ଭୁବନେଶ୍ବର : ବିଦେଶରେ ପଢ଼ୁଥିବା ଛାତ୍ରଛାତ୍ରୀ, କର୍ମ ନିଯୁକ୍ତି କିମ୍ବା ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ପ୍ରତିଦ୍ବନ୍ଦୀଙ୍କୁ ‘କୋଭିସିଲ୍ଡ’ର ଦ୍ବିତୀୟ ଡୋଜ୍ ଟିକା ନେଇ ଏକ ଏସ୍ଓପି ଜାରି ହୋଇଛି। ପୂର୍ବରୁ ଦ୍ବିତୀୟ ଡୋଜ୍ ପାଇଁ ରହିଥିବା ୮୪ଦିନ ଅବଧିରେ କୋହଳ କରାଯାଇଛି। ‘କୋଭିସିଲ୍ଡ’ର ଦ୍ବିତୀୟ ଡୋଜ୍ ଟିକାକୁ କେନ୍ଦ୍ର ସରକାରଙ୍କ ଟିକାକରଣ ବିଶେଷଜ୍ଞ କମିଟି ୧୨-୧୬ ସପ୍ତାହ ବା ୮୪ଦିନକୁ ବୃଦ୍ଧି କରିଛନ୍ତି। ମାତ୍ର ଏସବୁ କ୍ଷେତ୍ରରୁ ପ୍ରଥମ ଡୋଜ୍ ‘କୋଭିସିଲ୍ଡ’ ଟିକା ନେଇଥିବା ବ୍ୟକ୍ତିମାନେ ଅନୁରୋଧ କରିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଏସ୍ଓପି ସବୁ ରାଜ୍ୟମାନଙ୍କୁ ଜାରି କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସବୁ ଜିଲ୍ଲାପାଳ ଓ ନଗର ନିଗମକୁ ଏ ପ୍ରସଙ୍ଗରେ ଚିଠି ଲେଖିଛନ୍ତି।
ଯେଉଁମାନେ ‘କୋଭିସିଲ୍ଡ’ର ପ୍ରଥମ ଡୋଜ୍ ଟିକା ନେବାର ୨୮ଦିନରୁ ଅଧିକ ହୋଇଗଲାଣି ମାତ୍ର ୮୪ଦିନ ହୋଇନାହିଁ, ସେମାନେ ବିଦେଶରେ ପାଠପଢ଼ିବା, କର୍ମ ନିଯୁକ୍ତି ଚାହୁଁଛନ୍ତି ସେମାନଙ୍କୁ ସ୍ବତନ୍ତ୍ର ଭାବେ ଟିକା ପ୍ରଦାନ କରାଯିବ। ଏଥିପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ ସଂପୂର୍ଣ୍ଣ କାଗଜପତ୍ର ଦେଖାଇବାକୁ ହେବ। ଏଥିପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି କରିବା ଲାଗି ନିର୍ଦେଶ ଦିଆଯାଇଛି। ମାତ୍ର ‘କୋଭାକ୍ସିନ୍’ କ୍ଷେତ୍ରରେ ୪-୬ ସପ୍ତାହର ଅବଧିରେ କୌଣସି ପରିବର୍ତନ କରାଯାଇ ନଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ‘କୋଭାକ୍ସିନ୍’ର ଦୁଇ ଡୋଜ୍ ନେଇଥିବା ବ୍ୟକ୍ତି ବିଦେଶ ଯାତ୍ରା କରିବାରେ କୌଣସି ସମସ୍ୟା ନାହିଁ।
ସେହିପରି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସବୁ ଔଷଧ ଦୋକାନୀ ଓ କାର୍ଯ୍ୟରତ କର୍ମଚାରୀଙ୍କୁ ଟିକା ପ୍ରଦାନ କରିବା ଲାଗି ସବୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ଔଷଧ ଦୋକାନୀମାନେ ଲକ୍ଡାଉନ୍/ସଟ୍ଡାଉନ୍ ସମୟରେ ମଧ୍ୟ ଅବିରତ ଭାବେ ସାଧାରଣ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି। ତେଣୁ ଟିକାର ଉପଲବ୍ଧତାକୁ ନଜରରେ ରଖି ୪୫ବର୍ଷରୁ ଅଧିକ ଔଷଧ ଦୋକାନୀ ଓ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଟିକା ଓ ୧୮-୪୪ବର୍ଗ ପାଇଁ ରାଜ୍ୟ ସରକାର କିଣିଥିବା ଟିକାରୁ ପ୍ରଦାନ କରିବା ଲାଗି କୁହାଯାଇଛି।
ଅପରପକ୍ଷରେ ଆଜି ଜଗତସିଂହପୁର, କନ୍ଧମାଳ, ବାଲେଶ୍ବର ଓ ଖୋର୍ଧା ଜିଲ୍ଲାରେ ଟିକାକରଣ ବନ୍ଦ ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଯାହାଫଳରେ ରାଜ୍ୟବ୍ୟାପୀ ଟିକାକରଣ ଅଧିବେଶନ ୪୮୩କୁ ଖସି ଆସିଛି। ତେବେ ରାଜ୍ୟରେ ଲଗାତାର ତୃତୀୟ ଦିନ ଲାଗି ୧ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଆଜି ରାଜ୍ୟରେ ୯୪୨ ଟିକାକରଣ ଅଧିବେଶନରେ ୧ଲକ୍ଷ ୩୫ହଜାର ୧୭୨ଜଣଙ୍କୁ ଟିକା ଦିଆଯାଇଛି। ଫଳରେ ସମୁଦାୟ ଟିକାକରଣ ୮୬ଲକ୍ଷ ୪୫ହଜାର ୨୯୮କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୧୮-୪୪ବର୍ଗରେ ୫୭,୫୪୯ଜଣଙ୍କୁ ପ୍ରଥମ ଓ ୧୧,୬୫୮ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ଏହାସହ ୪୫ବର୍ଷରୁ ଅଧିକ ୫୪,୬୫୬ଜଣଙ୍କୁ ପ୍ରଥମ ଓ ୯୦୮୦ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୧୮-୪୪ବର୍ଗର ୯ଲକ୍ଷ ୬୮ହଜାର ୧୮୮ଜଣ ପ୍ରଥମ ଓ ୩୭ହଜାର ୯୫ଜଣ ଦ୍ବିତୀୟ ଡୋଜ୍ ନେଇ ସାରିଲେଣି। ୪୫ବର୍ଷରୁ ଅଧିକ ୫୪ଲକ୍ଷ ୩୪ହଜାର ୩୮ଜଣ ପ୍ରଥମ ଓ ୧୧ଲକ୍ଷ ୨୨ହଜାର ୯୩୫ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି।