ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ବ୍ୟବସ୍ଥା ନାହିଁ। ତେଣୁ ଖୁବ୍ ଶୀଘ୍ର ମିଲେଟ ଜାତୀୟ ସୁଆଁ ଏବଂ କାଙ୍ଗୁର ସର୍ବନିମ୍ନ ସହାୟକ ଦର(ଏମଏସ୍‌ପି) ଘୋଷଣା କରିବେ ରାଜ୍ୟ ସରକାର। ଏଥିପାଇଁ ଓୟୁଏଟି ପକ୍ଷରୁ ଡ୍ରାଫ୍ଟ ପ୍ରସ୍ତୁତ ସରିଛି। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଚାଷୀ ଏହାର ଲାଭ ଉଠାଇ ପାରିବେ ବୋଲି ଆଶା ରହିଛି। କେବଳ ଏହି ଦୁଇ ଫସଲ ନୁହେଁ ଓଡ଼ିଶାରେ ଉତ୍ପାଦିତ ମିଲେଟ୍ ଜାତୀୟ କୁଦୋ, ଗୁର୍ଜି, ମସଲାଜାତୀୟ ଗୋଲମରିଚ, ହଳଦୀ, ଲଙ୍କା, ଅଦା, କଫି ଏବଂ କୌଣସି ପରିବାଜାତୀୟ ଫସଲର ଏମଏସ୍‌ପି ନାହିଁ। ଏହାର ସହାୟକ ଦର ଘୋଷଣା ନେଇ ଆଲୋଚନାର ଆବଶ୍ୟକତା ରହିଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି।

Advertisment

କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୩ ପ୍ରକାର କୃଷିଜାତର ସର୍ବନିମ୍ନ ସହାୟକ ଦର ଘୋଷଣା କରାଯାଏ। ଏଥିରେ ଧାନ, ଗହମ, ମକା, ମାଣ୍ଡିଆ ଭଳି ୭ ପ୍ରକାର ଖାଦ୍ୟଶସ୍ୟ, ୫ ପ୍ରକାର ଡାଲିଜାତୀୟ, ୭ ପ୍ରକାର ତୈଳବୀଜ, ୪ ପ୍ରକାର ଅର୍ଥକରୀ ଫସଲ ରହିଛି। ଓୟୁଏଟି ପ୍ରଫେସର ସର୍ବନାରାୟଣ ମିଶ୍ରଙ୍କ ଅନୁସାରେ, ଯେଉଁ ଉତ୍ପାଦର ବଜାର ଦର ଖର୍ଚ୍ଚ ଠାରୁ କମ ଥାଏ ଚାଷୀଙ୍କୁ ଶୋଷଣରୁ ରକ୍ଷା ପାଇଁ ଏମଏସ‌୍‌ପି ନିର୍ଧାରଣ କରାଯାଏ। ମିଲେଟ୍ ଜାତୀୟ ମାଣ୍ଡିଆର ଏମଏସ୍‌ପି ରହିଛି। ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ବିଣ୍ଟାଲ ହିସାବରେ ୩୫୭୮ ଟଙ୍କା ନିର୍ଧାରଣ କରାଯାଇଛି। ରାଜ୍ୟରେ ଉତ୍ପାଦିତ ସୁଆଁ ଏବଂ କାଙ୍ଗୁ କେଜି ହିସାବରେ ମାତ୍ର ୨୫ ଟଙ୍କା କିମ୍ବା ଆହୁରି କମ ଦରରେ ବ୍ୟବସାୟୀ ଚାଷୀଙ୍କ ଠାରୁ କ୍ରୟ କରନ୍ତି। ସ୍ଥିତି ଏଭଳି ହୁଏ ଯେ ଚାଷୀ ଖର୍ଚ୍ଚ ମଧ୍ୟ ଉଠାଇ ପାରେ ନାହିଁ। ବର୍ତ୍ତମାନ ମିଲେଟ୍ ମିସନରେ ମିଲେଟ୍ ଜାତୀୟ ଚାଷ ବୃଦ୍ଧି ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଥିବାରୁ ଓୟୁଏଟି ସହାୟତାରେ କୃଷି ବିଭାଗ ଏହାର ମୂଲ୍ୟ ନିର୍ଧାରଣ କରୁଛନ୍ତି।

କେନ୍ଦ୍ରର ବ୍ୟବସ୍ଥା ନାହିଁ, ଓୟୁଏଟି ସହାୟତାରେ ନିର୍ଧାରଣ
ମସଲାଜାତୀୟ, କଫି, ଆଳୁ, ପିଆଜ ବି ଏମଏସ୍‌ପି ବାହାର

ସୂତ୍ର ଅନୁସାରେ, ଉଭୟ ଉତ୍ପାଦର ଏମଏସ୍‌ପି ୪୦ ଟଙ୍କା ରଖାଯାଇଥିବା ଜଣାପଡ଼ିଛି। ସୁଆଁ ଏବଂ କାଙ୍ଗୁର ଏମଏସ୍‌ପି ନିର୍ଧାରିତ ହୋଇ ଚାଷୀଙ୍କୁ ସଫଳତା ମିଳିଲେ ଏମଏସ୍‌ପି ନଥିବା ଅନ୍ୟ କୃଷିଜାତର ସହାୟକ ଦର ନିର୍ଧାରଣ ପାଇଁ ସରକାରଙ୍କ ଉପରେ ଚାପ ରହିବ।

ରାଜ୍ୟରେ ଉତ୍ପାଦିତ ଆଳୁ, ପିଆଜ ଲୋକଙ୍କ ଚାହିଦା ପୂରଣ କରିପାରେ ନାହିଁ କିନ୍ତୁ ବିକ୍ରି ପାଇଁ ଚାଷୀ ଶୋଷଣର ଶିକାର ହୁଅନ୍ତି। ଆଳୁର ମାର୍କେଟିଂ ସମସ୍ୟା ଯୋଗୁଁ ଆଳୁ ମିସନ ଫେଲ ମାରିଥିବା ଚାଷୀମାନେ କୁହନ୍ତି। କୋରାପୁଟ କଫି ନାଁ କରିବାରେ ଲାଗିଛି। ରାଜ୍ୟରେ ୧.୪୬ ଲକ୍ଷ ହେକ୍ଟର କଫି ଚାଷର କ୍ଷମତା ଥିବା ନେଇ ଆକଳନ କରିଛି କଫି ବୋର୍ଡ। ସମୁଦାୟ କ୍ଷମତାର ମାତ୍ର ୧ରୁ୩ ପ୍ରତିଶତ କଫି ଉତ୍ପାଦନ କରାଯାଇ ପାରୁଛି। କୋରାପୁଟ ବ୍ୟତୀତ ରାୟଗଡ଼ା(ବିଶେଷକରି କାଶୀପୁର ବ୍ଲକ), ଗଜପତି, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝରରେ ମଧ୍ୟ ଚାଷୀମାନେ କଫି ଚାଷ କରୁଛନ୍ତି। ମାଲକାନଗିରି, ଗଞ୍ଜାମ ଏବଂ ସୁନ୍ଦରଗଡ଼ରେ କଫି ଉତ୍ପାଦନ କରାଯାଇ ପାରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। କୋରାପୁଟ କଫି ସରକାରଙ୍କ ପକ୍ଷରୁ କ୍ରୟ କରାଯାଉଛି। ଏଥିପାଇଁ ଦର ନିର୍ଧାରଣ କରାଯାଇଛି। ଅନ୍ୟ ଜିଲ୍ଲା ଚାଷୀ ବିକ୍ରି ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ରାଜ୍ୟରେ ୧ ଲକ୍ଷ ୫୯ ହଜାର ହେକ୍ଟରରେ ମସଲାଜାତୀୟ ଯଥା ଅଦା, ଗୋଲମରିଚ, ଲଙ୍କା ଆଦି ଚାଷ କରାଯାଉଛି। ଏହାର ବିକ୍ରୟ ନେଇ ଚାଷୀ ଶୋଷଣର ଶିକାର ହେଉଛନ୍ତି। କେବଳ ଧାନ ଚାଷର ଏମଏସପି ଚାଷୀଙ୍କୁ ଲାଭ ଦିଏ। ଅନ୍ୟ ଫସଲ ମଧ୍ୟରେ ମିଲେଟ୍ ମିସନ କାର୍ଯ୍ୟକାରୀ ହେଉଥିବା ୧୯ ଜିଲ୍ଲାରେ ମିଲେଟ୍ ସଂଗ୍ରହ, ୧୧ ଜିଲ୍ଲାରେ କପା, ୬ ଜିଲ୍ଲାରେ ନାଫେଡ୍ ପକ୍ଷରୁ ତୈଳବୀଜ ଏବଂ ଡାଲିଜାତୀୟ ସଂଗ୍ରହ ହୁଏ। ଚାଷୀ ସଙ୍ଗଠନ ଅନୁସାରେ, କେବଳ ଧାନ ଏବଂ ବର୍ତ୍ତମାନ ମିଲେଟ୍ ଏମଏସପି ଚାଷୀଙ୍କ ପାଇଁ ସହାୟକ ହେଉଛି। ଅନ୍ୟ ଉତ୍ପାଦ ବିଶେଷକରି ଡାଲି ଏବଂ ତୈଳବୀଜ ଏମଏସ୍‌ପି ନାମମାତ୍ର ହୋଇ ରହିଛି। ଏହି ଉଭୟ ଉତ୍ପାଦର ବ୍ୟାପକ ଚାହିଦା ଦୃଷ୍ଟିରୁ ସରକାର ପ୍ରତ୍ୟେକ ଜିଲ୍ଲାରେ ଏହାର କ୍ରୟ ସହିତ ଏହାର ଉପଯୋଗ ବ୍ୟବସ୍ଥା କରିବାକୁ ଦାବି ହେଉଛି।