ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଭର୍ଚୁଆଲ ମାଧ୍ୟମରେ ଓଡ଼ିଶାରେ ତିନିଟି ନୂତନ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଶୁଭାରମ୍ଭ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍ରେ ବସି ବ୍ରହ୍ମପୁର ନିକଟସ୍ଥ ଜଗନ୍ନାଥପୁର ଷ୍ଟେସନରୁ ଭୁବନେଶ୍ବର ଫେରିଥିଲେ। ଏହି ଅବସରରେ ଟ୍ରେନ୍ରେ ଉପସ୍ଥିତ ଥିବା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜିଠାରୁ ଓଡ଼ିଶାରେ ରେଳ ବିକାଶର ସୁବର୍ଣ୍ଣ ଯୁଗ ଆରମ୍ଭ ହେଲା। ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ପକ୍ଷରୁ କୃତଜ୍ଞତା ଦେବା ସହ କହିଛନ୍ତି ଯେ ବର୍ତ୍ତମାନ ଓଡ଼ିଶାର ଗୋଟିଏ ଦୁଇଟି ଜିଲ୍ଲାକୁ ବାଦ୍ ଦେଇ ଅନ୍ୟ ସମସ୍ତ ଜିଲ୍ଲାକୁ ରେଳ ସଂଯୋଗ ହୋଇଛି। ଖୁବ ଶୀଘ୍ର ରାଜ୍ୟର ସବୁ ଜିଲ୍ଲା ସଦର ମହକୁମାକୁ ରେଳ ସଂଯୋଗ କରାଯିବ ଏବଂ ଆଗାମୀ ଦିନରେ ଉପଖଣ୍ଡସ୍ତର ପର୍ଯ୍ୟନ୍ତ ରେଳ ସଂଯୋଗୀକରଣ ପାଇଁ ଲକ୍ଷ୍ୟ ରଖାଯାଇଛି।
ବନ୍ଦେ ଭାରତ ଟ୍ରେନ୍ରେ ବ୍ରହ୍ମପୁରରୁ ଭୁବନେଶ୍ବର ଆସିଲେ ମୁଖ୍ୟମନ୍ତ୍ରୀ
ଉପଖଣ୍ଡସ୍ତର ପର୍ଯ୍ୟନ୍ତ ରେଳ ସଂଯୋଗୀକରଣ କରିବା ଲକ୍ଷ୍ୟ
ଟ୍ରେନ୍ରେ ଛାତ୍ରଛାତ୍ରୀ ଓ ଯାତ୍ରୀଙ୍କ ସହ ଆଲୋଚନା କଲେ
ମୁଖ୍ୟମନ୍ତ୍ରୀ କହିଥିଲେ ଦିଲ୍ଲୀ ଗସ୍ତ ସମୟରେ ସେ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହିତ ଓଡ଼ିଶାରେ ରେଳ ବିକାଶ ସଂପର୍କରେ ଆଲୋଚନା କରିଥିଲେ। ରେଳମନ୍ତ୍ରୀ କହିଥିଲେ ମୋଦୀଜୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର ଓଡ଼ିଶାରେ ରେଳ ବିକାଶ ପାଇଁ ସମସ୍ତ ସହଯୋଗ ଜାରି ରଖିବେ। ୨୦୧୪ ମସିହାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାରେ ରେଳ ବିକାଶ ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଛି। ଓଡ଼ିଶାରେ ରେଳ ଭିତ୍ତିଭୂମି ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ପୂର୍ବ ସରକାରଙ୍କ ସମୟରେ ବିଶେଷ ସହଯୋଗ ମିଳୁ ନଥିଲା। ବର୍ତ୍ତମାନ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଚାଲିଥିବାରୁ ରେଳ ବିକାଶ ପାଇଁ ଉପୁଜୁଥିବା ସମସ୍ତ ପ୍ରତିବନ୍ଧକକୁ ହଟାଯାଇ ରେଳ ବିକାଶ ପ୍ରକ୍ରିୟା ଆହୁରି ତ୍ବରାନ୍ବିତ କରାଯିବ।
ଓଡ଼ିଶାରେ ରେଳ ବିକାଶ ହେଲେ ରାଜ୍ୟର ପର୍ଯ୍ୟଟନ, ବାଣିଜ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି ଆସିବା ସହିତ ଆମର ଅର୍ଥନୀତି ସୁଦୃଢ଼ ହେବ। ମୁଖ୍ୟମନ୍ତ୍ରୀ ରେଳ ଯୋଗେ ଆସିବା ସମୟରେ ଚିଲିକାର ମନୋରମ ଦୃଶ୍ୟ ଦେଖି ଅଭିଭୂତ ହୋଇଥିଲେ । ବନ୍ଦେ ଭାରତ ଟ୍ରେନ୍ରେ ଆସୁଥିବା ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରି ଏହି ଅତ୍ୟାଧୁନିକ ବନ୍ଦେ ଭାରତ ଟ୍ରେନ୍ ସଂପର୍କରେ ବୁଝାଇଥିଲେ ଏବଂ କହିଥିଲେ ଯେ ତୁମମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଆଜି ଓଡ଼ିଶାରେ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି। ତୁମମାନଙ୍କ ପାଇଁ ସବୁ କ୍ଷେତ୍ରରେ ଅତ୍ୟାଧୁନିକ ସୁବିଧା ସୁଯୋଗ ସୃଷ୍ଟି କରାଯାଉଛି। ଏହି ଟ୍ରେନ୍ରେ ଥିବା ଅନ୍ୟ ଯାତ୍ରୀଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସଂପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ଟ୍ରେନ୍ ଯୋଗେ ଭୁବନେଶ୍ବର ଫେରିଥିଲେ। ବାଲୁଗାଁ ଷ୍ଟେସନଠାରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସାଂସଦ ସମ୍ବିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଖୋର୍ଦ୍ଧା ରୋଡ ଷ୍ଟେସନରୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଭୁବନେଶ୍ବର ପର୍ଯ୍ୟନ୍ତ ଆସିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/04NrMQQhb93vMCFbFKcv.jpg)