ଖୁବ୍‌ଶୀଘ୍ର ପୁଲିସ ବିଭାଗରେ ବଡ଼ ଅଦଳବଦଳ: ଜିଲ୍ଲା ଏସ୍‌ପି, ରେଞ୍ଜ୍‌ ଡିଆଇଜି, ଆଇଜି ସ୍ତରରେ ବି ପରିବର୍ତ୍ତନ

ଭୁବନେଶ୍ବର ଡିସିପି: ଦୌଡ଼ରେ ପିନାକ୍ ମିଶ୍ର ଆଗରେ, ୪ ମାସ ହେଲା ଡିଏସ୍‌ପି ପଦୋନ୍ନତି ପାଇ ବସିଛନ୍ତି

ଭୁବନେଶ୍ବର: ପୁଲିସ ଡିଜି ପଦରେ ଅଭିଷିକ୍ତ ପରେ ଅନେକ ଅଧିକାରୀ ନିଜସ୍ବ ଟିମ୍‌ ଗଠନ କରିବାର ନଜିର ରହିଛି। ଡିଜିପି ସୁନୀଲ୍‌ ବଂଶଲ୍‌ ଏହି ଧାରାରେ ଯିବାକୁ ଚାହୁଁଥିଲେ କି ନା, ତାହା ଭିନ୍ନ କଥା। କିନ୍ତୁ ଆଇଜି, ଡିଆଇଜି ସ୍ତରରେ ପଦୋନ୍ନତି ପରେ ମୁଣ୍ଡ ଉପରେ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ ବଡ ଧରଣର ଅଦଳବଦଳ କରିନଥିଲେ। ଆସନ୍ତା ୯ ତାରିଖରେ ନିର୍ବାଚନ ପ୍ରକ୍ରିୟା ଶେଷ ହେଉଥିବା ପରିପ୍ରେକ୍ଷୀରେ ପୁଲିସ ବିଭାଗରେ ଏ ସଂକ୍ରାନ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। କମିସନରେଟ୍ ପୁଲିସରେ ବି ପରିବର୍ତ୍ତନ ସମ୍ଭାବନାକୁ ଏଡ଼ାଇ ଦେଇ ହେଉନାହିଁ। ଅଧିକାଂଶ ଜିଲ୍ଲାର ଏସ୍‌ପି ବି ବଦଳିବେ। ଏହାକୁ ନେଇ ପୁଲିସ ମହଲରେ ଏବେଠାରୁ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି।

ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ଡିଆଇଜି ପାହ୍ୟାକୁ ପଦୋନ୍ନତି ପାଇ ସାରିଛନ୍ତି। ନିର୍ବାଚନ ଦୃଷ୍ଟିରୁ ସରକାର ତାଙ୍କୁ ଅଟକାଇ ଦେଇଥିଲେ। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୁରୁତ୍ବପୂର୍ଣ୍ଣ ଏହି ପଦବି ଲାଗି ରାଜ୍ୟ ପୁଲିସର ଦୁଇଜଣ ଅଫିସରଙ୍କ ନାମକୁ ନେଇ ସରକାର ବିଚାର ଆଲୋଚନା କରୁଛନ୍ତି। ବ୍ରହ୍ମପୁର ଏସ୍‌ପି ପିନାକ୍‌ ମିଶ୍ରଙ୍କ ନାଁ ଆଗରେ ରହିଛି। କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନାମ ଉପରେ ପୁଲିସ ମୁଖିଆ ଗୁରୁତର ସହିତ ଚିନ୍ତା କରୁଛନ୍ତି। ସେବାୟତଙ୍କୁ ହତ୍ୟା, ପୁରୀ ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଓ ଅନ୍ୟ କେତେକ ଘଟଣାରେ ପୁରୀ ପୁଲିସ ବିବାଦରେ। ସେଠାରେ କାର୍ଯ୍ୟରତ ଏସ୍‌ପି କେ.ବି. ସିଂହଙ୍କର ବଦଳି ହେବ ବୋଲି ଚର୍ଚ୍ଚା ଜୋର୍ ଧରିଛି। ମମିତା ମେହେର ଘଟଣାରେ ଟର୍ଚ୍ଚାକୁ ଆସିଥିବା କଳାହାଣ୍ଡି ଓ ବଲାଙ୍ଗୀର ପୁଲିସ ମଧ୍ୟ ବିପଦମୁକ୍ତ ନୁହନ୍ତି। ପାଖାପାଖି ଦୁଇବର୍ଷ ଧରି ଗୋଟିଏ ଜିଲ୍ଲାରେ ଥିବା କିଛି ଏସ୍‌ପିଙ୍କ ନାମ ବି ବଦଳି ତାଲିକାରେ ରହିଛି। କିଛି ଜିଲ୍ଲାରେ ଏସ୍‌ପି ଡିଆଇଜି ପାହ୍ୟାକୁ ପଦୋନ୍ନତି ପାଇବା ପୂର୍ବରୁ ସିଲେକ୍ସନ୍ ଗ୍ରେଡ୍‌କୁ ଯାଇଛନ୍ତି। ୨୦୨୩ ଜାନୁଆରି ସୁଦ୍ଧା ସେମାନେ ଡିଆଇଜି ପାହ୍ୟାକୁ ପଦୋନ୍ନତି ପାଇବେ। ତେଣୁ ସେମାନଙ୍କର ମଧ୍ୟ ବଦଳି ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍ ଓ ଇଓଡବ୍ଲୁ ଡିଆଇଜି ଦାୟିତ୍ବ ତୁଲାଉଥିବା ଜୟନାରାୟଣ ପଙ୍କଜ ରାଉରକେଲାସ୍ଥିତ ପଶ୍ଚିମାଞ୍ଚଳ ଡିଆଇଜି ଦାୟିତ୍ବ ତୁଲାଉଛନ୍ତି। ତେଣୁ ତାଙ୍କର ବଦଳି ହେବା ଏକପ୍ରକାର ନିଶ୍ଚିତ। ଉମାଶଙ୍କର ଦାଶଙ୍କୁ ମଧ୍ୟ ନୂଆ ନିଯୁକ୍ତି ମିଳିବ। ଏ ଦୃଷ୍ଟିରୁ ରେଞ୍ଜ ଓ ଡିଆଇଜି ସ୍ତରରେ ଅଦଳବଦଳ ହେବ ବୋଲି ଜଣାପଡ଼ିଛି। ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ
ପ୍ରାୟ ଅଢ଼େଇ ବର୍ଷ ହେଲା ସେଠାରେ ଅଛନ୍ତି।

ଜିଲ୍ଲା ଏସ୍‌ପି, ରେଞ୍ଜ୍‌ ଡିଆଇଜି, ଆଇଜି ସ୍ତରରେ ବି ପରିବର୍ତ୍ତନ
ଭୁବନେଶ୍ବର ଡିସିପି: ଦୌଡ଼ରେ ପିନାକ୍ ମିଶ୍ର ଆଗରେ
ଅତିରିକ୍ତ ଡିଜି, ଡିଜି ପାହ୍ୟା ଅଧିକାରୀଙ୍କ ଚୌକି ବଦଳିବ
୪ ମାସ ହେଲା ଡିଏସ୍‌ପି ପଦୋନ୍ନତି ପାଇ ବସିଛନ୍ତି
ଇନ୍ସପେକ୍ଟର ସ୍ତରରେ ବ୍ୟାପକ ଅଦଳବଦଳ ନେଇ ସୂଚନା

ଡିଆଇଜି ପାହ୍ୟାରୁ ଆଇଜି ପାହ୍ୟାକୁ ପଦୋନ୍ନତି ପାଇ ସାରିଲେଣି। ତାଙ୍କର ବଦଳି ହେବାର ସମ୍ଭାବନା ରହିଛି। ଦକ୍ଷ ଅଫିସର ଭାବେ ପରିଚିତ ଅମିତାଭ ଠାକୁର ଆଇଜି ଅପରେସନ୍ ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଉଛନ୍ତି। ଦୁଇ ବର୍ଷରୁ ଅଧିକ ସମୟ ହେଲା ସେ ଏହି ସ୍ଥାନରେ ଅଛନ୍ତି। ତେଣୁ ତାଙ୍କର ମଧ୍ୟ ବଦଳି ହୋଇପାରେ। ମାଓ ମୁକାବିଲା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହୋଇଥିବାରୁ ଏଠାରେ ଜଣେ ଦକ୍ଷ ଅଫିସରଙ୍କୁ ନିଯୁକ୍ତି ମିଳିପାରେ। ସେହିପରି ଟ୍ରାଫିକ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଅଧ୍ୟକ୍ଷ ଥିବା ସତୀଶ ଗଜଭିୟେ ନିକଟରେ ଆଇଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ତେଣୁ ତାଙ୍କୁ କୌଣସି ଏକ ସ୍ଥାନରେ ନିଯୁକ୍ତି ମିଳିପାରେ।

ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ଦୁଇ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ଜାଗାରେ ରହିଲେଣି। ୧୯୮୮ ବ୍ୟାଚ୍‌ର ଆଇପିଏସ୍ ଅଫିସର ଅରୁଣ ରାୟ ଡିଜି ପାହ୍ୟାକୁ ପଦୋନ୍ନତି ପାଇବା ପରେ ଏବେ କମ୍ୟୁନିକେସନ୍‌ର ସ୍ପେସାଲ ଡିଜି ଅଛନ୍ତି। ସେ ଅଗ୍ନିଶମ ଡିଜି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି। ସରକାର ତାଙ୍କୁ କୌଣସି ପଦରେ ବସାଇ ପାରନ୍ତି। ତେଣୁ ଡିଜି ପାହ୍ୟାକୁ ବି ଅଦଳବଦଳ ଛୁଇଁପାରେ। ସେହିପରି ଅନ୍ତଃରାଜ୍ୟ ଡେପୁଟେସନ୍‌ରେ ଆସିଥିବା ବରିଷ୍ଠ ଓଡ଼ିଆ ଆଇପିଏସ୍ ଅଫିସର୍‌ ସୌମ୍ୟା ମିଶ୍ର ଅଗ୍ନିଶମ ଅତିରିକ୍ତ ଡିଜି ଭାବେ ଦାୟିତ୍ବ ତୁଲାଉଛନ୍ତି। ତେଣୁ ତାଙ୍କ ସରକାର କୌଣସି ଏକ ଗୁରୁତ୍ବପୂର୍ଣ୍ଣ ପଦବିରେ ନିଯୁକ୍ତି ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେହିପରି ବହୁ ଅଫିସର ଇନ୍ସପେକ୍ଟରରୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ଏହା ଭିତରେ ପ୍ରାୟ ୪ ମାସ ବିତି ଯାଇଥିଲେ ମଧ୍ୟ ସେମାନେ ଥାନାରେ ଓ କେତେକ ବିଭାଗରେ ଏବେ କାର୍ଯ୍ୟରତ ଅଛନ୍ତି। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସେମାନଙ୍କ ବଦଳି ହୋଇନଥିଲା। ଏବେ ନୂଆ ନିଯୁକ୍ତି ମିଳିବ ବୋଲି ଜଣାପଡ଼ିଛି। ସେମାନଙ୍କର ବଦଳି ହେଲେ, ଥାନାରେ ଆଇଆଇସି ଦାୟିତ୍ବ ତୁଲାଉଥିବା ଡିଏସ୍‌ପିଙ୍କ ସ୍ଥାନରେ ଇନ୍ସପେକ୍ଟରମାନଙ୍କୁ ନିଯୁକ୍ତ ଦିଆଯିବ। ତେଣୁ ଇନ୍ସପେକ୍ଟର ସ୍ତରରେ ମଧ୍ୟ ଅଦଳବଦଳ ହେବ ବୋଲି ସୂଚନା ମିଳିଛି। ଯଦି ଏଭଳି ହୁଏ ତାହେଲେ ଇନ୍ସପେକ୍ଟର ପାହ୍ୟାର ଅଧିକାରୀଙ୍କ ଅଭାବ ରହିବ। ତେଣୁ ୬ ବର୍ଷ ପୂରଣ କରି ସାରିଥିବା ସବଇନ୍ସପେକ୍ଟରଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଁ ବିଚାରକୁ ନିଆଯାଇଛି। ଏହା କାର୍ଯ୍ୟକାରୀ ହେଲେ ଇନ୍ସପେକ୍ଟର ଅଭାବ ପୂରଣ ହେବ ବୋଲି କୁହାଯାଉଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ପୁଲିସ ବିଭାଗରେ ଏହା ସବୁଠାରୁ ବଡ଼ ଅଦଳବଦଳ ହେବ ବୋଲି ଆଲୋଚନା ହେଉଛି।

 

ସମ୍ବନ୍ଧିତ ଖବର