ଘରୋଇ ଟିକାକରଣ କେନ୍ଦ୍ର ପାଇଁ ଜାରି ହେଲା ଏସ୍‌ଓପି

ଟିକାଦାନ ଉପରେ ନିର୍ଭର କରିବ ଟିକା ଅର୍ଡର ପ୍ରକ୍ରିୟା

ଭୁବନେଶ୍ବର : ଚଳିତମାସ ୨୧ତାରିଖଠାରୁ କେନ୍ଦ୍ର ସରକାରଙ୍କ ସଂଶୋଧିତ ଟିକାକରଣ ନିର୍ଦେଶାବଳୀ ଜାରି ହୋଇଛି। ଏଥିରେ ୭୫ଭାଗ ଟିକା କେନ୍ଦ୍ର ସରକାର ସିଧାସଳଖ ଟିକା କମ୍ପାନିଠାରୁ କିଣିବେ ଓ ୨୫ ପ୍ରତିଶତ ଟିକା ଘରୋଇ ହସ୍ପିଟାଲମାନେ କିଣିବାର ନିୟମ ରହିଛି। ତେବେ କିଭଳି ଢଙ୍ଗରେ ଘରୋଇ ହସ୍ପିଟାଲମାନେ ଟିକା ସଂସ୍ଥାଠାରୁ ଟିକା କିଣିବେ, ସେ ନେଇ ଏକ ଏସ୍‌ଓପି ଜାରି ହୋଇଛି।

ଯେଉଁ ଘରୋଇ ହସ୍ପିଟାଲମାନେ କୋ-ୱିନ୍ ଆପ୍‌ରେ ପଞ୍ଜୀକୃତ ହୋଇଛନ୍ତି ଓ ଟିକାକରଣ କରୁଛନ୍ତି ସେମାନେ ପୂର୍ବମାସର ସାପ୍ତାହିକ ଟିକାକରଣକୁ ଭିତ୍ତିକରି ଟିକା ଆଣିପାରିବେ। ଯଦି କୌଣସି ଘରୋଇ ହସ୍ପିଟାଲ ଗତମାସ ଏକ ନିର୍ଦ୍ଦିଷ୍ଟ ସପ୍ତାହରେ ଯେତିକି ଟିକାକରଣ କରିଛନ୍ତି ତାହାର ହାରହାରିକୁ ୩୦ ସହିତ ଗୁଣି ସେତିକି ଟିକା ମଗାଇପାରିବ। ସଂପୃକ୍ତ ସଂଖ୍ୟାର ସର୍ବାଧିକ ୨ଗୁଣ ଟିକା ଘରୋଇ ହସ୍ପିଟାଲକୁ ମଞ୍ଜୁର ହୋଇପାରିବ। ଯେଉଁମାନେ କୋ-ୱିନ୍ ଆପ୍‌ରେ ପଞ୍ଜୀକୃତ ହୋଇ ନାହାନ୍ତି ସେମାନେ ଟିକାକରଣ ପାଇଁ ପଞ୍ଜୀକୃତ ହେବାକୁ ପଡ଼ିବ। ଏହି ହସ୍ପିଟାଲମାନଙ୍କୁ ସେମାନଙ୍କ ଶଯ୍ୟା ଅନୁଯାୟୀ ଟିକା ଦିଆଯିବ। ୫୦ ଶଯ୍ୟା ଥିବା ଘରୋଇ ହସ୍ପିଟାଲରେ ସର୍ବାଧିକ ୩ହଜାର ଡୋଜ୍, ୫୦-୩୦୦ଶଯ୍ୟା ଥିବା ହସ୍ପିଟାଲ ପାଇଁ ୬ହଜାର ଓ ୩ଶହରୁ ଅଧିକ ଶଯ୍ୟା ଥିବା ହସ୍ପିଟାଲରେ ସର୍ବାଧିକ ୧୦ହଜାର ଡୋଜ୍ ପ୍ରଦାନ କରାଯିବ। ପରବତୀ ମାସଗୁଡ଼ିକ ପାଇଁ ପଞ୍ଜୀକୃତ ହସ୍ପିଟାଲ ପାଇଁ ଯେଉଁ ଫର୍ମୁଲାରେ ଟିକା ଦିଆଯାଉଛି ତାହା କାର୍ଯ୍ୟକାରୀ ହେବ। କୋ-ୱିନ୍ ଆପ୍‌ ଜରିଆରେ ହିଁ ଟିକା ଅର୍ଡର କରିବାର ସୁଯୋଗ ମିଳିବ। ଯେଉଁମାନେ ସଫଳତାର ସହ ଫର୍ମ ଦାଖଲ କରିବେ ସେମାନଙ୍କୁ ଏକ ସ୍ବତନ୍ତ୍ର ଆଇଡି ନମ୍ବର ଦିଆଯିବ। ସେହି ଅନୁଯାୟୀ ସେମାନେ ପରବର୍ତୀ ମାସ ପାଇଁ ଟିକା ଅର୍ଡର କରିପାରିବେ।

ଟିକା ଅର୍ଡର ଦେଉଥିବା ଘରୋଇ ହସ୍ପିଟାଲ ୩ଦିନ ଭିତରେ ଟଙ୍କା ପଇଠ କରିବାକୁ ହେବ। ଜାତୀୟ ସ୍ବାସ୍ଥ୍ୟ କର୍ତୃପକ୍ଷ ବା ଏନ୍‌ଏଚ୍‌ଏଙ୍କ ପୋର୍ଟାଲ ଜରିଆରେ ଟଙ୍କା ଗ୍ରହଣ କରାଯିବ। ପରବର୍ତୀ ସମୟରେ ଜିଲ୍ଲା ଟିକାକରଣ ଅଧିକାରୀ ଆବଶ୍ୟକ ଟିକା ସଂପୃକ୍ତ ଘରୋଇ ହସ୍ପିଟାଲକୁ ପ୍ରଦାନ କରିବେ। ସେହିପରି ଘରୋଇ ହସ୍ପିଟାଲମାନେ ଟିକା ଗ୍ରହଣ କରିବା ସମୟରେ ସେଥିରେ କୌଣସି ପ୍ରକାର ସରକାରୀ ଲୋଗୋ ରହିଛି କି ନାହିଁ ତାହାର ଯାଞ୍ଚ କରିବାକୁ ହେବ। ଯଦି ଟିକାର ସରକାରୀ ଲୋଗୋ ରହିଥିବା ନଜରକୁ ଆସିବ ସେମାନେ ଏହାକୁ ଗ୍ରହଣ କରିବା ଉଚିତ୍ ନୁହେଁ। ସବୁ ଟିକାର ରେକର୍ଡ ରଖିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଟିକାକରଣ ସମୟରେ କେତେ ଟିକା ନଷ୍ଟ ହେଉଛି ସେ ସଂପର୍କରେ ମଧ୍ୟ ସୂଚନା ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର