ବ୍ରହ୍ମପୁର: ଗଞ୍ଜାମ ରାଜନୀତିରେ ବର୍ଷବର୍ଷ ଧରି କ୍ଷମତାରେ ରହି ଆସିଥବା ବିଭିନ୍ନ ରାଜପରିବାରର ରାଜା ଓ ରାଣୀମାନେ ଏବେ ସକ୍ରିୟ ରାଜନୀତିରୁ ଓହରିବାରେ ଲାଗିଛନ୍ତି। ପ୍ରତିବଦଳରେ ସେମାନଙ୍କର ଉତ୍ତରାଧିକାରୀ ତଥା ପୁତ୍ର ଓ କନ୍ୟାଙ୍କୁ ସୁଯୋଗ ମିଳିଛି। ସେମାନେ ନିର୍ବାଚନ ରାଜନୀତିକୁ ଓହ୍ଲାଇଛନ୍ତି। ଚଳିତ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ୩ ରାଜପରିବାର ଉତ୍ତରାଧିକାରୀ ବିଭିନ୍ନ ଦଳରୁ ପ୍ରତିଦ୍ବନ୍ଦ୍ବିତା କରିବେ। ଏହି ଯୁବବର୍ଗଙ୍କୁ ଜନତା କିଭଳି ଗ୍ରହଣ କରୁଛନ୍ତି ତାହା ଉପରେ ଏବେ ରାଜନୈତିକ ମହଲ ନଜର ରଖିଛନ୍ତି।
ଦୀର୍ଘବର୍ଷ ଧରି ଖଲ୍ଲିକୋଟ ଓ ଚିକିଟି ରାଜପରିବାରର ଦୁଇ ରାଣୀ ରାଜନୈତିକ କ୍ଷମତାର କେନ୍ଦ୍ରବିନ୍ଦୁ ଥିଲେ। ସେହିପରି ଧରାକୋଟ ରାଣୀ ମଧ୍ୟ କିଛିବର୍ଷ କ୍ଷମତା ରାଜନୀତିରେ ସକ୍ରିୟ ଥିଲେ। ଜିଲ୍ଲା ରାଜନୀତିରେ ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ବେଶ୍ ସୁନାମ ଓ ଗୁରୁତ୍ବ ରହିଥିଲା। ସେ ଲଗାତାର ୧୦ଥର ବିଧାୟିକା ହୋଇଥିଲେ। ବିଜୁ ବାବୁଙ୍କର ଅତ୍ୟନ୍ତ ନିକଟତର ଥିବା ଖଲ୍ଲିକୋଟ ରାଣୀ ଶ୍ରୀମତୀ ଦେଓ ନବୀନ ବାବୁଙ୍କର ମଧ୍ୟ ଖାସ୍ ଥିଲେ। ଜିଲ୍ଲା ରାଜନୀତି ସହ ରାଜ୍ୟ ରାଜନୀତିରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ତାଙ୍କର ବିୟୋଗ ପରେ ଖଲ୍ଲିକୋଟ ରାଜବଂଶରୁ ଆଉ କେହି ଦାୟାଦ ରାଜନୀତିରେ ନାହାନ୍ତି। ସେହିପରି ଚିକିଟି ରାଣୀ ଉଷା ଦେବୀ ଚିକିଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ୬ଥର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି। ଏବେ ମଧ୍ୟ ସେ ମନ୍ତ୍ରୀପଦରେ ରହିଛନ୍ତି। କିନ୍ତୁ ଚଳିତ ୨୦୨୪ ନିର୍ବାଚନରେ ସେ ଲଢ଼ିବେ ନାହିଁ। ତାଙ୍କ ପୁଅ ଶ୍ରୀରୂପ ଦେବ ଚିକିଟିରୁ ପ୍ରଥମ ଥର ନିର୍ବାଚନ ମଇଦାନକୁ ଓହ୍ଲାଇ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି।
ସେହିଭଳି ଧରାକୋଟ ରାଣୀ ନନ୍ଦିନୀ ଦେବୀ ମଧ୍ୟ ଏଥର ସିଧାସଳଖ ଲଢ଼େଇରେ ନାହାନ୍ତି। ସ୍ବାମୀ କିଶୋର ଚନ୍ଦ୍ର ସିଂଦେଓଙ୍କ ବିୟୋଗ ପରେ ରାଣୀ ନନ୍ଦିନୀ ୨୦୧୪ରେ ବିଜେଡି ଟିକେଟ୍ରେ ସାନଖେମୁଣ୍ଡି ବିଧାନସଭା ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ରେ ସେ ପରାଜିତ ହୋଇଥିଲେ। ଚଳିତ ନିର୍ବାଚନରେ ବିଜେଡି ନନ୍ଦିନୀଙ୍କ ବଦଳରେ ତାଙ୍କର କନ୍ୟା ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କୁ ସାନଖେମୁଣ୍ଡିରୁ ପ୍ରାର୍ଥୀ କରିଛି। ସେହିପରି ଖେମୁଣ୍ଡି ରାଜ ପରିବାରର ସଦସ୍ୟ ଶ୍ରୀଧର ଦେବ ମଧ୍ୟ ଏଥର କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ରାଜ ପରିବାରର ନୂଆ ପିଢ଼ି ଲୋକଙ୍କ ବିଶ୍ବାସଭାଜନ ହୋଇପାରୁଛନ୍ତି କି ନାହିଁ ତାହା ନିର୍ବାଚନ ଫଳାଫଳରେ ଜଣାପଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/Next-Generation-From-Kings-Family-Enters-in-Politics-in-Ganjam-Districts_Thumbnail.jpg)