ପିଜି ନାମଲେଖା ଲାଗି ଏସ୍‌ଓପି : ୫ରେ ଶିକ୍ଷାନୁଷ୍ଠାନସ୍ତରୀୟ ମେଧା ତାଲିକା, ୯ରୁ ନାମଲେଖା

ଅଫ୍‌ଲାଇନ୍‌ରେ ଫି’, ୩ଟି ରାଉଣ୍ଡରେ ହେବ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର : ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକର ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ଡିସେମ୍ବର ୫ରୁ ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ଗତ ୨୧ ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ‌ରାଜ୍ୟସ୍ତରୀୟ ମେଧା ତାଲିକା ପ୍ରକାଶ ପାଇଛି। ଯାହାକି www.samsodisha.gov.in ୱେବସାଇଟ୍‌ରେ ଉପଲବ୍ଧ ଅଛି। ତେବେ ବିଶ୍ବବିଦ୍ୟାଳୟ ଓ କଲେଜସ୍ତରୀୟ ନାମଲେଖା ଲାଗି ଡିସେମ୍ବର ୫ରେ ମେଧା ତାଲିକା ପ୍ରକାଶ ପାଇବ। ଷ୍ଟୁଡେଣ୍ଟ ଲଗ୍‌ଇନ୍‌ରେ ଛାତ୍ରଛାତ୍ରୀ ସେମାନଙ୍କ ନାମଲେଖା ସ୍ଥିତି ସମ୍ପର୍କ‌ରେ ଜାଣିପାରିବେ। ଡିସେମ୍ବର ୯ରୁ ୧୧ ତାରିଖ ପୂର୍ବାହ୍ନ ୧୦ଟାରୁ ୫ଟା ମଧ୍ୟରେ ଛାତ୍ରଛାତ୍ରୀଙ୍କ ରିପୋର୍ଟିଂ, ଡକ୍ୟୁମେଣ୍ଟ ଯାଞ୍ଚ, ପେମେଣ୍ଟ ଓ ନାମଲେଖା ଆଦି ଅନୁଷ୍ଠିତ ହେବ। ୯ ତାରିଖ ପୂର୍ବାହ୍ନ ୧୦ଟାରୁ ୧୨ ତାରିଖ ସନ୍ଧ୍ୟା ୬ଟି ମଧ୍ୟରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ମାଧ୍ୟମରେ ସ୍ଲାଇଡ୍‌ ଅପ୍‌ ସମ୍ପର୍କରେ ଉଲ୍ଲେଖ କରିପାରିବେ। ୧୨ ତାରିଖ ଅପରାହ୍ନ ୨ଟାରେ ଛାତ୍ରଛାତ୍ରୀଙ୍କ ନାମଲେଖା ସମ୍ପର୍କରେ ତଥ୍ୟ ଉପଲବ୍ଧ ହେବ। ୧୭ ତାରିଖ ପୂର୍ବାହ୍ନ ୧୧ଟାରେ ଦ୍ବିତୀୟ ପର୍ଯ୍ୟାୟ ବିଶ୍ବବିଦ୍ୟାଳୟ ଓ କଲେଜସ୍ତରୀୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ରିପୋର୍ଟିଂ, ଡକ୍ୟୁମେଣ୍ଟ ଯାଞ୍ଚ, ପେମେଣ୍ଟ ଓ ନାମଲେଖା ଅନୁଷ୍ଠିତ ହେବ। ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସ୍ଲାଇଡ୍‌ ଅପ୍‌ ଅପ୍‌ସନ୍‌ ଦେଇପାରିବେ। ୨୨ ତାରିଖରେ ନାମଲେଖା ସମ୍ପର୍କିତ ତଥ୍ୟ ପ୍ରକାଶ ପାଇବ। ୨୬ ତାରିଖ ପୂର୍ବାହ୍ନ ୧୧ଟାରେ ତୃତୀୟ ପର୍ଯ୍ୟାୟ ଚୟନ ତଲିକା ପ୍ରକାଶ ପାଇବ ଏବଂ ୨୮ ଓ ୨୯ରେ ଛାତ୍ରଛାତ୍ରୀଙ୍କ ରିପୋର୍ଟିଂ, ଡକ୍ୟୁମେଣ୍ଟ ଯାଞ୍ଚ, ପେମେଣ୍ଟ ଓ ନାମଲେଖା ହେବ। ୩୦ ତାରିଖରେ ଚୂଡ଼ାନ୍ତ ନାମଲେଖା ସମ୍ପର୍କିତ ତଥ୍ୟ ପ୍ରକାଶ କରାଯିବ।

ଅନ୍ୟପକ୍ଷରେ ନାମଲେଖା ପ୍ରକ୍ରିୟା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଏସ୍‌ଓପି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଏଥର ମୋଟ ୩ଟି ପର୍ଯ୍ୟାୟରେ ନାମଲେଖା ହେବ। ଏହାପରେ ଯଦି ସିଟ୍‌ ଖାଲି ପଡ଼େ ତେବେ ସ୍ପଟ୍‌ ନାମଲେଖା ନେଇ ବିଚାର କରାଯାଇପାରେ। ଚୟନ ହୋଇଥିବା ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ/କଲେଜକୁ ଆବଶ୍ୟକୀୟ ଓରିଜିନାଲ ଡକ୍ୟୁମେଣ୍ଟ ଓ ୫ଟି ଫଟୋକପି ସାଙ୍ଗରେ ନେଇ ଯାଞ୍ଚ କରିବା ସହ ନାମ ଲେଖାଇବେ। ନାମଲେଖା ସମୟରେ ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ ମୋଡ୍‌ରେ ଆବଶ୍ୟକୀୟ ନାମଲେଖା ଫି’ କଲେକ୍ସନ କାଉଣ୍ଟରରେ ଦାଖଲ କରିବେ। ନାମଲେଖା ରାଉଣ୍ଡ ଶେଷ ହେବା ପରେ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକ ସାମ୍‌ସ ଇ-ସ୍ପେସ୍‌ରେ ଏସଂକ୍ରାନ୍ତୀୟ ତଥ୍ୟ ଦାଖଲ କରିବେ। ଷ୍ଟୁଡେଣ୍ଟ ଲଗ୍‌ଇନ୍‌ରେ ସ୍ଲାଇଡ୍-ଅପ୍‌ ଅପସନ୍‌ ଫର୍ମ ଉପଲବ୍ଧ ହେବ। ଛାତ୍ରଛାତ୍ରୀ ଯଦି ସ୍ଲାଇଡ୍-ଅପ୍‌ ଅପସନ୍‌ ପୂରଣ କରି ନ ଥିବେ ‌ସେମାନେ ପରବର୍ତୀ ରାଉଣ୍ଡରେ ଉପରିସ୍ଥ ଶିକ୍ଷାନୁଷ୍ଠାନକୁ ଯାଇପାରିବେ ନାହିଁ। ଯଦି ନାମଲେଖା ପ୍ରକ୍ରିୟାରେ କୌଣସି ପ୍ରକାର ତ୍ରୁଟି ଯୋଗୁଁ ବିଶ୍ବବିଦ୍ୟାଳୟ/କଲେଜ ପିଲାଙ୍କ ନାମଲେଖା କରିବାକୁ ବାରଣ କରନ୍ତି, ତେବେ ଏଭଳି ସମସ୍ୟାରେ ‘ଏରର୍‌ କରେକ୍ସନ’ ବଟନ୍‌ରେ କ୍ଲିକ୍‌ କରି ତାହାକୁ ଅନ୍‌ଲାଇନ୍‌ରେ ଦାଖଲ କରିହେବ। ନାମଲେଖା ସମ୍ପର୍କରେ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ପ୍ରବେଶ ଓ ପ୍ରସ୍ଥାନ ପଥରେ ବ୍ୟାପକ ସୂଚନା ଦେବେ। ନାମଲେଖା ସମୟରେ ସାମାଜିକ ଦୂରତା ରକ୍ଷା ସହ ବିଶୋଧନକୁ ପ୍ରାଥମକିତା ଦେବାକୁ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକୁ କୁହାଯାଇଛି।

ସମ୍ବନ୍ଧିତ ଖବର