୨୨ ଜିଲ୍ଲାର ୧୨୫ଟି ବ୍ଲକରେ କାର୍ଯ୍ୟକାରୀ ହେବ ‘ସୋପାନ’

ହ୍ରାସ ପାଇଛି ଶିଶୁ ଅପପୁଷ୍ଟି କିନ୍ତୁ ନିୟନ୍ତ୍ରିତ ହୋଇନି, ବାଧକ ହେଉଛି କୋଭିଡ

ଭୁବନେଶ୍ବର : ଫେବ୍ରୁଆରିରୁ ରାଜ୍ୟର ୨୨ଟି ଜିଲ୍ଲାର ୧୨୫ଟି ବ୍ଲକରେ ‘ସୋପାନ’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବା ନେଇ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲାଗୁଡ଼ିକୁ ଟଙ୍କା ମଧ୍ୟ ପଠା ସରିଛି। ଏ ସଂକ୍ରାନ୍ତରେ ପ୍ରସ୍ତୁତ ଗାଇଡ୍‌ଲାଇନ୍‌ ଜିଲ୍ଲାଗୁଡ଼ିକୁ ପଠାଇବାର ବାକି ରହିଛି। ବର୍ତ୍ତମାନ କୋଭିଡ୍‌ ପରିସ୍ଥିତି ଥିବାରୁ ଯୋଜନା କିଭଳି ଆରମ୍ଭ ହେବ, ତାକୁ ନେଇ ତର୍ଜମା କରାଯାଉଛି। ଏଥିସହ କୋଭିଡ୍‌ ଯୋଗୁଁ ଅତିରିକ୍ତ କ’ଣ କରାଯାଇ ପାରିବ, ତାହା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି। ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶ ମଧ୍ୟ ଜିଲ୍ଲାଗୁଡ଼ିକୁ ପହଞ୍ଚିଯିବ ବୋଲି ରାଜ୍ୟ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଙ୍ଗନବାଡି କେନ୍ଦ୍ର ବନ୍ଦ ଥିବାରୁ ବିଭାଗ ପାଇଁ ଯୋଜନା କାର୍ଯ୍ୟକାରୀ କରିବା ଏକ ଚ୍ୟାଲେଞ୍ଜ ହୋଇଛି।

Twitter

ରାଜ୍ୟ‌ରେ ଥିବା ସମୁଦାୟ ୭୨ହଜାର ୫୮୭ ଅଙ୍ଗନବାଡି କେନ୍ଦ୍ର ଜରିଆରେ ୯.୧୯ଲକ୍ଷ ଗର୍ଭବତୀ ଏବଂ ପ୍ରସୂତି, ୬ ମାସରୁ ୩ବର୍ଷର ୧୭.୯୩ ଲକ୍ଷ ଶିଶୁ, ୩ରୁ ୬ବର୍ଷ ପର୍ଯ୍ୟନ୍ତ ୧୬.୧୩ ଲକ୍ଷ ଶିଶୁଙ୍କ ମଧ୍ୟରେ ଆଇସିଡିଏସ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏଥି ଅନ୍ତର୍ଗତରେ ଗର୍ଭବତୀ ଏବଂ ଶିଶୁଙ୍କୁ ଅଣ୍ଡା, ଛତୁଆ ସମେତ ବିଭିନ୍ନ ପ୍ରକାର ପୋଷଣ ଯୁକ୍ତ ଖାଦ୍ୟ ପ୍ରଦାନ ସମେତ ବିଭିନ୍ନ ପ୍ରକାର ବ୍ୟବସ୍ଥା ରହିଛି। ଏହା ସତ୍ତ୍ବେ ରାଜ୍ୟରେ ଶିଶୁ ଅପପୁଷ୍ଟି ଯେଉଁଭଳି ନିୟନ୍ତ୍ରିତ ହେବା କଥା ହୋଇପାରିନାହିଁ। ଏନଏଫଏଚ୍‌ଏସ୍‌ (ଜାତୀୟ ପରିବାର ସ୍ବାସ୍ଥ୍ୟ ସ୍ବାସ୍ଥ୍ୟ ସର୍ଭେ) ୨୦୧୫-୧୬ ଏବଂ ୧୯-୨୧ରେ ଜାରି ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି।

 

୦ରୁ ୫ ବର୍ଷ ମଧ୍ୟରେ ବୟସ ତୁଳନାରେ କମ ଉଚ୍ଚତା ଥିବା ଶିଶୁ ୨୦୧୫-୧୬ ମସିହାରେ ୩୪.୧ ପ୍ରତିଶତ, ଉଚ୍ଚତା ତୁଳନାରେ କମ ଓଜନ ଥିବା ଶିଶୁ ୨୦.୪ ପ୍ରତିଶତ, ଉଚ୍ଚତା ତୁଳନାରେ ଅତି କମ ଓଜନ ଥିବା ଶିଶୁ ୬.୪ ପ୍ରତିଶତ, କମ ଓଜନ ଥିବା ଶିଶୁ ୩୪.୪ ପ୍ରତିଶତ ରହିଛି। ବେଳେ ଏହି ହାର ୨୦୧୯-୨୧ରେ ୩୧ ପ୍ରତିଶତ, ୧୮.୧ ପ୍ରତିଶତ, ୬.୧ ପ୍ରତିଶତ ଏବଂ ୨୯.୭ ପ୍ରତିଶତ ରହିଛି। ଶିଶୁ ରକ୍ତହୀନତାର ସ୍ଥିତି ଆହୁରି ଜଟିଳ ରହିଛି। ୨୦୧୫-୧୬ ମସିହାରେ ୪୪ ପ୍ରତିଶତ ଏବଂ ୨୦୧୯-୨୧ ମସିହାରେ ୬୪.୨ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହେଉଛନ୍ତି। ଅର୍ଥାତ ଟଙ୍କା ଯେଉଁଭଳି ଖର୍ଚ ହେଉଛି ଲାଭ ସେହି ଅନୁସାରେ ବର୍ତ୍ତମାନ ସୁଦ୍ଧା ମିଳି ପାରି ନାହିଁ। ଅପପୁଷ୍ଟିର ମୁକାବିଲା ପାଇଁ ଖୋର୍ଧା, ପୁରୀ ଏବଂ କଟକ ଭଳି ଜିଲ୍ଲା ପାଇଁ ଯାହା କରିବାକୁ ପଡ଼ିବ ଦକ୍ଷିଣ ଏବଂ ପଶ୍ଚିମଓଡ଼ିଶାର ଆଭ୍ୟନ୍ତରୀଣ ଗାଁ ପାଇଁ ତାହା ଯଥେଷ୍ଟ ନୁହେଁ। ଆବଶ୍ୟକତା ଅନୁସାରେ ନିର୍ଦିଷ୍ଟ ବ୍ଲକ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କାର୍ଯ୍ୟକାରୀ ପାଇଁ କେନ୍ଦ୍ର ସରକାର ନିର୍ଦେଶ ଦେଇଥିଲେ।

ଏହାକୁ ଦୃଷ୍ଟିରେ ରଖି ୨୦୨୦ ମସିହାରେ ଓଡ଼ିଶା ସରକାର ‘ସୋପାନ’ ଯୋଜନା ପ୍ରସ୍ତୁତ କରିଥିଲେ। କୋଭିଡ ଯୋଗୁଁ ଏହା କାର୍ଯ୍ୟକାରୀ ହେବାରେ ବିଳମ୍ବିତ ହୋଇଥିଲା। ୨୦୨୧ ମସିହା ଫେବ୍ରୁଆରି ମାସରେ ଏଥିପାଇଁ କ୍ୟାବିନେଟ ୧ ହଜାର କୋଟି ଟଙ୍କା ଅନୁମୋଦନ କରିଥିଲେ। ଏଥିରେ ପୂର୍ବରୁ ସାମିଲ ହେଉନଥିବା ୧୫ରୁ ୧୯ ବର୍ଷିୟ କିଶୋରୀଙ୍କ ପାଇଁ ସାପ୍ତାହିକ ପୋଷଣଯୁକ୍ତ ଖାଦ୍ୟ, ୩ ବର୍ଷ ପର୍ଯ୍ୟନ୍ତ ଶିଶୁ ପାଇଁ କ୍ରେଚ, ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ, ଯତ୍ନ, ପୋଷଣ ଖାଦ୍ୟ ସହିତ ଗର୍ଭବତୀ ଏବଂ ପ୍ରସୂତିଙ୍କ ପାଇଁ ଅତିରିକ୍ତ ରନ୍ଧା ଖାଦ୍ୟ, ଓଜନ ଉତ୍ସବ, ଶକ୍ତି ବାର୍ତ୍ତା, ଦିଆଯାଉଥିବା ଚାଉଳର ଗୁଣାତ୍ମକମାନ ବୃଦ୍ଧି ଆଦି ଏହି ଯୋଜନାରେ ସାମିଲ କରାଯାଇଥିବା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଯେଉଁ ୨୨ ଜିଲ୍ଲାର ୧୨୫ ବ୍ଲକକୁ ଏଥିରେ ସାମିଲ କରାଯିବ ସେଗୁଡ଼ିକ ମଧ୍ୟରେ ରହିଛି ବରଗଡ଼ ଜିଲ୍ଲାର ୧୨ଟି ବ୍ଲକରୁ୨ଟି, ବଲାଙ୍ଗୀରର ୧୪ଟିରୁ ୧୧, ବୌଦ୍ଧର ୩ରୁ୧, ଦେବଗଡ଼ର ୩ରୁ୧, ଗଜପତିର ସମସ୍ତ ୭ଟି ବ୍ଲକ, ଗଞ୍ଜାମର ୨୨ରୁ୨, କଳାହାଣ୍ଡିର ୧୩ରୁ୯, କନ୍ଧମାଳର ୧୨ରୁ୯, ମାଲକାନଗିରିର ସମସ୍ତ ୭ ବ୍ଲକ, ନବରଙ୍ଗପୁରର ସମସ୍ତ ୧୦ ବ୍ଲକ, ନୁଆପଡ଼ାର ସମସ୍ତ ୫ ବ୍ଲକ, ସମ୍ବଲପୁରର ୯ରୁ୪, ସୋନପୁରର ୬ରୁ୪ ବ୍ଲକ, ଅନୁଗୁଳର ୮ରୁ୩, ଢେଙ୍କାନାଳର ୮ରୁ୨, ଯାଜପୁରର ୧୦ରୁ୨, ଝାରସୁଗୁଡ଼ାର ୫ରୁ୧, କେନ୍ଦୁଝରର ୧୩ରୁ୭, କୋରାପୁଟର ସମସ୍ତ ୧୪ ବ୍ଲକ, ମୟୂରଭଞ୍ଜର ୨୬ରୁ୭ ବ୍ଲକ, ରାୟଗଡ଼ାର ୧୧ରୁ ୧୦, ସୁନ୍ଦରଗଡ଼ର ୧୭ରୁ୭ ବ୍ଲକ ରହିଛି। ଏହି ଯୋଜନା ଜରିଆରେ କିଶୋରୀମାନେ ପୋଷଣଯୁକ୍ତ ଖାଦ୍ୟ ପାଇବେ, କ୍ରେଚ ଜରିଆରେ କର୍ମଜୀବୀ ମହିଳାଙ୍କ ଶିଶୁଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଣ, ୬ ବର୍ଷ ପର୍ଯ୍ୟନ୍ତ ଶିଶୁ ମଧ୍ୟରେ ଅପପୁଷ୍ଟି ହ୍ରାସ ସମେତ ଆହୁରି ଅନେକ ଲକ୍ଷ୍ୟ ରହିଛି। ରକ୍ତହୀନତା ସମସ୍ୟାର ସମାଧାନ ପାଇଁ ଏଥିରେ ବିଶେଷ ବ୍ୟବସ୍ଥା ନଥିବା ବିଶେଷଜ୍ଞମାନେ କହିଛନ୍ତି। ଆଗାମୀ ଦିନରେ ଏହି ଯୋଜନାକୁ ନେଇ ସ୍ଥିତି ସ୍ପଷ୍ଟ ହେବ। କୋଭିଡରେ ଅଙ୍ଗନବାଡି କେନ୍ଦ୍ର ବନ୍ଦ ଥିବାରୁ ଶିଶୁ ଏବଂ ଗର୍ଭବତୀଙ୍କୁ ଦିଆଯାଉଥିବା ଖାଦ୍ୟ ପରିବାରର ଅନ୍ୟମାନେ ବ୍ୟବହାର କରୁଛନ୍ତି। ଏଥିଯୋଗୁଁ ଅପପୁଷ୍ଟି ଆଶାଜନକ ଭାବରେ ଦୂର ହୋଇ ପାରୁନଥିବା କୁହାଯାଉଛି। ସୋପାନ ଯୋଜନା ଏହାକୁ କାର୍ଯ୍ୟକାରୀ କରିବାରେ ସକ୍ଷମ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର