ସୋନୁ ସୁଦ୍‌ଙ୍କ ମହାନତା : କେରଳରୁ ବିମାନରେ ଫେରିଲେ ୧୬୯ ଓଡ଼ିଆ ଝିଅ, ଏର୍ଣ୍ଣାକୁଲମ୍‌ରେ ୨ ମାସ ଧରି ଫସି ରହିଥିଲେ

ରାଜନଗର : ସୋନୁ ସୁଦ୍‌ କେତେବଡ଼ ବଲିଉଡ୍‌ ଅଭିନେତା ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ। କିନ୍ତୁ, ତାଙ୍କର ମହାନ୍‌ କାର୍ଯ୍ୟରେ ସେ ଏବେ ସମସ୍ତଙ୍କୁ ଅତିକ୍ରମ କରିଛନ୍ତି। ତାଙ୍କରି ଉଦ୍ୟମରେ ଲକ୍‌ଡାଉନ୍‌ ଯୋଗୁ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀମାନେ ଘରକୁ ଫେରିବାରେ ସକ୍ଷମ ହୋଇଛନ୍ତି। ଏହିଭଳି ସାହାଯ୍ୟ ପାଇ ୧୬୯ ଜଣ ଯୁବତୀ ଆଜି ମଧ୍ୟ ଘରକୁ ଫେରିପାରିଛନ୍ତି। ଏହି ଯୁବତୀମାନେ ଦୁଇ ମାସ ହେବ କେରଳରେ ଫସି ରହିଥିଲେ। ଏହି ମହତ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନେତା ସୋନି ସୁଦ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଓଡ଼ିଶାକୁ ଫେରିଥିବା ୧୬୯ ଜଣ ଯୁବତୀଙ୍କ ମଧ୍ୟରୁ ୧୫୦ ଜଣଙ୍କ ଘର କେନ୍ଦ୍ରାପଡ଼ାର ରାଜନଗର। ଅନ୍ୟ ୧୯ ଜଣଙ୍କ ଘର ମହାକାଳପଡ଼ା, ପଟ୍ଟାମୁଣ୍ତାଇ, କେନ୍ଦ୍ରାପଡା, ରାୟଗଡା ଓ ବାଲେଶ୍ବର ଅଂଚଳରେ ବୋଲି ଜଣାପଡ଼ିଛି। ଆଜି ଦିନ ୧୦ଟା ୩୦ରେ ସ୍ବତନ୍ତ୍ର ବିମାନ ଯୋଗେ ଓଡିଆ ଝିଅମାନେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ପରେ ୪ଟି ବସ୍‌ ଯୋଗେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଯୁବତୀ ମାନଙ୍କୁ କେନ୍ଦ୍ରାପଡା ଅଟୋନୋମସ୍‌ କଲେଜ ପରିସରକୁ ଆଣିଥିଲେ। ସେଠାରେ ପଞ୍ଜୀକରଣ ପରେ ସମସ୍ତ ଯୁବତୀଙ୍କୁ କେନ୍ଦ୍ରାପଡା ତୁଳସୀ ମହାବିଦ୍ୟାଳୟ କ୍ବାରାଣ୍ଟିନ କେନ୍ଦ୍ରରେ ରଖାଯାଇଛି। ଏହି ଯୁବତୀମାନେ ବଲିଉଡ ଅଭିନେତା ସୋନୁ ସୁଦ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସୂଚନା ଅନୁସାରେ, ରାଜନଗର ବ୍ଲକର କଣ୍ତିରା, ବେଲପାଳ, କୁରୁଂଟି, ଚାନ୍ଦିବାଉଁଶମୂଳ, ସାତଭାୟା, ଈଶ୍ବରପୁର, ହାତୀନା, ବ୍ରାହ୍ମଣସାହି, ଗୁପ୍ତି, ଡେରା, ମହୁଲିଆ, ଓସ୍ତିଆ ଓ ପଟ୍ଟାମୁଣ୍ତାଇ ବ୍ଲକର ଖଣତା ପଂଚାୟତର ପ୍ରାୟ ୩ଶହ ଯୁବତୀ କେରଳର କିଟେକ୍ସ ଗାରମେଣ୍ଟସ୍‌ କମ୍ପାନିରେ କାମ କରନ୍ତି। ଆତ୍ମନିର୍ଭରଶୀଳ ହେବାପାଇଁ ଏହି ଯୁବତୀମାନେ କମ୍ପାନିରେ ସିଲାଇ କାମ କରୁଥିଲେ। କରୋନା ଯୋଗୁଁ ଲକ୍‌ଡାଉନ ଘୋଷଣା ହେବାପରେ ଯୁବତୀମାନେ ସେଠାରେ ଫସି ରହିଥିଲେ। ସରକାର ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ ପଞ୍ଜୀକରଣ କରିବାକୁ ବାଧ୍ୟତାମୂଳକ କରିଥିଲେ। ଯୁବତୀମାନେ ସେମାନଙ୍କ ପଞ୍ଜୀକରଣ ବି କରିଥିଲେ। ସରକାର ଟ୍ରେନ୍‌ ଯୋଗେ କେରଳରୁ ପ୍ରବାସୀ ଓଡିଆଙ୍କୁ ଆଣିବା ଆରମ୍ଭ କରିବା ପରେ ଝିଅମାନେ ଗାଁକୁ ଆସିବାକୁ ବାହାରି ଥିଲେ। କମ୍ପାନି ମାଲିକ ଏହା ଜାଣିବା ପରେ ସେମାନଙ୍କୁ କିନ୍ତୁ ଯିବାକୁ ଦେଇ ନଥିଲେ। ସେମାନଙ୍କ ଠାରୁ ଚାକିରିରୁ ଇସ୍ତଫାପତ୍ରରେ ଦସ୍ତଖତ କରାଇ ନେଇଥିଲେ। ଗତ ୧ମାସ ହେଲା ଖାଇବା ପାଇଁ ଦିନକୁ ୧୫୦ ଟଙ୍କା ଦାବି କରିଥିଲେ। ଏପରିକି ସେମାନଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ସଂପର୍କରେ ଯୁବତୀମାନେ ଏକ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଥିଲେ। ସୋସିଆଲ ମିଡିଆ ପୋଷ୍ଟକୁ ଧନିଆ ରାଜେନ୍ଦ୍ର ଟୁଇଟ୍‌ କରିଥିଲେ। ଏହାପରେ ସୋନୁ ସୁଦ୍‌ ଏର୍ଣ୍ଣାକୁଲମରେ ଫସିଥିବା ଯୁବତୀମାନଙ୍କୁ ଓଡିଶାରେ ପହଁଚାଇବା ପାଇଁ ସମସ୍ତ ଉଦ୍ୟମ କରିଥିଲେ। ପ୍ରଥମେ ବସ୍‌ ଯୋଗେ ସେମାନଙ୍କୁ ଆଣିବାକୁ ଆଲୋଚନା ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ୧୬୯ଜଣ ଓଡିଆ ଝିଅଙ୍କୁ ଓଡିଶା ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ବିମାନର ସମସ୍ତ ଖର୍ଚ୍ଚ ସୋନି ସୁଦ୍‌ ବହନ କରିଛନ୍ତି।

କେରଳରୁ ଫେରିଥିବା ଈଶ୍ବରପୁର ପଂଚାୟତ ମଧୁପୁର ଗାଁର ମନମୋହନ ସାମଲଙ୍କ ଝିଅ ମଧୁସ୍ମିତା ସାମଲଙ୍କ ସୂଚନା ମୁତାବକ କମ୍ପାନି ସେମାନଙ୍କ ଠାରୁ ଇସ୍ତଫାପତ୍ରରେ ସ୍ବାକ୍ଷର କରି ନେଇଥିଲା। ମାର୍ଚ୍ଚ ମାସର ଦରମା ବି ଦେଇ ନାହାନ୍ତି। ସେଠାକାର ପୁଲିସ କମ୍ପାନି ଖାଇବାକୁ ନଦେଲେ ଫୋନ କରି ଜଣାଇବାକୁ କହିଥିଲେ। କିନ୍ତୁ ଖାଇବାକୁ ନପାଇ ପୁଲିସକୁ ଜଣାଇବା ପରେ ପୁଲିସ ସମସ୍ୟା ନବୁଝି ଓଲଟା ଖରାପ ବ୍ୟବହାର କରିଥିଲା। ବଲିଉଡ ଅଭିନେତା ବିମାନ ଯୋଗେ ଆମକୁ ଓଡିଶା ଆଣିଛନ୍ତି ଓ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ କରିଛନ୍ତି। ୨ମାସ ନିର୍ଯାତିତ ହେବାପରେ ଓଡିଶା ମାଟିରେ ପାଦଦେବା ପରେ ଅତ୍ୟନ୍ତୁ ଖୁସି ବୋଲି ସେ କହିଛନ୍ତି। ବିମାନ ବନ୍ଦରରେ ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଅଂଶୁମାନ ମହାନ୍ତି ପହଞ୍ଚି ରାଜନଗର ଅଂଚଳର ଝିଅମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ବଲିଉଡ ଅଭିନେତା ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ରାଜନଗର ବିଧାୟକ ଧ୍ରୁବ ସାହୁ ଓ ପୂର୍ବତନ ବିଧାୟକ ଶ୍ରୀ ମହାନ୍ତି କେନ୍ଦ୍ରାପଡା ତୁଳସୀ ମହିଳା ମହାବିଦ୍ୟାଳୟରେ ପହଞ୍ଚି ସମସ୍ତଙ୍କୁ ଖାଦ୍ୟ ପୁଡ଼ିଆ ଯୋଗାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର