ଭୁବନେଶ୍ବର: ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟର ପିଜି(ପୋଷ୍ଟ ଗ୍ରାଜୁଏଟ୍‌) ଓ ୟୁଜି(ଅଣ୍ଡର ଗ୍ରାଜୁଏଟ୍‌)ର ଶେଷ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହେବ। ଓଡ଼ିଶା ସମେତ ପଞ୍ଜାବ, ପଶ୍ଚିମବଙ୍ଗ, ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡ଼ୁ ସରକାର ଏହି ପରୀକ୍ଷାକୁ ବାତିଲ୍‌ କରିବାକୁ ଦାବି କରିବା ସତ୍ତ୍ବେ ମଧ୍ୟ ‌କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନିଷ୍ପତ୍ତିରେ ଅଟଳ ରହିଛି। ସେପ୍ଟେମ୍ବର ସୁଦ୍ଧା ପରୀକ୍ଷା କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ କହିଛି। ଯଦି ସେପ୍ଟେମ୍ବରରେ ସମ୍ଭବପର ନ ହୁଏ ତେବେ ପରବର୍ତୀ ସମୟରେ ପରୀକ୍ଷା କରିବାକୁ ପରାମର୍ଶ ମଧ୍ୟ ଦେଇଛି। ଶେଷ ସେମିଷ୍ଟର ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ମାର୍କ ଦିଆଗଲେ ତାହା ସେମାନଙ୍କ ଭବିଷ୍ୟତ ଉପରେ ପ୍ରଭାବ ପକାଇବ ବୋଲି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଦ୍ବାରା ଗଠିତ ବିଶେଷଜ୍ଞ କମିଟି ଯୁକ୍ତି ବାଢ଼ିଛି। ଏଥିସହ ପରୀକ୍ଷାକୁ ଆଖି ଆଗରେ ରଖି ୟୁଜିସି ପକ୍ଷରୁ ଏସ୍‌ଓପି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁଅର) ଜାରି କରାଯାଇଛି।

Advertisment

ସ୍ପଷ୍ଟ ଭାବେ କୁହାଯାଇଛି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ ଆଧାର କରି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ପରୀକ୍ଷା କରାଇବେ। ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ଉପରେ ଧ୍ୟାନ ଦେବେ। ଯଦି ଆବଶ୍ୟକ ପଡ଼େ ଶିକ୍ଷାନୁଷ୍ଠାନ ନିଜର ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିପାରିବେ। ଯଦି କୌଣସି ସ୍ଥାନରେ କଟକଣା ରହିଥିବ ସେଭଳି ସ୍ଥିତିରେ ଛାତ୍ରଛାତ୍ରୀ ଆଡମିଟ୍‌ କାର୍ଡ/ଆଇଡେଣ୍ଟି କାର୍ଡ ଦେଖାଇପାରିବେ। ପରୀକ୍ଷା ପରିଚାଳନାରେ ନିୟୋଜିତ ହେବାକୁ ଥିବା ପରୀକ୍ଷକ ଓ ଅନ୍ୟାନ୍ୟ ଅଧିକାରୀଙ୍କ ଚଳପ୍ରଚଳ ଯେପରି ସୁବିଧାରେ ହୋଇପାରିବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦିଆଯିବ। ପରୀକ୍ଷା କେନ୍ଦ୍ରର ଚଟାଣ, କାନ୍ଥ, କବାଟ, ଝରକା, ଡୋର ହ୍ୟାଣ୍ଡେଲ୍‌, ଲିଫ୍ଟ ବଟମ୍‌, ହୁଇଲ୍‌ ଚେୟାର, ଗେଟ୍‌କୁ ବିଶୋଧନ କରାଯିବ। ପରୀକ୍ଷା ସମୟରେ ସମସ୍ତ ଅଧିକାରୀ ଫେସ୍‌ ମାସ୍କ, ଗ୍ଲୋଭ୍‌ସ ପିନ୍ଧିବା ବାଧ୍ୟତାମୂଳକ। ପ୍ରବେଶ ପଥ, ପରୀକ୍ଷା ରୁମ୍‌, ଷ୍ଟାଫ୍‌/ଅବଜରଭର ରୁମ୍‌ ଆଦି ସ୍ଥାନରେ ସାନିଟାଇଜର ବୋତଲ ରଖାଯିବ। ହ୍ୟାଣ୍ଡୱାସ୍‌ ବୋତଲ୍‌କୁ ନିୟମିତ ବ୍ୟବଧାନରେ ଭର୍ତ୍ତି କରାଯିବ। ପ୍ରତି ସେକ୍ସନ ପରୀକ୍ଷାରେ ପରୀକ୍ଷାର୍ଥୀ ବସୁଥିବା ଡେକ୍ସ ଓ ଚେୟାରକୁ ସାନିଟାଇଜ୍‌ କରାଯିବ।
ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ବ୍ୟକ୍ତିବିଶେଷ ସ୍ବାସ୍ଥ୍ୟ ସମ୍ପର୍କରେ ଆତ୍ମ ଘୋଷଣା ଦେବେ ଏବଂ ପ୍ରବେଶ ପଥରେ ତାପମାତ୍ରା ମପାଯିବ। ଯଦି କୌଣସି ବ୍ୟକ୍ତି ଆତ୍ମ ଘୋଷଣା ଦେଇ ନ ଥିବେ କିମ୍ବା ତାଙ୍କ ତାପମାତ୍ରା ମପା ଯାଇ ନ ଥିବ ତେବେ ‌ତାଙ୍କୁ ତୁରନ୍ତ ପରୀକ୍ଷା କେନ୍ଦ୍ର ବାହାରକୁ ଯିବା ଲାଗି ନିର୍ଦେଶ ଦିଆଯିବ।

କ୍ୟାମ୍ପସକୁ ସଫା ସୁତୁରା ରଖିବେ। ବିଭିନ୍ନ ସ୍ଥାନରେ କୋଭିଡ୍‌-୧୯ ସମ୍ପର୍କରେ ପୋଷ୍ଟର, ବ୍ୟାନର, ଆଦି ଲଗାଯାଇ ସଚେତନ କରାଯିବ। ବିଶ୍ବବିଦ୍ୟାଳୟ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ‘ଆରୋଗ୍ୟ ସେତୁ’ ଆପ୍‌ ଡାଉନ୍‌ଲୋଡ଼୍‌ କରିବା ବାଧ୍ୟତାମୂଳକ। ପ୍ରବେଶ ଓ ପ୍ରସ୍ଥାନ ପଥରେ ଯେପରି ଭିଡ଼ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଯଦି କ୍ୟାମ୍ପସରେ ଏକାଧିକ ଗେଟ୍‌ ରହିଥିବ ତେବେ ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥ ଖୋଲା ରଖିବାକୁ କୁହାଯାଇଛି। ପ୍ରସ୍ଥାନ ବେଳେ ଜଣ ଜଣ କରି ପରୀକ୍ଷାର୍ଥୀଙ୍କୁ ବାହାରକୁ ଛଡ଼ାଯିବ। ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରିବା, ମାସ୍କ ପିନ୍ଧିବା, ହାତ ଧୋଇବା ବାଧ୍ୟତାମୂଳକ ହେବ। କୌଣସି ପରୀକ୍ଷାର୍ଥୀଙ୍କଠାରେ ଜ୍ବର, କାଶ, ଥଣ୍ଡା ଆଦି ଲକ୍ଷଣ ଥିବ ତାଙ୍କୁ ଅଲଗା ରୁମ୍‌ରେ ପରୀକ୍ଷା ଲାଗି ବ୍ୟବସ୍ଥା କରିବେ। ପରୀକ୍ଷା ହଲ୍‌ରେ ବସିବା ଲାଗି ଦୁଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅତି କମ୍‌ରେ ଦୁଇ ମିଟର ଦୂରତା ରହିବା ଆବଶ୍ୟକ। କ୍ୟାମ୍ପସରେ ପର୍ଯ୍ୟାପ୍ତ ପାଣି ବ୍ୟବସ୍ଥା କରାଯିବା ସହ ହାତ ଧୋଇବା, ଶୌଚାଳୟରେ ବି ପାଣି ବ୍ୟବସ୍ଥା, ଡଷ୍ଟବିନ୍‌କୁ ଭଲ ଭାବେ ସଫା କରିବା, ପରିବହନ ସମୟରେ ବସ୍‌କୁ ଭଲ ଭାବେ ସାନିଟାଇଜ୍‌ କରାଯିବାକୁ ଏସ୍‌ଓପିରେ କୁହାଯାଇଛି।