ପୁରୀ : ଫେବ୍ରୁଆରି ୧ତାରିଖରୁ ସର୍ବସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୋଭିଡ୍‌ କଟକଣା ଭିତରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି କୁହାଯାଇଛି। ବିଶୋଧନ ଓ ଭିଡ଼ ଏଡ଼ାଇବା ପାଇଁ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ପର୍ବପର୍ବାଣୀରେ କିନ୍ତୁ ଶ୍ରୀମନ୍ଦିର ଖୋଲା ରହିବ। ରାତ୍ରକାଳୀନ କର୍ଫ୍ୟୁ ଯୋଗୁ ଭକ୍ତମାନେ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଶୁକ୍ରବାର ଦିନ ଛତିଶାନିଯୋଗ ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।

Advertisment

କୋଭିଡ୍‌ ସଂକ୍ରମଣ ବଢ଼ିବାରୁ ଛତିଶାନିଯୋଗ ବୈଠକ ନିଷ୍ପତ୍ତିକ୍ରମେ ଜାନୁଆରି ୧୦ରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ କରି ଦିଆଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭର୍ଚୁଆଲ୍‌ ବୈଠକରେ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସକଙ୍କ ସହ ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିଲେ।

ରେ କୋଭିଡ୍‌ ସଂକ୍ରମଣ କମିଥିବାରୁ ସେବାୟତ ନିଯୋଗଙ୍କ ସହମତିକ୍ରମେ ଆସନ୍ତା ଫେବ୍ରୁଆରି ମାସ ପାଇଁ ମାଗଦର୍ଶିକା ଜାରି ହୋଇଥିବା ଜଣାଯାଇଛି। ଭକ୍ତମାନେ ପୂର୍ବଭଳି ୯୬ ଘଣ୍ଟା ଭିତରର ଆର୍‌ଟିପିସିଆର୍‌ ରିପୋର୍ଟ କିମ୍ବା କୋଭିଡ୍‌ର ଦୁଇଟି ଡୋଜ୍‌ ଟିକା ପ୍ରମାଣପତ୍ର ଦେଖାଇ ଓ କୋଭିଡ୍‌ ନିୟମ ଅନୁପାଳନ ପୂର୍ବକ ମହାପ୍ରଭୁଙ୍କ ଦର୍ଶନ କରିବେ। ଫେବ୍ରୁଆରି ମାସରେ ୬, ୧୩, ୨୦ ଓ ୨୭ ତାରିଖ, ଏଭଳି ୪ଟି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ସହରବାସୀ ପ୍ରମାଣପତ୍ର ଦେଖାଇ ପଶ୍ଚିମଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇପାରିବେ। କିନ୍ତୁ ଅନ୍ୟ ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ କରିବେ। ସମସ୍ତ ଭକ୍ତ ଦର୍ଶନ ସାରି ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରିବେ।

ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କୁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ସାମାଜିକ ଦୂରତା ରକ୍ଷା ସହ ହାତ ସାନିଟାଇଜ୍‌ କରିବାକୁ କୁହାଯାଇଛି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୮ରୁ ୬୦ ବର୍ଷ ବୟସ୍କ ସେବାୟତଙ୍କ ଲାଗି ପ୍ରିକ୍ସନ୍ ଡୋଜ୍ ଦିଆଯିବା ଲାଗି ବ୍ୟବସ୍ଥା କରାଯିବ।