ଜାରି ହେଲା ଏସ୍‌ଓପି, ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନ ମନା

ବାହାର ଭକ୍ତଙ୍କ ପାଇଁ ‌କୋଭିଡ୍‌ ରିପୋର୍ଟ ବାଧ୍ୟତାମୂଳକ, ପରିଚୟପତ୍ର ନ ଦେଖାଇଲେ ପ୍ରବେଶ ମନା

ପୁରୀ: ଆଜିଠାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଥିବାବେଳେ ପର୍ଯ୍ୟାୟକ୍ରମେ ସେବାୟତ ପରିବାର, ପୁରୀ ସହରବାସୀ ଓ ଏହାପରେ ଜିଲ୍ଲା ତଥା ଜିଲ୍ଲା ବାହାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏଥିପାଇଁ ଏସ୍‌ଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ଦର୍ଶନ ବେଳେ ମୂର୍ତ୍ତି ସ୍ପର୍ଶକୁ ସଂପୂର୍ଣ୍ଣ ବାରଣ କରାଯାଇ ଥିବାବେଳେ ଦୀପ, ଫୁଲ ଓ ଭୋଗ ଆଦି ନେବାରେ କଟକଣା ଲଗାଯାଇଛି। ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ଓ କିଣାକୁ ଅନୁମତି ମିଳିଥିଲେ ବି ମନ୍ଦିର ପରିସରରେ ମହାପ୍ରସାଦ ସେବନ ବାରଣ କରାଯାଇଛି। ବାହାର ଭକ୍ତଙ୍କୁ ୯୬ ଘଣ୍ଟା ଭିତରର କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବା ଏସ୍‌ଓପିରେ ବାଧ୍ୟତାମୂଳକ କରାଯାଇଛି।

ପୁରୀ ପାଇଁ ୭ଟା, ବାହାର ଭକ୍ତଙ୍କ ପାଇଁ ୮ଟାରୁ ଦର୍ଶନ

ଶ୍ରୀମନ୍ଦିର ପ୍ରଶାସନ ଏସ୍‌ଓପିରେ ସ୍ପଷ୍ଟ କରିଛି, ଡିସେମ୍ବର ୨୩ ତାରିଖ ସକାଳ ୭ଟାରୁ ୨୫ ତାରିଖ ରାତ୍ର ପହୁଡ଼ ପର୍ଯ୍ୟନ୍ତ ସେବାୟତ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବେ। ଡିସେମ୍ବର ୨୬ ତାରିଖ ସକାଳ ୭ଟାରୁ ୩୧ ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ପୁରୀ ପୌରାଞ୍ଚଳର ଲୋକେ ମହାପ୍ରଭୁଙ୍କ ଦର୍ଶନ କରିବେ। ନୂଆବର୍ଷ ଭିଡ଼କୁ ନଜରରେ ରଖି ଜାନୁଆରି ୧ ଓ ୨ ତାରିଖ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ଜାନୁଆରି ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମନ୍ଦିର ପ୍ରବେଶ ପୂର୍ବରୁ ଭକ୍ତମାନେ ହାତ ସାନିଟାଇଜ୍‌ କରିବେ। ସାମାଜିକ ଦୂରତା ରକ୍ଷା ପୂର୍ବକ ଦର୍ଶନ କରିବେ। ଶ୍ରୀମନ୍ଦିର ଭିତରେ ଦେବାଦେବୀଙ୍କ ମୂର୍ତ୍ତିକୁ କେହି ସ୍ପର୍ଶ କରି‌ବେନି। ଯଦି କେହି ଫୁଲ, ଭୋଗ, ଦୀପ ଆଦି ନେଇ ଶ୍ରୀମନ୍ଦିର ଭିତରକୁ ଯିବାକୁ ଚେଷ୍ଟା କରନ୍ତି, ସିଂହଦ୍ବାରରେ ଏକ ବଡ଼ କଣ୍ଟେନରରେ ଏହାକୁ ଫିଙ୍ଗି ଦିଆଯିବ। କୌଣସି ପରିସ୍ଥିତିରେ ବି ଭକ୍ତମାନେ ଶ୍ରୀମନ୍ଦିର ଭିତରେ ଦୀପ ଜାଳି ପାରିବେନି। କେହି ବି ଭକ୍ତ ଶ୍ରୀମନ୍ଦିର ଭିତରେ ମହପ୍ରସାଦ ସେବନ କରି ପାରିବେନି। ମହାପ୍ରସାଦ କିଣିବା ପରେ ବାହାରେ ଆଣି ସେବନ କରିପାରିବେ। ପାନ, ଗୁଟ୍‌ଖା ଆଦି ଖାଇ ମନ୍ଦିରରେ ପ୍ରବେଶରେ ବି କଟକଣା ଲଗାଯାଇଛି। ଶ୍ରୀମନ୍ଦିର ଭିତରେ ଛେପ ପକାଇବାରେ ବି କଟକଣା ଲାଗିଛି।

ଭକ୍ତଙ୍କ ପାଇଁ ‌ଜଗନ୍ନାଥ ବଲ୍ଲଭରେ ଗାଡ଼ି ପାର୍କିଂର ବ୍ୟବସ୍ଥା କରାଯାଇଛି। ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍‌ ବୟସ, ଗର୍ଭବତୀ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଦର୍ଶନ ବାରଣ କରାଯାଇଛି। ପୁରୀ ପୌରାଞ୍ଚଳ ଭକ୍ତଙ୍କ ଦର୍ଶନ ପାଇଁ ମାର୍କେଟ୍‌ ଛକରୁ ଧାଡ଼ି ବ୍ୟବସ୍ଥା ହେବ। ସକାଳ ୭ଟାରୁ ଧାଡ଼ି ଦର୍ଶନ ଆରମ୍ଭ ହେବ। ଜାନୁଆରି ୩ ସକାଳ ୮ଟାରୁ ସର୍ବସାଧାରଣଙ୍କ ପାଇଁ ଧାଡ଼ି ଦର୍ଶନ ଆରମ୍ଭ ହେବ। ମାର୍କେଟ୍‌ ଛକରୁ ଭକ୍ତମାନେ ବାରିକେଡ୍‌ରେ ଧାଡ଼ିରେ ଯିବେ। ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ସ୍ବତନ୍ତ୍ର କାଉଣ୍ଟରରେ କୋଭିଡ୍‌ ନେଗେଟିଭ୍‌ (ଆରଟିପିସିଆର ଅବା ଆଣ୍ଟିଜେନ୍‌) ରିପୋର୍ଟ ଦେଖାଇବେ। ସମସ୍ତ ଭକ୍ତଙ୍କୁ ପରିଚୟପତ୍ର ଭାବେ ଆଧାରକାର୍ଡ଼, ଭୋଟରକାର୍ଡ଼ ବାଧ୍ୟତାମୂଳକ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଶ୍ରୀମନ୍ଦିର ପ୍ରଶାସନ ଗତ ୧୪ ତାରିଖରେ ଦର୍ଶନ ପାଇଁ ଏସ୍‌ଓପି ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇଥିଲା। ରାଜ୍ୟ ସରକାର ପୁରୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ନିଜ ସ୍ତରରେ ଏ ସଂପର୍କିରେ ବିଧିବଦ୍ଧ ନିଷ୍ପତ୍ତି ନେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦେଇଥିଲା। ସେହି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ଗତକାଲି ଏହା ଉପରେ ଆଲୋଚନା ପରେ ଏସ୍‌ଓପି ଜାରି କରିଛି।

ସମ୍ବନ୍ଧିତ ଖବର