ଭୁବନେଶ୍ବର: ଭୁବନେଶ୍ୱର ଓ ପୁରୀ ରେଳ ଷ୍ଟେସନରେ ବିଶ୍ୱସ୍ତରୀୟ ସୁବିଧା ଯୋଗାଇବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନିଶ୍ଚିତ କରିଛନ୍ତି। ବର୍ତ୍ତମାନ ଉଭୟ ପ୍ରକଳ୍ପ ପାଇଁ ଟେଣ୍ଡର କାର୍ଯ୍ୟ ସମ୍ପାଦନ ହୋଇସାରିଛି। ଜୁନ୍ ଶେଷ ସପ୍ତାହରେ ପୁରୀ ପ୍ରକଳ୍ପ ପାଇଁ ଟେଣ୍ଡର ଖୋଲାଯାଇଛି। ଖୁବ୍‌ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଥିସହ ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ନୂତନ ଲାଇନ୍‌ର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି। ଅନ୍ୟାନ୍ୟ ନୂତନ ପ୍ରକଳ୍ପ, ଦୋହରୀକରଣ ଓ ତୃତୀୟ ଲାଇନ କାର୍ଯ୍ୟ ଶୀଘ୍ର କରିବାକୁ ପ୍ରାଥମିକତା ଦିଆଯାଉଛି। ଓଡ଼ିଶାବାସୀଙ୍କ ଆକାଂକ୍ଷା ପୂରଣ କରିବାକୁ ରେଳବାଇ ପ୍ରତିଶ୍ରୁତିବଦ୍ଧ ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।

Advertisment

ରଥ ଯାତ୍ରା ପାଇଁ ୨୦୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ବ୍ୟବସ୍ଥା ହୋଇଛି। ପୂର୍ବତଟ ରେଳପଥ ପକ୍ଷରୁ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଅନେକ ସୁବିଧା ଯୋଗାଇ ଦିଆଯାଇଛି। ଏଥି ମଧ୍ୟରେ ସୁରକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ଫାଷ୍ଟଏଡ ସୁବିଧା, ଅତିରିକ୍ତ ଟିକେଟ୍ କାଉଣ୍ଟର୍‌ ଆଦି ରହିଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ ଷ୍ଟେସନ୍‌ ଅଞ୍ଚଳରେ ଶହେରୁ ଅଧିକ ସିସିଟିଭି କ୍ୟାମେରା, ଡ୍ରୋନ୍ କ୍ୟାମେରା, ୬୦୦ରୁ ଅଧିକ ଆରପିଏଫ୍‌ କର୍ମଚାରୀ ଓ ୨୦୦ ରେଳ ସ୍ବେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ରେଳ ଯାତ୍ରୀଙ୍କ ସୁବିଧା ପାଇଁ ୪୦ରୁ ଅଧିକ ଟିକେଟ୍ ବୁକିଂ କାଉଣ୍ଟର, ୧୦ଟି ଅଣ ସଂରକ୍ଷିତ ଟିକେଟ୍‌ ପ୍ରଣାଳୀ, ହ୍ୟାଣ୍ଡ-ହେଲ୍ଡ କାଉଣ୍ଟର ଏବଂ ଅନେକ ମୋବାଇଲ୍ କାଉଣ୍ଟର ବ୍ୟବସ୍ଥା କରାଯାଇଛି।

ପ୍ରଥମଥର ପାଇଁ ସଡ଼କ ଯାନରେ ରେଳ ଟିକେଟ ବିକ୍ରି ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି। ୧୫ ହଜାର ତୀର୍ଥଯାତ୍ରୀଙ୍କ ପାଇଁ ବିଶ୍ରାମଗାର, ୫୦ ହଜାର ଗରିବ ତୀର୍ଥଯାତ୍ରୀଙ୍କ ଲାଗି ରେଳପଥ ପକ୍ଷରୁ ମାଗଣା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଯାତ୍ରୀମାନଙ୍କୁ ଉନ୍ନତ ଆରାମଦାୟକ ଯାତ୍ରା ଯୋଗାଇବା ପାଇଁ ଟ୍ରେନ ଗୁଡିକରେ ରାଜଧାନୀ ଏକ୍ସପ୍ରେସ କୋଚ ଭଳି ସୁବିଧା ଯୋଗାଇ ଦେବାକୁ ରେଳମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ ତାହା ପୂରଣ ହୋଇଛି। ଭୁବନେଶ୍ୱର-ନୂଆଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସ, ପୁରୀ-ହଟିଆ ତାପସ୍ୱିନୀ ଏକ୍ସପ୍ରେସ, ବିଶାଖାପାଟଣା-କିରାଣ୍ଡୁଲ୍‌ ଏକ୍ସପ୍ରେସ, ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ ଓ ଭୁବନେଶ୍ୱର-ଆନନ୍ଦ ବିହାର ଟର୍ମିନାଲ ଟ୍ରେନଗୁଡ଼ିକରେ ଏହି ସୁବିଧା ଉପଲବ୍ଧ ହୋଇଛି।