କ ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠିଲାଣି।

ନିକଟରେ ହାଇଦ୍ରାବାଦ ପୁଲିସ ମଣପୁରମ୍ ଫାଇନାନ୍ସ ଲିମିଟେଡ୍‌ରୁ ୩୦ଲକ୍ଷ ଟଙ୍କା ଠକେଇରେ ସଂପୃକ୍ତ ୫ଜଣଙ୍କୁ ଭୁବନେଶ୍ବର ଆସି ଗିରଫ କରିଛି। ଏହି ଠକେଇ ନେଇ ହାଇଦ୍ରାବାଦ ପୁଲିସ ପାଖରେ ଅଭିଯୋଗ ହେବାର ମାତ୍ର ୧୫ଦିନ ଭିତରେ ୧୨ଶହ କିମି ଦୂରରୁ ଆସି ମୁଖ୍ୟ ଅଭିଯୁକ୍ତ ଆଦିତ୍ୟ ନାରାୟଣ ମହାପାତ୍ରଙ୍କ ସହ ତା’ର ୪ଜଣ ସହଯୋଗୀକୁ ଗିରଫ କରିଥିଲା। ଅଥଚ ସୋନପୁର ଏନ୍‌ଏଚ୍‌ଏମ୍‌ରୁ ଗାଏବ ହୋଇଥିବା ୫କୋଟି ଟଙ୍କାରୁ ପ୍ରଣବ ରାୟଙ୍କ ସହିଦନଗରସ୍ଥିତ ଏସ୍‌ବିଆଇ ଆକାଉଣ୍ଟକୁ ଦେଢ଼କୋଟି ଟଙ୍କା ଆସିଥିଲେ ହେଁ ଇଓଡବ୍ଲୁ ହାତବାନ୍ଧି ବସିଛି। ଗୋଟିଏ ପ୍ରକାର ମାମଲାରେ ତେଲେଙ୍ଗାନା ରାଜ୍ୟର ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ଆମ ରାଜ୍ୟର ପୁଲିସ କାହିଁକି ପଛଘୁଞ୍ଚା ଦେଉଛି ତା’କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହେଲାଣି। ଉଲ୍ଲେଖଯୋଗ୍ୟ ଯେ ସୋନପୁର ଏନ୍‌ଏଚ୍‌ଏମ୍ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ରାଜକିଶୋର ନାୟକ, ଅନନ୍ତ ଚରଣ ପ୍ରଧାନ ଓ ସୁନିଲ ପତିଙ୍କୁ ଇଓଡବ୍ଲ୍ୟୁ ପୂର୍ବରୁ ଗିରଫ କରିସାରିଛି।

ସମ୍ବନ୍ଧିତ ଖବର