ଛାତ୍ରୀଙ୍କୁ ସ୍ମାର୍ଟ ଫୋନ୍‌ ଦେଲେ ସୋନୁ ସୁଦ

କାମ ଦେଲା ବାନ୍ଧବୀଙ୍କ ଟ୍ବିଟ୍‌

ସମ୍ବଲପୁର : ‘ମୋ ବାନ୍ଧବୀ ଜଣେ ମେଧାବୀ ଛାତ୍ରୀ। ସେ ମାଟ୍ରିକ ପରୀକ୍ଷାରେ ୯୦.୬ ପ୍ରତିଶତ ଓ ଯୁକ୍ତ ଦୁଇ ପରୀକ୍ଷାରେ ୯୩ ପ୍ରତିଶତ ରଖିଛନ୍ତି। ତାଙ୍କ ବାପା ଜଣେ ଅଟୋରିକ୍ସା ଚାଳକ। ଆପଣ ଜାଣନ୍ତି କରୋନା ଯୋଗୁଁ କିଭଳି ଅବସ୍ଥା ହୋଇଛି। ସେ ନିଟ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ତାଙ୍କର ଅନ୍‌ଲାଇନ୍‌ ପଢ଼ିବା ପାଇଁ ସହାୟତା କରନ୍ତୁ।’

ନିଜ ବାନ୍ଧବୀ ଲିପ୍ସାଙ୍କ ପାଇଁ ସିନେ ତାରକା ସୋନୁ ସୁଦଙ୍କୁ ସମ୍ବଲପୁରର ଛବିରାଣୀ ଏହି ଟ୍ବିଟ୍‌ କରିଥିଲେ। ଟ୍ବିଟ୍‌ର ମାତ୍ର ୧୦ ଦିନ ମଧ୍ୟରେ ଲିପ୍‌ସାଙ୍କୁ ସୋନ ସୁଦ ଦେଇଛନ୍ତି ଏକ ସ୍ମାର୍ଟଫୋନ୍‌। ଯୁବ ନେତା ସଂଜିତ ମହାନ୍ତି ଏବଂ ମିଲନ ହୋତାଙ୍କ ସହାୟତାରେ ସ୍ମାର୍ଟ ଫୋନଟି ଲିପ୍ସାଙ୍କ ଘରେ ପହଞ୍ଚିଛି।

India TV News

ସୂଚନା ଅନୁଯାୟୀ, ସମ୍ବଲପୁର କ୍ଷେତରାଜପୁର ଚନ୍ଦନନଗରର ଲିପ୍‌ସାଙ୍କ ପାଇଁ ତାଙ୍କ ବାନ୍ଧବୀ ଛବିରାଣୀ ସେପ୍ଟେମ୍ବର ୧ ତାରିଖରେ ସୋନୁ ସୁଦ୍‌ଙ୍କୁ ଏକ ଟ୍ବିଟ୍‌ କରିଥିଲେ। ଏହାକୁ ଅନେକ ରିଟ୍ବିଟ ମଧ୍ୟ କରିଛନ୍ତି। କିଛି ଦିନ ପରେ ସୋନୁଙ୍କ ଟିମ୍‌ର ସଦସ୍ୟ କରନ ବିଲହୋତ୍ରା ଛବିଙ୍କୁ ଲିପ୍‌ସାଙ୍କ ବିଷୟରେ ପଚାରିଥିଲେ। ଛବି ଲିପ୍‌ସା ବିଷୟରେ ବିସ୍ତୃତ ଭାବରେ ଜଣାଇବା ସହିତ ତାଙ୍କର ଯୋଗାଯୋଗ ନମ୍ବର ମଧ୍ୟ ଦେଇଥିଲେ। ଏହା ସହିତ ସୋନୁ ସୁଦଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜେଡିର ଯୁବନେତା ସଂଜିତ ମହାନ୍ତିଙ୍କୁ ଯୋଗାଯୋଗ କରାଯାଇଥିଲା, ଲିପ୍ସାଙ୍କ ବିଷୟରେ ବୁଝାବୁଝି କରନ୍ତୁ। ଯଦି ପ୍ରକୃତରେ ତ‌ାଙ୍କର ସ୍ମାର୍ଟ ଫୋନର ଆବଶ୍ୟକତା ରହିଛି, ଆପଣ ପ୍ରଦାନ କରନ୍ତୁ। ପରବର୍ତ୍ତୀ ସମୟରେ ଆମେ ଆପଣଙ୍କୁ ଟଙ୍କା ପଠାଇଦେବୁ। ସଂଜିତ ନିଜ ବ୍ୟକ୍ତିଗତ ସ୍ତରରେ ପଚରାଉଚୁରା ପରେ ଜାଣିବାକୁ ପାଇଥିଲେ, ଲିପ୍ସା ପୂର୍ବରୁ ଗୁରୁନାନକ ସ୍କୁଲରେ ପଢୁଥିବା ଜଣେ ମେଧାବୀ ଛାତ୍ରୀ। ତାଙ୍କ ବାପା ଜଣେ ଅଟୋରିକ୍ସା ଚାଳକ। କରୋନା ସ୍ଥିତି ଯୋଗୁଁ ତାଙ୍କ ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଛି। ତେଣୁ ସେ ନିଜେ ସ୍ମାର୍ଟ ଫୋନ କ୍ରୟ କରି ନିଜ ସହଯୋଗୀ ମିଲନ, ରକ୍ଷନ୍ଦା ଏବଂ ସୁମିତଙ୍କ ଜରିଆରେ ଲିପ୍ସାଙ୍କୁ ସ୍ମାର୍ଟଫୋନ ଦେଇଛନ୍ତି। ଫୋନ ପ୍ରଦାନ ପରେ ସୋନୁ ସୁଦଙ୍କ ଟିମ୍‌ର ଜଣେ ସଦସ୍ୟ ଲିପ୍ସାଙ୍କ ସହିତ ଭିଡିଓ କଲ୍‌ କରି କଥା ହୋଇଥିଲେ। ଖୁବଶୀଘ୍ର ସୋନୁ ମଧ୍ୟ ତାଙ୍କ ସହିତ କଥା ହେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର