ଘ‌ରୋଇ ହସ୍ପିଟାଲଙ୍କ ଟଙ୍କା ଫେରସ୍ତ ପାଇଁ ଜାରିହେଲା ଏସ୍‌ଓପି

ଭୁବନେଶ୍ବର : ଚଳିତବର୍ଷ ମାର୍ଚ ପହିଲାରୁ ୩୦ ଏପ୍ରିଲ ଭିତରେ ଘରୋଇ ହସ୍ପିଟାଲମାନଙ୍କୁ କରୋନା ଟିକା ଯୋଗାଇ ଦିଆଯାଇଥିଲା। ମାତ୍ର ମେ’ମାସରୁ କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଲାଗୁ ହେବା ପରେ ୩୦ ଏପ୍ରିଲ ସୁଦ୍ଧା ଘରୋଇ ହସ୍ପିଟାଲରେ ଥିବା ଟିକା ଫେରାଇ ଦେବାକୁ କୁହାଯାଇଥିଲା। ତେଣୁ ଯେଉଁ ଘରୋଇ ହସ୍ପିଟାଲମାନେ ଟିକା ଫେରାଇଥିଲେ ସେମାନେ ଏବେ ନିଜର ଟଙ୍କା ଫେରସ୍ତ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଏସ୍‌ଓପି ପ୍ରସ୍ତୁତ କରାଯାଇଛି। ଚଳିତମାସ ୩୧ତାରିଖ ସୁଦ୍ଧା ଘରୋଇ ହସ୍ପିଟାଲମା‌ନେ ନିଜର ଟଙ୍କା ଫେରସ୍ତ ଦାବି ଉପସ୍ଥାପନ କରିବା ଲାଗି କୁହାଯାଇଛି। ଆଜି ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ, ସିଡିଏମ୍‌ଓଙ୍କୁ ଚିଠି ଜାରି ହୋଇଛି।

ମାର୍ଚ-ଏପ୍ରିଲ ଭିତରେ ଘରୋଇ ହସ୍ପିଟାଲମାନଙ୍କୁ ୧୫୦ ଟଙ୍କାରେ ଟିକା ଦିଆଯାଇଥିଲା। ଏଥିପାଇଁ ହସ୍ପିଟାଲମାନେ ଜାତୀୟ ସ୍ବାସ୍ଥ୍ୟ କର୍ତୃପକ୍ଷ ବା ଏନ୍‌ଏଚ୍‌ଏ ନିକଟରେ ଟଙ୍କା ପଇଠ କରିଥିଲେ। ମାତ୍ର ମେ’ମାସରେ ନୂଆ ଟିକା ନୀତି ଲାଗୁ ହେବା ପରେ ସେମାନଙ୍କ ନିକଟରେ ବଳି ପଡ଼ିଥିବା ଟିକା ଫେରାଇବାକୁ କୁହାଯାଇଥିଲା। ତେଣୁ ଯେତିକି ଟିକା ଫେରାଇଛନ୍ତି ସେ ବାବଦ ଟଙ୍କା ଫେରସ୍ତ ନେବା ଲାଗି ଏସ୍‌ଓପି ପ୍ରସ୍ତୁତ ହୋଇଛି। ଏନ୍‌ଏଚ୍‌ଏ ପୋର୍ଟାଲରେ ସେମାନେ ଦାବି କରିପାରିବେ। ଜିଲ୍ଲା ଟିକାକରଣ ଅଧିକାରୀ ଘରୋଇ ହସ୍ପିଟାଲଙ୍କ ଟଙ୍କା ଫେରସ୍ତ ଦାବିକୁ ଅନୁଧ୍ୟାନ କରିବେ। ଯଦି ଏହାକୁ ନେଇ ବିବାଦ ଦେଖା‌ଦିଏ ତାହେଲେ ରାଜ୍ୟ ଟିକାକରଣ ଅଧିକାରୀ ଏ ସଂପର୍କରେ ନିଷ୍ପତ୍ତି ନେଇପାରିବେ। ସମସ୍ତ କାର୍ଯ୍ୟ ଅନଲାଇନ୍‌ ଜରିଆରେ କରାଯିବ ବୋଲି କୁହାଯାଇଛି। ଏହାସହ ଜୁନ୍ ୨୧ରେ ନୂଆ ଟିକା ନୀତି ଲାଗୁ ହେବା ପରେ ଜୁନ୍ ୩୦ତାରିଖ ପର୍ଯ୍ୟନ୍ତ ଯେଉଁ ଘରୋଇ ହସ୍ପିଟାଲ ଟିକା ପାଇଁ ଟଙ୍କା ପଇଠ କରିଛନ୍ତି ସେମାନଙ୍କ ଟଙ୍କା ମଧ୍ୟ ଫେରାଇ ଦିଆଯିବ।

ସେହିପରି ‌ଏବେ ଘରୋଇ ହସ୍ପିଟାଲମା‌ନେ ନିଜର ଏକ ସପ୍ତାହରେ ହୋଇଥିବା ଟିକାକରଣର ୩ଗୁଣା ଟିକା ମଗାଇ ପାରିବାର ନିୟମ ରହିଛି। ଏ ଦୃଷ୍ଟିରୁ ଜୁନ୍‌ ମାସରେ ଯେଉଁ ‌ଘରୋଇ ହସ୍ପିଟାଲରେ ଟିକା ପାଇଁ ଟଙ୍କା ପଇଠ କରିଥିଲେ ସେମାନେ ଚାହିଁଲେ ଜୁଲାଇ ମାସର ଇଣ୍ଡେଣ୍ଟରେ ମଧ୍ୟ ଜୁନ୍‌ ମାସର ସଂଖ୍ୟାକୁ ସାମିଲ କରିପାରିବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର