ପୁରୀ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଓ ଆଉ କିଛି ରହସ୍ୟମୟ ଭଣ୍ଡାର ଅଛି କି? ମରାମତି ସମ୍ପର୍କିତ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଅତ୍ୟାଧୁନିକ ଉପାୟରେ ଉଭୟ ବାହାର ଓ ଭିତର ରତ୍ନଭଣ୍ଡାରର ତନ୍ନତନ୍ନ କରି ଯାଞ୍ଚ କରିବାକୁ ଆଜି ରତ୍ନଭଣ୍ଡାର ଯାଞ୍ଚ କମିଟିର ନିଷ୍ପତ୍ତି ଏଭଳି କିଛି ସନ୍ଦେହ ସୃଷ୍ଟି କରିଛି। କୌଣସି ସ୍ଥାନରେ ଅନ୍ୟ କିଛି ଅଳଙ୍କାର ରହି ଯାଇଥିବା ସନ୍ଦେହରେ ଏଭଳି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି କମିଟି। ଏଥିପାଇଁ ଏସ୍ଓପି ବି ପ୍ରସ୍ତୁତ ହୋଇଛି। ଏସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଉପରେ ଦାୟିତ୍ବ ନ୍ୟସ୍ତ କରାଯାଇଛି।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅନୁଧ୍ୟାନ ସହ ମରାମତି, ଗଣତି ଓ ମଣତି ପ୍ରକ୍ରିୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କମିଟି ସଦସ୍ୟଙ୍କ ମତପ୍ରସ୍ତାବ ଗ୍ରହଣ ପରେ ରତ୍ନଭଣ୍ଡାରର ଆବଶ୍ୟକ ମରାମତି ପୂର୍ବରୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଚଟାଣ, କାନ୍ଥ ଆଦିର ସଂପୂର୍ଣ୍ଣ ଯାଞ୍ଚ କରିବାକୁ କମିଟି ନିଷ୍ପତ୍ତି ନେଇଛି। ଅଧ୍ୟକ୍ଷ ଜଷ୍ଟିସ ରଥ କହିଛନ୍ତି, ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର ପରେ ଆମେ ମରାମତି କାମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲୁ। ଯେହେତୁ ରତ୍ନଭଣ୍ଡାର ସହ ଭକ୍ତଙ୍କ ଭାବାବେଗ ଜଡ଼ିତ ରହିଛି ଓ ସାଧାରଣରେ ଏକ ସନ୍ଦେହ ରହିଛି କି ରତ୍ନଭଣ୍ଡାର ଭିତରେ ଅନ୍ୟ କିଛି ଅଳଙ୍କାର ଗୁପ୍ତ ଅବସ୍ଥାରେ ରହିଛି, ଅନେକ ପୁସ୍ତକରେ ବି ଏ ସଂପର୍କରେ ଉଲ୍ଲେଖ କରାଯାଇଛି, ସେ ସନ୍ଦେହ ଦୂର ପାଇଁ ଆମେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛୁ। ଏ ସଂପର୍କରେ ଆଜିର ବୈଠକରେ ଉପସ୍ଥିତ ଏଏସ୍ଆଇ ଅଧିକାରୀଙ୍କ ସହ ବି ଆଲୋଚନା ହୋଇଛି।
ଏସ୍ଓପି ପ୍ରସ୍ତୁତ କଲା କମିଟି
ଅନ୍ୟତ୍ର ସ୍ଥାନାନ୍ତର ହେବ ରତ୍ନଭଣ୍ଡାର ସିନ୍ଦୁକ, ଆଲମିରା
‘ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରୁଜୁ ହେବ ଆପରାଧିକ ମାମଲା’
କମିଟି ନିଷ୍ପତ୍ତିକ୍ରମେ ଆମେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଏ ଦିଗରେ ବିଧିବଦ୍ଧ ନିଷ୍ପତ୍ତି ନେଇ ରାଜ୍ୟ ସରକାରଙ୍କୁ ସୁପାରିସ କରିବାକୁ କହିଛୁ। ଯଦ୍ବାରା ଭବିଷ୍ୟତରେ କିଛି ଦ୍ବନ୍ଦ୍ବ କି ସନ୍ଦେହ ରହିବନି। ମନ୍ଦିରକୁ ଅକ୍ଷତ ଓ ସୁରକ୍ଷିତ ରଖି ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର ପୂର୍ବକ ଯାଞ୍ଚ ପ୍ରକ୍ରିୟା ଶେଷ ହେବ ସେ ଉପରେ ଆମେ ଯଥେଷ୍ଟ ଗୁରୁତ୍ବ ଦେଇଛୁ ବୋଲି ଜଷ୍ଟିସ ରଥ କହିଛନ୍ତି। ଯଦି ଯାଞ୍ଚ ପରେ କିଛି ସେଭଳି ପରିସ୍ଥିତି ନ ଉପୁଜେ, ଅଳଙ୍କାର ନ ମିଳେ, ତେବେ ପରବର୍ତ୍ତୀ ପ୍ରକ୍ରିୟା ହେଉଛି ମରାମତି କାମ ଓ ସେ ଦିଗରେ ଆମେ ଆଗେଇବୁ। ଯଦି କିଛି ସେଭଳି ଗୁପ୍ତ ଅବସ୍ଥାରେ ଅଳଙ୍କାର କି ଅନ୍ୟ କିଛି ଜିନିଷ ମିଳିଲା, ତେବେ ପ୍ରକ୍ରିୟା ଭିନ୍ନ ହେବ। ଏ ସଂପର୍କିତ ଏସ୍ଓପି ପ୍ରସ୍ତୁତ କରି ଆମେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ପ୍ରଦାନ କରିବା ସହ ତତ୍କାଳ ଏ ଦିଗରେ ପଦକ୍ଷେପ ନେବାକୁ ପରିଚାଳନା କମିଟିକୁ ଅନୁରୋଧ କରିଛୁ। କମିଟି ଏସ୍ଓପିରେ ଯଦି ଚାହିବ ଆବଶ୍ୟକ ସଂଶୋଧନ କରି ରାଜ୍ୟ ସରକାରଙ୍କୁ ପଠାଇ ପାରିବ। ବାକି ଆମେ ରାଜ୍ୟ ସରକାରଙ୍କୁ ବି ଏ ଦିଗରେ ତତ୍କାଳ ପଦକ୍ଷେପ ନେବାକୁ ଅନୁରୋଧ କରୁଛୁ ବୋଲି ଜଷ୍ଟିସ୍ ରଥ କହିଛନ୍ତି। ମରାମତି ପରେ ଗଣତି ମଣତି ଆରମ୍ଭ ହେବ। ୧୯୭୮ ମସିହା ତଥ୍ୟ ଆଧାରରେ ଅଳଙ୍କାର ମେଳକ କରାଯିବ। ରତ୍ନଭଣ୍ଡାର ଅଳଙ୍କାରର ସବିଶେଷ ତଥ୍ୟ ପ୍ରସ୍ତୁତ ହେବ ଓ ସାର୍ବଜନୀନ କରାଯିବ ବୋଲି ଜଷ୍ଟିସ୍ ରଥ କହିଛନ୍ତି।ଦର୍ଶନ ଓ ନୀତିକାନ୍ତି ଯେଭଳି ପ୍ରଭାବିତ ନହୋଇ କାମ ହେବ ତାକୁ ଆମେ ଗୁରୁତ୍ବ ଦେଉଛୁ। ଏ ଦିଗରେ ଛତିଶାନିଯୋଗର ବି ସହଯୋଗ ନିଆଯିବ ବୋଲି ଜଷ୍ଟିସ ରଥ କହିଛନ୍ତି।
ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ସହ ଅଳଙ୍କାର ଗଣତି ଓ ମଣତି ପୂର୍ବରୁ ପୁରୁଣ ସିନ୍ଦୁକ ଓ ଆଲମିରାକୁ ସଂରକ୍ଷଣ ଦୃଷ୍ଟିରୁ ଅନ୍ୟ ଏକ ଘରକୁ ଏହା ସ୍ଥାନାନ୍ତର ହେବ। କେଉଁ ଘରକୁ ଏହା ସ୍ଥାନାନ୍ତର ହେବ, ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେବ ବୋଲି ଜଷ୍ଟିସ୍ ରଥ କହିଛନ୍ତି। ଅପରପକ୍ଷେ ଯେହେତୁ ଏହା ପୁରାତନ ସିନ୍ଦୁକ ଓ ଆଲମିରା, ଏହା କେତେ ବର୍ଷ ପୁରୁଣା ଅଦ୍ୟାବଧି ଜଣାପଡ଼ିନି, ସେ ଦୃଷ୍ଟିରୁ ଏହାକୁ କୌଣସି ମ୍ୟୁଜିୟମରେ ରଖାଯାଇପାରେ ବୋଲି ଶୁଣିବାକୁ ମିଳୁଛି। ପୂର୍ବରୁ ବି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଏ ସଂପର୍କିତ ପ୍ରାକ୍ ସୂଚନା ଦେଇଥିଲେ। ଆବଶ୍ୟକ ପଡ଼ିଲେ, ଏହାକୁ ମ୍ୟୁଜିୟମରେ ରଖାଯିବ ଉପରେ କୌଣସି ନୀତିଗତ ନିଷ୍ପତ୍ତି ନିଆଯାଇ ପାରେ ବୋଲି କହିଥିଲେ। ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆପରାଧିକ ମାମଲା ରୁଜୁ ହେବ ବୋଲି ରତ୍ନଭଣ୍ଡାର ଯାଞ୍ଚ କମିଟି ସଦସ୍ୟ ଜଗଦୀଶ ମହାନ୍ତି। ଶ୍ରୀ ମହାନ୍ତି କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ସମୟରେ ଆମକୁ କାଟିବାକୁ ପଡ଼ିଲା। ଯେଉଁ ଚାବି ଯାଇଥିଲା, ସେଥିରେ ତାଲା ଖୋଲିଲାନି। ଏଥିରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେଉଁ ଚାବି ଯାଇଥିଲା, ତାହା ଅସଲ ନ ଥିଲା ଏବଂ ଚାବି ମିଳିଯାଇଛି ବୋଲି ଯେଉଁ କଥା କୁହାଯାଉଥିଲା, ତାହା ସଂପୂର୍ଣ୍ଣ ମିଥ୍ୟା। ଆଇନରେ ଉଲ୍ଲେଖ ରହିଛି, ଚୋରି ପାଇଁ ତିନିଟି ଦଫା ରହିଛି, ଯାହା ଦଣ୍ଡନୀୟ ଅପରାଧ। କୌଣସି ଲୋକ ଚୋରି ପ୍ରୟାସ କରିଥିଲା ଓ ଏଥିପାଇଁ ନକଲି ଚାବି ତିଆରି କରିଥିଲା, ପ୍ରମାଣିତ ହୋଇସାରିଛି। ବାକି ଚୋରି ହୋଇଛି କି ନାହିଁ, ତାହା ଜଣାପଡ଼ିବାକୁ ବାକି ରହିଛି। ତଦନ୍ତ ପରେ ଜଣାପଡ଼ିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।