ଦୁଇ ଭାଇଙ୍କ ବୀଭତ୍ସ କାଣ୍ଡ : ବଡ଼ଭାଇକୁ ପଥର ଛେଚି ମାରିଥିଲେ, ଏବେ ବାପାଙ୍କୁ ହତ୍ୟା

ପୋଲସରା/କଳମ୍ବ : ସାମାନ୍ୟ କଥା କଟାକଟିକୁ ନେଇ ବାପାକୁ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁଇ ଜହ୍ଲାଦ ପୁଅ। ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା କମ୍ବଳ ଗାଁରେ। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଅଭିମନ୍ୟୁ ପ୍ରଧାନ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଦୁଇ ହତ୍ୟାକାରୀ ପୁଅ ସୁଶାନ୍ତ ପ୍ରଧାନ ଓ ମଙ୍ଗୁଳୁ ପ୍ରଧାନଙ୍କୁ ଗିରଫ କରିଛି। ବାପାକୁ ଆକ୍ରମଣ ସମୟରେ ଛଡ଼ାଇବାକୁ ଯାଇ ମା’ ଅପସରା ପ୍ରଧାନ ଦୁଇ ପୁଅଙ୍କ ମାଡ଼ରେ ଗୁରୁତର ହେବାରୁ ତାଙ୍କୁ ଏବେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

କଳମ୍ବ ବଡ଼ସାହିର ଅଭିମନ୍ୟୁ ପ୍ରଧାନଙ୍କ ୩ ପୁଅ ଓ ଗୋଟିଏ ଝିଅ। ଅଭିମନ୍ୟୁ କାଠ କାମ ସହ ମଜୁରିଆ କାମ କରନ୍ତି। ଅଭାବ ଓ ଅନଟନ ମଧ୍ୟରେ ଗୁଜୁରାଣ ମେଣ୍ଟାନ୍ତି। ତେବେ ଦୁଇବର୍ଷ ତଳେ ସମାନ୍ୟ କଳହରୁ ମଝିଆ ପୁଅ ଟୁନାଙ୍କୁ ଦୁଇ ଭାଇ ସୁଶାନ୍ତ ଓ ମଙ୍ଗୁଳୁ ମିଶି ପଥର ଛେଚି ହତ୍ୟା କରିଥିଲେ। କିଛି ଦିନ ପରେ ବାପା ସେମାନଙ୍କୁ ଜାମିନ୍‌ରେ ଆଣିଥିଲେ। ଗତକାଲି ରାତିରେ କୌଣସି କାରଣକୁ ନେଇ ଦୁଇ ପୁଅ ଓ ବାପା ଅଭିମନ୍ୟୁଙ୍କ ମଧ୍ୟରେ କଳହ ଲାଗିଥିଲା। କଥା କଟାକଟି ଓ ପାଟିତୁଣ୍ଡ ଅଧିକ ହେବାରୁ ରାଗରେ ଦୁଇ ପୁଅ ବାପାଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ସେ ପ୍ରାଣ ହରାଇଥିଲେ। ଅଭିମନ୍ୟୁଙ୍କୁ ରକ୍ଷା କରିବା ପାଇଁ ପତ୍ନୀ ଅପସରା ଆସିଥିବା ବେଳେ ତାଙ୍କୁ ମଧ୍ୟ ଦୁଇ ପୁଅ ଛାଡ଼ି ନଥିଲେ। ମାଡ଼ ମାରି ଗୁରୁତର ଆହତ କରିଥିଲେ। ଆଜି ସକାଳେ ଏ ଖବର ଜଣାପଡ଼ିବା ପରେ ସାହିର କିଛି ବ୍ୟକ୍ତି ଥାନାକୁ ଫୋନ୍‌ କରିଥିଲେ। ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ନେତୃତ୍ୱରେ ବିୟୁଟି ମହାନ୍ତି, କେଶବ ଷଡ଼ଙ୍ଗୀଙ୍କ ସହ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅପସରା ପ୍ରଧାନଙ୍କୁ ଉଦ୍ଧାର କରି ପୋଲସରା ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ। ଦୁଇ ଅଭିଯୁକ୍ତ ଭାଇ ସୁଶାନ୍ତ ଓ ମଙ୍ଗୁଳୁଙ୍କ ମଧ୍ୟରୁ ଜଣଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଓ ଅନ୍ୟ ଜଣକୁ ବାଡ଼ିପଟୁ ପୁଲିସ କାବୁ କରିଥିଲା। ଝିଅ ସୁଶୀଳା ପ୍ରଧାନଙ୍କ ଏତଲା କ୍ରମେ ପୁଲିସ କେସ ନଂ ୧୫୧/୨୦ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଛି। ସାଇଣ୍ଟିଫିକ୍‌ ଟିମ୍‌ ରକ୍ତଭିଜା ଲୁଗା ଓ ଅନ୍ୟାନ୍ୟ ନମୁନା ସଂଗ୍ରହ କରି ତଦନ୍ତ ଚଳାଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର