ସିଝୁଛି ଓଡ଼ିଶା, ୪୩ଂ ଉପରେ ୬ ସହର

୪୪.୨ ଡିଗ୍ରି ସହ ସୋନପୁର ଉତ୍ତପ୍ତ

ଭୁବନେଶ୍ବର: ଆଜି ପହିଲି ରଜରେ ପ୍ରଚଣ୍ଡ ସୌରତାପରେ ସନ୍ତୁଳି ହୋଇଛନ୍ତି ରାଜ୍ୟବାସୀ। ଆଜି ରାଜ୍ୟର ୧୩ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେ‌ଳେ ୪୪.୨ ଡିଗ୍ରି ଦିନ ତାପମାତ୍ରା ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା। ଏହା ସମେତ ରାଜ୍ୟର ୬ ସହର ତାପମାତ୍ରା ୪୩ ଡିଗ୍ରି ଉପରେ ରହିଥିଲା। ବଲାଙ୍ଗୀର ୪୩.୬ ଡିଗ୍ରି, ଝାରସୁଗୁଡ଼ା ୪୩.୫ ଡିଗ୍ରି, ସମ୍ବଲପୁର ୪୩.୪ ଡିଗ୍ରି, ହୀରାକୁଦ ଓ ଅନୁଗୁଳରେ ୪୩ ଡିଗ୍ରି ଲେଖାଏଁ ଦିନ ତାପମାତ୍ରା ରେକର୍ଡ ହୋଇଥିବା‌ ‌ବେଳେ ଅଧା ଓଡ଼ିଶା ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇଥିଲା। ଅନ୍ୟପଟେ ଆଜି ରାଜ୍ୟର କିଛି କିଛି ଅଞ୍ଚଳରେ ଅପରାହ୍ନରେ ପ୍ର‌ାକ୍‌-ମୌସୁମୀ ବର୍ଷା ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି। ଭୁବନେଶ୍ବର ଓ କଟକରେ ଅପରାହ୍ନ ୩ଟା ବେଳକୁ ଆକାଶ ମେଘାଚ୍ଛନ୍ନ ହୋଇ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଦେଖାଯାଇଥିଲା। କିନ୍ତୁ କିଛି ସମୟ ମଧ୍ୟରେ ଆକାଶରୁ ମେଘଖଣ୍ଡ ଦୂରେଇଯିବା ଫଳରେ ବର୍ଷା ହୋଇନଥିଲା। କିନ୍ତୁ ଦ୍ବୈତନଗରୀରେ ଖରା, ଗରମ ଓ ଗୁଳୁଗୁଳି ଆଜି ରାଜବାସୀଙ୍କ ଅତିଷ୍ଠ କରିଥିଲା।

ଅପରପକ୍ଷରେ ଆସନ୍ତା ୨୪ ଘଣ୍ଟା ଯାଏ ରାଜ୍ୟର ପା‌ଗରେ ବିଶେଷ ପରିବର୍ତ୍ତନର ସମ୍ଭା‌ବନା ନାହିଁ। ଏହା ପରେ ରାଜ୍ୟରେ ଧୀରେଧୀରେ ତାତି କମିବ। ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଖସିଯିବ। ଏଥିସହ ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ର କହିଛି, ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ହେବାକୁ ବାତାବରଣ ଅନୁକୂଳ ରହିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଉତ୍ତର ଆରବ ସାଗରର ଅନ୍ୟ କେତେକ ଅଂଶ ସମେତ ଗୁଜରାଟର ଅନ୍ୟ କିଛି ଅଞ୍ଚଳ, ଦକ୍ଷିଣ ମଧ୍ୟପ୍ରଦେଶର କେତେକ ଅଂଶ, ମଧ୍ୟ ମହାରାଷ୍ଟ୍ର, ମରାଠୱାଡ଼ା, କର୍ଣ୍ଣାଟକ ଓ ତାମିମଳନାଡ଼ୁର ସମ୍ପୂର୍ଣ୍ଣ ଅଞ୍ଚଳ, ବିଦର୍ଭ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳର କେତେକ ସ୍ଥାନରେ ମୌସୁମୀ ସକ୍ରିୟ ହୋଇଯିବ। ଏଥିସହ ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସମେତ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରର କିଛି କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଯିବ। ଫଳରେ ଓଡ଼ିଶା ଆଉ ୩ ଦିନ ଭିତରେ ‌ମୌସୁମୀର ଶୀତଳ ସ୍ପର୍ଶ ପାଇବା ସହ ଗରମ, ଗୁଳୁଗୁଳିରୁ ମୁକ୍ତି ପାଇବ।

ସମ୍ବନ୍ଧିତ ଖବର