ହସ୍ପିଟାଲରେ ଅକ୍ସିଜେନ‌ ବ୍ୟବହାର ନେଇ ଜାରି ହେଲା ଏସଓପି, ଭେଣ୍ଟିଲେଟରରେ ଅନ୍ତରୀଣ ଆଲାର୍ମ ବ୍ୟବସ୍ଥା କରାଯାଉ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ହସ୍ପିଟାଲରେ ଅକ୍ସିଜେନର ବ୍ୟବହାର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ଯଦି ଅକ୍ସିଜେନର ବ୍ୟବହାର ଠିକ ଭାବେ କରା ନ ଯାଏ, ତା’ହେଲେ ରାଜ୍ୟରେ ଆଗକୁ ଅକ୍ସିଜେନର ଅଭାବ ଦେଖାଦେଇପାରେ। ତେଣୁ କୋଭିଡ୍‌ ହସ୍ପିଟାଲରେ କିଭଳି ଅକ୍ସିଜେନର ଠିକ୍‌ ଭାବେ ବ୍ୟବହାର ହୋଇପାରିବ, ସେ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏସଓପି ଜାରି ହୋଇଛି। ସବୁ ଜିଲ୍ଲାପାଳ, ସିଡିଏମଓ, ମେଡିକାଲ କଲେଜର ଅଧ୍ୟକ୍ଷ ଓ କମିସନର ମାନଙ୍କୁ ଚିଠି ଜାରି ହୋଇଛି।

କରୋନାରେ ସଂକ୍ରମିତ ହେଉଥିବା ପ୍ରାୟ ୮୦ ପ୍ରତିଶତ ରୋଗୀ ଘରେ କିମ୍ବା କୋଭିଡ୍‌ କେୟାର ସେଣ୍ଟର ବା ସିସିସିରେ ଚିକିତ୍ସିତ ହୋଇପାରିବେ। ବଳକା ୨୦ ପ୍ରତିଶତ ରୋଗୀଙ୍କ ଭିତରୁ ୧୭ ଜଣଙ୍କଠାରେ ମଧ୍ୟମ ଧରଣର ଲକ୍ଷଣ ଦେଖାଯିବା ସହିତ ଅକ୍ସିଜେନର ଆବଶ୍ୟକତା ପଡ଼ିଥାଏ। ତହିଁରୁ ୩ ଜଣ ଆଇସିୟୁ କିମ୍ବା ଏନଆରବିଏମ, ଏନଆଇଭି, ଏଚଏଫଏନସି ଜରିଆରେ ଅକ୍ସିଜେନ ଥେରାପି ଦିଆଯାଇଥାଏ। ଏଭଳି ପରିସ୍ଥିତିରେ ଅକ୍ସିଜେନର ଉପଯୁକ୍ତ ବ୍ୟବହାର ଅତ୍ୟନ୍ତ ଜରୁରୀ। କୋଭିଡ୍‌ ରୋଗୀଙ୍କ ପାଇଁ ଅକ୍ସିଜେନ ସାଚୁରେସନ ସ୍ତର ୯୨-୯୪ ପ୍ରତିଶତ ଲକ୍ଷ୍ୟ ହାସଲ ପାଇଁ ସର୍ବନିମ୍ନ ସ୍ତରରେ ଅକ୍ସିଜେନ ପ୍ରବାହ ରଖିବା ଜରୁରୀ। ବାଇପାପ/ ଏଚଏଫଏନସିର ଅଯଥା ବ୍ୟବହାରକୁ ଏଡ଼ାଇବା ସହିତ ଆବଶ୍ୟକ ପଡ଼ିଲେ ଏଚଏଫଏନସି ବଦଳରେ ବାଇପାପ ଦିଆଯାଉ। ଜଣେ ରେସ୍ପିରେଟୋରି ଡାକ୍ତରଙ୍କ ପରାମର୍ଶରେ ହିଁ ଏଚଏଫଏନସି ଦିଆଯାଉ। ରୋଗୀଙ୍କ ନିଶ୍ବାସ ପ୍ରଶ୍ବାସରେ ବୃଦ୍ଧି ପାଇଁ ପ୍ରୋନ ପୋଜିସନକୁ ନିୟମିତ ଭାବେ କରିବା ସହିତ ଫିଜିଓଥେରାପି ମଧ୍ୟ ଦିଆଯାଉ। ନିୟମିତ ବ୍ୟବଧାନରେ ଅକ୍ସିଜେନ କଣ୍ଟେନରରେ ଅକ୍ସିଜେନର ସ୍ତର ଓ ଠିକ ସମୟରେ ଏହାକୁ ବଦଳାଇବା ଉପରେ ଗୁରୁତ୍ବ ଦିଆଯାଉ। ଭେଣ୍ଟିଲେଟରରେ ଆଲାର୍ମ ବ୍ୟବସ୍ଥା କରାଗଲେ ‌ଯେଉଁ ସମୟରେ ଅକ୍ସିଜେନର ସ୍ତର କମିବ ତାହା ବାଜି ଉଠିବ। ଫଳରେ ଅକ୍ସିଜେନର ଉତ୍ସକୁ ଠିକ ସମୟରେ ବଦଳା ଯାଇପାରିବ। ଏଚଡିୟୁରେ ଡିଜିଟାଲ ପ୍ରେସର ଗେଜ୍‌ ଲଗାଇବା ଫଳରେ ସିଲିଣ୍ଡରରେ କେତେ ଅକ୍ସିଜେନ ରହିଛି, ତାହା ଜଣାପଡ଼ିଥାଏ। ତେବେ ଯେଉଁଠାରେ ଏଭଳି ବ୍ୟବସ୍ଥା ନାହିଁ ସେଠାର ଇଣ୍ଟେନ୍ସିଭିଷ୍ଟ ସିଲିଣ୍ଡରର ଆକାରକୁ ବିଚାରକୁ ନେଇ କେତେ ସମୟ ଯାଏଁ ଅକ୍ସିଜେନ ଜାରି ରହିବ, ତାହାର ହିସାବ କରିବା ଦରକାର। ସିଲିଣ୍ଡର ବଦଳାଇବାକୁ ଅତିକମରେ ୫ରୁ ୧୦ ମିନିଟ ସମୟ ଲାଗୁଥିବାରୁ ସେଠାରେ ଉପସ୍ଥିତ ନର୍ସିଂ କିମ୍ବା ପାରା ମେଡିକାଲ ଷ୍ଟାଫ ଏହାର ୧୦ ମିନିଟ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିବା ଜରୁରୀ।

ଆଇସିୟୁ/ ଏଚଡିୟୁ / ସାଧାରଣ ଶଯ୍ୟାର ପ୍ରତିଦିନ ଅଡିଟ ଓ ଅକ୍ସିଜେନର ନିରାପଦ ବ୍ୟବହାର ଉପରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବ ଦେଇଛି। ହସ୍ପିଟାଲରେ ଅକ୍ସିଜେନ ବ୍ୟବହାରର ଶୈଳୀ, ଗ୍ୟାସ ପାଇପ୍‌ଲାଇନର ମରାମତି ଓ ରକ୍ଷଣାବେକ୍ଷଣ, ଗ୍ୟାସ ପ୍ଲାଣ୍ଟ ଓ ୱାଲ ମାଉଣ୍ଟେଡ ଗ୍ୟାସ ଆଉଟଲେଟର ସମ୍ପର୍କରେ ଅକ୍ସିଜେନ ଅଡିଟ କମିଟ ଏହାର ଅଡିଟ କରିବ। ଏହି ଟିମ୍‌ରେ ନିଶ୍ଚେତକ ବିଭାଗର ଅତିରିକ୍ତ ଅଧୀକ୍ଷକ, ଜେନେରାଲ ମେଡିସିନ/ରେସ୍ପିରେଟରି ମେଡିସିନର ମୁଖ୍ୟ ଓ ନର୍ସିଂ ଅଧୀକ୍ଷକ ରହିବେ। ହସ୍ପିଟାଲରେ କାର୍ଯ୍ୟରତ ନର୍ସ ଓ ଓଟି ଟେକ୍‌ନିସିଆନ କିଭଳି ଠିକ ଭାବେ ଅକ୍ସିଜେନର ବ୍ୟବହାର କରିବେ, ସେ ସମ୍ପର୍କରେ ନିୟମିତ ତାଲିମ ପ୍ରଦାନ କରାଯିବ। ‌

ସେହିପରି ସିଡିଏମଓଙ୍କ ସହାୟତାରେ ଜିଲା ମାଜିଷ୍ଟ୍ରେଟ ସପ୍ତାହରେ ଥରେ କୋଭିଡ୍‌ ହସ୍ପିଟାଲରେ ଅକ୍ସିଜେନର ବ୍ୟବହାର ନେଇ ତଦାରଖ କରିବାକୁ କୁହାଯାଇଛି। ପ୍ରତି ସିଫ୍ଟ ପାଇଁ ନର୍ସଙ୍କ ଟିମ୍‌ ଓ ଜଣେ ଓଟି ଟେକନିସିଆନଙ୍କୁ ନେଇ ଏକ ଅକ୍ସିଜେନ ମନିଟରିଂ ଟିମ ଗଠନ କରାଯିବ। ଏହି ଟିମ୍‌ ଅକ୍ସିଜେନ ଯୋଗାଣ/ ଚିକିତ୍ସାର ପରିଦର୍ଶନ କରିବା ସହିତ ଗ୍ୟାସ୍‌ ପାଇପ୍‌ଲାଇନ, ୱାଲ ମାଉଣ୍ଟେଡ ଗ୍ୟାସ ଆଉଟଲେଟ୍‌ ଓ ସିଲିଣ୍ଡରରେ କୌଣସି ପ୍ରକାରର ଲିକ୍‌ ହେଉଛି କି ନାହିଁ, ତାହାର ତଦାରଖ କରିବେ। ଏହି ଟିମରେ ଥିବା ନର୍ସ ନିୟମିତ ବ୍ୟବଧାନରେ ଅକ୍ସିଜେନ ମାସ୍କର ଯାଞ୍ଚ କରିବେ।

ସମ୍ବନ୍ଧିତ ଖବର