ହାଇକୋର୍ଟରେ ଏସ୍‌ଓପି ଜାରି, ୧୫ରୁ ଉଭୟ ଭର୍ଚୁଆଲ, ଫିଜିକାଲ ମୋଡ୍‌ରେ ଶୁଣାଣି

କଟକ : ଫେବ୍ରୁଆରି ୧୫ ତାରିଖରୁ ହାଇକୋର୍ଟରେ ଉଭୟ ଭର୍ଚୁଆଲ୍ ଓ ଫିଜିକାଲ ମୋଡ୍‌ରେ ମାମଲା ଶୁଣାଣି ହେବ। ୨୦୨୧, ଫେବ୍ରୁଆରି ୧୫ରୁ କିଭଳି ଭାବେ ମାମଲା ଶୁଣାଣି ହେବ ସେ ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏ ନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡିଓର(ଏସ୍ଓପି) ଜାରି କରାଯାଇଛି।

ମାମଲା ଶୁଣାଣି ପାଇଁ ଉଭୟ ଭର୍ଚୁଆଲ ଓ ଫିଜିକାଲ ମୋଡ୍‌ ବିକଳ୍ପ ବ୍ୟବସ୍ଥା ରହିବ। ଖଣ୍ଡପୀଠଙ୍କ ନିକଟରେ ମାମଲା ଶୁଣାଣି ସମୟରେ ଆଇନଜୀବୀ ଓ ପକ୍ଷମାନେ ବ୍ୟକ୍ତିଗତ ଭାବେ ବା ଭିଡିଓକନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ରହିବେ, ସେ ନେଇ ବିକଳ୍ପ ଚୟନ ବ୍ୟବସ୍ଥା ରହିବ। ବ୍ୟକ୍ତିଗତ ଉପସ୍ଥିତି ଓ ଭିଡିଓ କନ‌ଫରେନ୍ସିଂ ବ୍ୟବସ୍ଥା ଉଭୟ ମାଧ୍ୟମରେ ଏକସଂଗେ ମାମଲା ଶୁଣାଣି ହେବ। ନିର୍ଦ୍ଦିଷ୍ଟ ମାମଲାରେ ପକ୍ଷ ଓ ଆଇନଜୀବୀ ଦେଇଥିବା ବିକଳ୍ପ ଉପରେ କେଉଁ ବ୍ୟବସ୍ଥାରେ ମାମଲା ଶୁଣାଣି ହେବ ତାହା ନିର୍ଭର କରିବ। ଯଦି କୌଣସି ମାମଲାରେ କିଛି ବିକଳ୍ପ ଦିଆଯାଇ ନଥିବ ତେବେ ଆଇନଜୀବୀ/ପକ୍ଷ ଭର୍ଚୁଆଲ ମୋଡ଼ରେ ଶୁଣାଣି ସମୟରେ ଉପସ୍ଥିତ ରହିବେ ବୋଲି ଗ୍ରହଣ କରାଯିବ। ଯଦି କୌଣସି ନର୍ଦ୍ଦିଷ୍ଟ ଖଣ୍ଡପୀଠଙ୍କ ନିକଟରେ ପକ୍ଷ ବା ଆଇନଜୀବୀ ଦୂରରେ ଥିବା ସ୍ଥାନରୁ ଭର୍ଚୁଆଲ ମୋଡ୍‌ରେ ଉପସ୍ଥିତ ହେବାକୁ ଆଗ୍ରହୀ ତେବେ ଏ ନେଇ ଶୁଣାଣିର ପୂର୍ବଦିନ କୋର୍ଟ ମାଷ୍ଟରଙ୍କୁ ଫୋନ୍ ମାଧ୍ୟମରେ ସୂଚନା ଦେବାକୁ ପଡ଼ିବ। ନାଁ, ଆଇଟମ ନମ୍ବର, କେସ ବିବରଣୀ ଇତ୍ୟାଦି ମାମଲା ଶୁଣାଣିର ପୂର୍ବଦିନ କୋର୍ଟ ମାଷ୍ଟରଙ୍କୁ ରାତି ୮ଟାରୁ ୧୦ ମଧ୍ୟରେ ପ୍ରଦାନ କରାଯିବ। ପ୍ରକାଶ ପାଇବାକୁ ଥିବା କଜ୍ ଲିଷ୍ଟରେ କୋର୍ଟ ମାଷ୍ଟରଙ୍କ ମୋବାଇଲ ନମ୍ବର ଓ ଲିଙ୍କ୍ ସଂକ୍ରାନ୍ତରେ ସୂଚନା ରହିବ। ସେହିଭଳି ଭାବେ ଫିଜିକାଲ ମୋଡ୍‌ ପାଇଁ ମଧ୍ୟ କେତେକ ବ୍ୟବସ୍ଥା କରାଯାଇଛି। ଆଇନଜୀବୀ, କ୍ଲର୍କ ଓ ପକ୍ଷମାନେ କୋର୍ଟ ପରିସରକୁ ପ୍ରବେଶ/ପ୍ରସ୍ଥାନ ସ୍ଥାନରେ ସେମାନଙ୍କ ପରିଚୟପତ୍ର ବା ପାସ୍ ଯାହାକି ହାଇକୋର୍ଟ/ହାଇକୋର୍ଟ ବାର୍ ଆସୋସିଏସନ୍/ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଦ୍ବାରା ଜାରି କରାଯାଇଥିବ ଦେଖାଇବା ପରେ ଭିତରକୁ ଯିବା ପାଇଁ ଅନୁମତି ମିଳିବ। ଗୋଟିଏ ପକ୍ଷ ପାଇଁ ଜଣେ ଆଇନଜୀବୀ ଓ ତାଙ୍କ କ୍ଲର୍କଙ୍କୁ ଅନୁମତି ଦିଆଯିବ। କେବଳ ବରିଷ୍ଠ ଆଇନଜୀବୀଙ୍କ ସହିତ ଜଣେ ସହଯୋଗୀ ଆଇନଜୀବୀଙ୍କୁ ଅନୁମତି ମିଳିବ। ଆଇନଜୀବୀଙ୍କ ସହିତ କୋର୍ଟ ପରିସରକୁ ଯାଉଥିବା ଆଡଭୋକେଟ କ୍ଲର୍କଙ୍କୁ ସୀମିତ ଉଦ୍ଦେଶ୍ୟ ପାଇଁ ଅନୁମତି ଦିଆଯିବ। ବୃହତାକୃତିର କେସ୍ ଫାଇଲ କୋର୍ଟ ରୁମ୍ ବାହାରେ ଅପେକ୍ଷା ପାଇଁ ଥିବା ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇବାକୁ ଆଡଭୋକେଟ କ୍ଲର୍କଙ୍କୁ ଅନୁମତି ଦିଆଯିବ। ନିଜ କାର୍ଯ୍ୟ ସଂପାଦନ ପରେ ଆଡଭୋକେଟ କ୍ଲର୍କ ତରୁନ୍ତ ସଂପୃକ୍ତ ସ୍ଥାନ ଛାଡିବେ ଓ ପରେ ଫାଇଲ ଆଣିବାକୁ ଯିବେ। କରିଡରରେ ଭିଡ଼ ଏଡ଼ାଇବା ପାଇଁ ଗୁରୁତ୍ବାରୋପ କରାଯାଇଛି।

କୋର୍ଟ ପରିସରକୁ ନିଜ ମାମଲାରେ କେବଳ ଯୁକ୍ତି ଉପସ୍ଥାପନ ପାଇଁ ଯାଉଥିବା ନେଇ ଆଇନଜୀବୀ/ପକ୍ଷ ସୁନିଶ୍ଚିତ କରିବେ ଓ ସଂପୃକ୍ତ ଦିନର ମାମଲା ଶୁଣାଣି ପରେ ଯଥାଶୀଘ୍ର କୋର୍ଟ ପରିସର ଛାଡିବେ। ଯେଉଁଠି ପକ୍ଷମାନେ ପ୍ରତିନିଧିତ୍ବ ପାଇଁ ଆଇନଜୀବୀଙ୍କୁ ଦାୟିତ୍ବ ଦେଇଥିବେ ସେଠାରେ କେବଳ ବ୍ୟକ୍ତିଗତ ହାଜିରା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଥିଲେ ସେମାନଙ୍କୁ କୋର୍ଟ ପରିସରକୁ ପ୍ରବେଶ ପାଇଁ ଅନୁମତି ମିଳିବ। ଏକାଧିକ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଅପେକ୍ଷା କରିବା ପାଇଁ ଥିବା ସ୍ଥାନରେ ପରବର୍ତ୍ତୀ ମାମଲାର ଶୁଣାଣି ପାଇଁ ଅପେକ୍ଷା କରିବେ ବୋଲି ଜାରି ହୋଇଥିବା ଏସ୍‌ଓପିରେ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର