ଶିଶୁ ଓ କିଶୋରଙ୍କ କୋଭିଡ ଯତ୍ନ ନେଇ ଜାରି ହେଲା ଏସ୍‌ଓପି

ଭୁବନେଶ୍ବର : କରୋନାର ତୃତୀୟ ଲହରରେ ଶିଶୁ ଓ କିଶୋରମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହେବା ନେଇ ବିଶେଷଜ୍ଞମାନେ ମତ ଦେଉଛନ୍ତି। ତେଣୁ ତୃତୀୟ ଲହରକୁ ନଜରରେ ରଖି ରାଜ୍ୟ ସରକାର ଶିଶୁ ଓ କିଶୋରଙ୍କ କୋଭିଡ୍ ଯତ୍ନ ନେଇ ଆଜି ଏକ ଏସ୍‌ଓପି ଜାରି କରିଛନ୍ତି। ସବୁ ଜିଲ୍ଲାପାଳ, ସିଡିଏମ୍‌ଓ, ୭ ମେଡିକାଲ କଲେଜର ଅଧୀକ୍ଷକ, ଶିଶୁ ଭବନ, କ୍ୟାପିଟାଲ, ଆରଜିଏଚ୍‌ର ନିର୍ଦେଶକଙ୍କୁ ଚିଠି ଜାରି କରିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା କୋଭିଡ ସଂକ୍ରମିତଙ୍କ ମଧ୍ୟରେ ୮ ପ୍ରତିଶତ ଶିଶୁ ଓ କିଶୋର ରହିଛନ୍ତି। ସୁସ୍ଥ ଶିଶୁ କୋଭିଡ୍‌ରେ ଗୁରୁତର ହୋଇପଡ଼ିବା କମ୍ ଦେଖିବାକୁ ମିଳିଛି। ମାତ୍ର ଜଟିଳ ରୋଗ ଥିବା ଶିଶୁଙ୍କ ପାଇଁ କରୋନା ଘାତକ ହୋଇପାରେ। ତେଣୁ ଟିକା ଉପଲବ୍ଧ ହେଲେ ଜଟିଳ ରୋଗ ଥିବା ଶିଶୁଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ ଜରୁରୀ।

କୋଭିଡ ଚିକିତ୍ସା ବ୍ୟବସ୍ଥାରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ କେବଳ ଶିଶୁମାନଙ୍କ ଚିକିତ୍ସା ପାଇଁ ସଂରକ୍ଷିତ ରଖିବା ସହିତ ପିତାମାତାଙ୍କୁ ଶିଶୁ ସହିତ ରହିବାର ଅନୁମତି ଦିଆଯିବ। କୋଭିଡ୍‌ରୁ ମୁକ୍ତ ହୋଇଥିବା ଶିଶୁଙ୍କ ଏମ୍‌ଆଇଏସ୍‌-ସି, ବ୍ଲାକ୍ ଫଙ୍ଗସ୍ ଓ ଅନ୍ୟ କୋଭିଡ୍ ପରବର୍ତ୍ତୀ ସମସ୍ୟା ଆଦିର କୋଭିଡ୍ ବ୍ୟବସ୍ଥାରେ ହିଁ ଚିକିତ୍ସା କରାଯିବ। ସେହିପରି ଗୁରୁତର ସଂକ୍ରମିତ ହୋଇଥିବା ଶିଶୁଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରୋଟୋକଲ ଜାରି କରାଯାଇଛି। ତେଣୁ ଆଇଭରମେକ୍ଟିନ୍/ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍/ଫାଭିପିରାଭିର / ଆଣ୍ଟିବଡି ତଥା ଡକ୍ସିସାଇକ୍ଲିସିନ୍ କିମ୍ବା ଆଜିଥ୍ରୋମାଇସିନ୍ ଇତ୍ୟାଦି ଶିଶୁମାନଙ୍କୁ ଦିଆଯିବ ନାହିଁ। ଅଧିକାଂଶ କରୋନା ସଂକ୍ରମିତ ଶିଶୁ ଲକ୍ଷଣ ବିହୀନ କିମ୍ବା ସ୍ବଳ୍ପ ଲକ୍ଷଣ ଥିବା ଦୃଷ୍ଟିରୁ ଘରେ ରହି ଚିକିତ୍ସିତ ହୋଇପାରିବେ। ଘରେ ରହି ଚିକିତ୍ସିତ ହେଉଥିବା ଶିଶୁଙ୍କ କ୍ଷେତ୍ରରେ ଗୋଷ୍ଠୀସ୍ତରରେ ଆଶା/ଏମ୍‌ପିଡବ୍ଲୁ ଶିଶୁକୁ ଉନ୍ନତ ଚିକିତ୍ସା ପାଇଁ ଆଡମିସନ୍‌ କିମ୍ବା ରେଫରାଲର ଅନୁଶୀଳନ କରିବେ। ‌ଏହାସହ ଗୋଷ୍ଠୀ ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ରେଡ୍‌ ଫ୍ଲାଗ୍ ଚିହ୍ନ ସଂପର୍କରେ ଜାଣିବା ନେଇ ତାଲିମ ଦିଆଯିବା ଜରୁରୀ। ସେହିପରି ରାଜ୍ୟର ୩ଟି ପୁରୁଣା ମେଡିକାଲ କଲେଜ ଏସ୍‌ସିବି, ଏମ୍‌କେସିଜି ଓ ବୁର୍ଲାର ପିଜି ବିଭାଗଗୁଡ଼ିକୁ କୋଭିଡ୍‌ ଯତ୍ନ ତଥା ଗବେଷଣା ପାଇଁ ଆଞ୍ଚଳିକ ଉତ୍କର୍ଷ କେନ୍ଦ୍ର ଭାବେ ଚିହ୍ନଟ କରାଯିବ। କ୍ଲିନିକାଲ ମ୍ୟାନେଜମେଣ୍ଟ ଓ ତାଲିମ ନେଇ ଏହି କେନ୍ଦ୍ରଗୁଡ଼ିକ ନେତୃତ୍ବ ନେବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଟେଲିମେଡିସିନ୍ କେନ୍ଦ୍ରକୁ ଅଧିକ ସଶକ୍ତ କରିବା ସହିତ ଅଧିକରୁ ଅଧିକ ଚିକିତ୍ସା କେନ୍ଦ୍ରକୁ ଯୋଡ଼ିବା ଉପରେ ଗୁରୁତ୍ବ ଦିଆଯାଇଛି।

ତୃତୀୟ ଲହରରେ ରାଜ୍ୟ ସରକାର ଦୈନିକ ୧୦ ହଜାର ସଂକ୍ରମଣ ସହିତ ଶିଶୁଙ୍କ ସଂକ୍ରମଣକୁ ନଜରରେ ରଖି ଶଯ୍ୟା ପ୍ରସ୍ତୁତ କରୁଛନ୍ତି। ଯଦି ପ୍ରତ୍ୟେକ ଦିନ ୧୫୦ ଶିଶୁ ସଂକ୍ରମିତ ହୁଅନ୍ତି, ତାହାଲେ ଶିଶୁଙ୍କ ପାଇଁ ୨୮୫୦ ସାଧାରଣ ଶଯ୍ୟା, କ୍ରିଟିକାଲ କେୟାର ପାଇଁ ୧୫୦କୁ ମିଶାଇ ସମୁଦାୟ ୩ ହଜାର ଶଯ୍ୟାର ଆବଶ୍ୟକତା ପଡ଼ିବ। ଚିହ୍ନଟ ହେଉଥିବା ଶିଶୁଙ୍କ ଭିତରୁ ୧୫ପ୍ରତିଶତ ସାଧାରଣ ଶଯ୍ୟା ଓ ୫ ପ୍ରତିଶତଙ୍କୁ କ୍ରିଟିକାଲ କେୟାରକୁ ମିଶାଇ ସମୁଦାୟ ୨୦ପ୍ରତିଶତ ଶିଶୁଙ୍କ ହସ୍ପିଟାଲର ଆବଶ୍ୟକତା ପଡ଼ିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର