ଭୁବନେଶ୍ବର: ଜାନୁଆରି ୩ ତାରିଖ ଠାରୁ ରାଜ୍ୟରେ ପ୍ରାଥମିକ ସ୍କୁଲ ଗୁଡ଼ିକ ଖୋଲିବ । କରୋନା କାରଣରୁ ବନ୍ଦ ପଡିଥିବା ସ୍କୁଲକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେବେ ଗଣଶିକ୍ଷା ମନ୍ତ୍ରୀ ଏନେଇ ଘୋଷଣା କରିବା ପରେ ଏବେ ଆସିଛି ଏସଓପି । ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ଏସଓପିରେ କ’ଣ ଉଲ୍ଲେଖ ରହିଛି ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଜାଣିବାର ଆବଶ୍ୟକତା ରହିଛି।

Advertisment

ରାଜ୍ୟରେ ପ୍ରାଥମିକ ସ୍କୁଲ ଖୋଲିବା ପରେ ମଧ୍ୟ ଅନଲାଇନରେ କ୍ଲାସ୍ ଜାରି ରହିବ । ଯେଉଁ ପିଲାମାନେ ସ୍କୁଲ ଆସିବାକୁ ଚାହିଁବେନି, ସେମାନେ ଅନଲାଇନ୍ ସାହାଯ୍ୟରେ ମଧ୍ୟ ପାଠପଢା ଜାରି ରଖିପାରିବେ । ତେବେ କଣ୍ଟେନମେଣ୍ଟ ଜୋନ୍ ଅଂଚଳରେ ଥିବା ସ୍କୁଲ ଗୁଡିକ ଖୋଲିବ ନାହିଁ । କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସ୍କୁଲ ଖୋଲିବାକୁ ଅନୁମତି ରହିଛି । ତା ସହିତ ସ୍କଲକୁ ପ୍ରତିଦିନ ସଫା ରଖିବା, ସ୍କୁଲ ଆସବାବ ପତ୍ର ସଫା ଏବଂ ପାଣିଟାଙ୍କିକୁ ମଧ୍ୟ ସଫା ରଖିବାକୁ ଏସଓପିରେ ଉଲ୍ଲେଖ କରାଯାଇଛି । ତତ୍ ସହିତ ସ୍କୁଲରେ ହ୍ୟାଣ୍ଡୱାଶ ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ କୁହାଯାଇଛି ।

ସ୍କୁଲ ମଧ୍ୟରେ ପିଲାମାନେ ପରସ୍ପରଠାରୁ ୬ ଫୁଟ୍ ଦୂରତା ରଖି ବସିବେ । ଯଦି ସମ୍ଭବ ହୁଏ ତେବେ ଗୋଟିଏ ବେଞ୍ଚରେ ମଧ୍ୟ ଗୋଟିଏ ପିଲା ବସିବାକୁ ବ୍ୟବସ୍ଥା କରିବାକୁ ଏସଓପିରେ କୁହାଯାଇଛି । ଖାଲି ସେତିକି ନୁହେଁ, ବିଦ୍ୟାଳୟର ସବୁ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବାକୁ ମଧ୍ୟ କୁହାଯାଇଛି। ତା ସହିତ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ବି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏସଓପିରେ ଉଲ୍ଲେଖ କରାଯାଇଛି ଯେ, ଗୋଟିଏ କ୍ଲାସରେ କେବଳ ୨୦ରୁ ୨୫ ଜଣ ପିଲା ବସିପାରିବେ । ଏହାଠାରୁ ଅଧିକ ପିଲାଙ୍କୁ ଗୋଟିଏ କ୍ଲାସରେ ବସାଇବାକୁ ଅନୁମତି ମିଳିବ ନାହିଁ । ସରକାର ଯେଉଁ ଅନୁସାରେ ସମୟ ଧାର୍ଯ୍ୟ କରିଛନ୍ତି ସେହି ଅନୁସାରେ ସ୍କୁଲ ଖୋଲାରହିବ । ସ୍କୁଲରେ କୌଣସି ପ୍ରକାର ମଧ୍ୟାହ୍ନ ଭୋଜନ ପିଲାଙ୍କୁ ଦିଆଯିବ ନାହିଁ ।