ଟୋସିଲିଜୁମା ଓ ଅନ୍ୟ କୋଭିଡ ଔଷଧ ନେଇ ଜାରି ହେଲା ଏସ୍‌ଓପି

ଔଷଧ ନିଗମରୁ ଔଷଧ ନେଉଥିବା ଘରୋଇ ହସ୍ପିଟାଲ ଦେବେ ୟୁସି

ଭୁବନେଶ୍ବର : କରୋନା ରୋଗୀଙ୍କ ପାଇଁ ଆବଶ୍ୟକ ପଡ଼ୁଥିବା ଟୋସିଲିଜୁମା ଓ ଅନ୍ୟ କରୋନା ଔଷଧ ନେବାକୁ ଚାହୁଥିବା ଘରୋଇ ହସ୍ପିଟାଲମାନଙ୍କ ପାଇଁ ଆଜି ରାଜ୍ୟ ସରକାର ଏସ୍‌ଓପି ଜାରି କରିଛନ୍ତି। ଯେଉଁ ଘରୋଇ ହସ୍ପିଟାଲ ଏହି ଔଷଧ ଓ ଇଞ୍ଜେକସନ୍ ରାଜ୍ୟ ଔଷଧ ନିଗମଠାରୁ ନେବାକୁ ଚାହୁଛନ୍ତି, ସେମାନେ ଏଥିପାଇଁ ରୋଗୀଙ୍କ ଚିକିତ୍ସା ସଂପର୍କିତ ସମସ୍ତ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଏପରିକି ଏ ବାବଦ ୟୁସି ଦେବାକୁ କୁହାଯାଇଛି।

ଆଜି ସ୍ବ‌ାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ, ସିଡିଏମ୍‌ଓ, ସବୁ ମେଡିକାଲ କଲେଜର ଅଧୀକ୍ଷକ, ଘ‌ରୋଇ ହସ୍ପିଟାଲର ସିଏମ୍‌ଓ/ଅଧୀକ୍ଷକ, ଆଚାର୍ଯ୍ୟ ହରିହର କର୍କଟ, କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ୍‌ ଓ ଏମ୍‌ସକୁ ଚିଠି ଜାରି ହୋଇଛି। ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅକ୍ସିଜେନ୍ ଆବଶ୍ୟକ କରୁଥିବା ମଧ୍ୟମ ଲକ୍ଷଣ ଥିବା ସଂକ୍ରମିତ ବ୍ୟକ୍ତି ଓ ଭେଣ୍ଟିଲେଟର୍‌ରେ ଷ୍ଟେରୋଏଡ୍ ଦିଆଯିବା ପରେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁ ନଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଟୋସିଲିଜୁମାର ବ୍ୟବହାର ହୋଇପାରିବ ବୋଲି କୁହାଯାଇଛି। ଟୋସିଲିଜୁମା ଦିଆଯିବା ପରେ ରୋଗୀଙ୍କୁ ନିରୀକ୍ଷଣ କରିବା ଓ ଏଚ୍‌ଆଇଭି, ଯକ୍ଷ୍ମା, ହେପାଟାଇଟିସ୍ ଓ ୧ଲକ୍ଷରୁ ତଳକୁ ପ୍ଲେଟଲେଟ୍‌ ରହିଥିବା ଲୋକଙ୍କ କ୍ଷେତ୍ରରେ ବ୍ୟବହାର ନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏଭଳି ଔଷଧ ବହୁତ କମ୍ ସଂଖ୍ୟାରେ ଯୋଗାଣ ହେଉଥିବାରୁ ଏହାକୁ ବ୍ୟବହାର କରିବା ପରିବାର ଲୋକ, ଆଟେଣ୍ଡାଣ୍ଟଙ୍କ ଅନୁମତି ସହିତ କାଉନସେଲିଂର ଆବଶ୍ୟକତା ରହିଛି। ରାଜ୍ୟରେ ଏସବୁ ଔଷଧର ବ୍ୟବହାର ନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଅନେକ ସମୟରେ ଘରୋଇ ହସ୍ପିଟାଲ ପକ୍ଷରୁ ଟୋସିଲିଜୁମା ଓ ଅନ୍ୟ ଔଷଧ ବ୍ୟବହାର ପାଇଁ ଯେଉଁ ଆବେଦନ ଆସୁଛି, ତହିଁରେ ରୋଗୀଙ୍କ ସଂପର୍କରେ ଯଥେଷ୍ଟ ସୂଚନା ଦିଆଯାଉନାହିଁ। ଫଳରେ ବିଶେଷଜ୍ଞ କମିଟି ଏସବୁ ଔଷଧକୁ ବ୍ୟବହାର ପାଇଁ ଅନୁମତି ଦେବା ସମୟରେ ସମସ୍ୟା ସୃଷ୍ଟି ହେଉଛି। ଏପରିକି ଯେଉଁ ରୋଗୀଙ୍କ ପାଇଁ ଏସବୁ ଔଷଧ ଆବେଦନ କରାଯାଉଛି, ହେଲେ ତାହାକୁ ବ୍ୟବହାର କରାଯାଉ ନଥିବା ନଜରକୁ ଆସୁଛି। ତେଣୁ ଟୋସିଲିଜୁମା ଓ ଅନ୍ୟ କରୋନା ଔଷଧ ପାଇଁ ଆବେଦନ କରିବା ସମୟରେ ଘରୋଇ ହସ୍ପିଟାଲ ପକ୍ଷରୁ ରୋଗୀଙ୍କ ସଂପର୍କରେ ସମସ୍ତ ତଥ୍ୟ ଉପଯୁକ୍ତ ପ୍ରୋଫୋର୍ମାରେ ପଠାଇବା ଲାଗି କୁହାଯାଇଛି।

ଏହାସହ ବିଶେଷଜ୍ଞ କମିଟିର ମୁଖ୍ୟ ପ୍ରଫେସର ଡା. ବିଦ୍ୟୁତ ଦାସ, ଡିଏମ୍‌ଇଟିଙ୍କୁ ଇ‌-ମେଲ କିମ୍ବା ହ୍ବାଟସଆପ୍‌ରେ ପଠାଇ ପାରିବେ। ଆବେଦନ କରିଥିବା ହସ୍ପିଟାଲର ସ୍ବୀକୃତିପ୍ରାପ୍ତ ପ୍ରତିନିଧି ଏହି ଔଷଧକୁ ନେବା ସହିତ ହସ୍ପିଟାଲର ଡାକ୍ତର ଫୋନ୍‌ରେ ଉପଲବ୍ଧ ରହିବା ଜରୁରୀ। ଏହାସହ ବ୍ୟବହୃତ ଔଷଧର ୟୁସି ପ୍ରଦାନ କରିବା ସହିତ ଖାଲି ଭାଏଲଗୁଡ଼ିକୁ ଯାଞ୍ଚ ପାଇଁ ରଖିବା ଆବଶ୍ୟକ। ଯେଉଁ ଔଷଧ ବ୍ୟବହାର ହୋଇପାରିନାହିଁ, ତାହାକୁ ରାଜ୍ୟ ଔଷଧ ନିଗମକୁ ଫେରାଇ ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର