ବାଲେଶ୍ୱର/ସୋର: ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ଆଜି ବାଲେଶ୍ବରରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ। ସମସ୍ତଙ୍କର ଦୃଷ୍ଟି କେନ୍ଦ୍ରୀଭୂତ ହୋଇଥିଲା ସୋର ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବର୍ତ୍ତମାନର ବିଧାୟକ ପର୍ଶୁରାମ ଧଡ଼ା ଓ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ଉପରେ। ରାଜେନ୍ଦ୍ରଙ୍କ ପ୍ରାର୍ଥିତ୍ବକୁ ନେଇ ବିବାଦ ଲାଗିରହିବାରୁ ଏହି ଆସନରୁ ବିଜେପି ପ୍ରାର୍ଥୀ ବଦଳାଇବ ବୋଲି ଚର୍ଚ୍ଚା ଲାଗି ରହିଥିଲା। ଏହାକୁ ନେଇ ଶେଷ ସମୟ ଯାଏ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଓ ଦ୍ବନ୍ଦ୍ବ ଉପୁଜିଥିବା ବେଳେ ନିର୍ଦ୍ଧାରିତ ସମୟରେ ଦୁଇ ପ୍ରାର୍ଥୀ ନିଜ ସମର୍ଥକମାନଙ୍କ ଗହଣରେ ଆସି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଗଣମାଧ୍ୟମ ଆଗରେ ଉଭୟ ନେତା ବିଜେପି ଟିକେଟ୍‌ରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବୋଲି କହିଥିଲେ। ତେବେ ପର୍ଶୁରାମ ତାଙ୍କୁ ମିଳିଥିବା ଦଳୀୟ ଟିକେଟ୍‌ ସର୍ବସମ୍ମୁଖରେ ଦେଖାଇ ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଓ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ସିଂ ତୋମାରଙ୍କଠାରୁ ଆଶୀର୍ବାଦ ନେବାପରେ ସବୁ କିଛି ସ୍ପଷ୍ଟ ହୋଇ ଯାଇଥିଲା।

Advertisment

publive-image

ସୂଚନାଯୋଗ୍ୟ ଯେ ଏପ୍ରିଲ ୨ ତାରିଖରେ ସୋର ବିଧାନସଭା ଆସନ ପାଇଁ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନଣ୍ଡଳୀର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି। ଯାହାକୁ ଜୋରଦାର ବିରୋଧ କରିଥିଲେ ପୂର୍ବଥର ବିଜେପି ଟିକେଟ୍‌ରେ ଲଢ଼ିଥିବା ତଥା ଏଥର ନିର୍ବାଚନ ପାଇଁ ପ୍ରତ୍ୟାଶୀ ଥିବା ରାକେଶ ମଲ୍ଲିକ ଓ ତାଙ୍କ ସମର୍ଥକ। ଏପରିକି ଟିକେଟ୍‌ ଘୋଷଣା ହେବା ପରଠାରୁ ରାଜେନ୍ଦ୍ରଙ୍କୁ ସୋରରେ ପୂରାଇ ଦିଆଯାଇନଥିଲା। ଏହାରି ମଧ୍ୟରେ ବିଜେଡି ବିଧାୟକ ପର୍ଶୁରାମ ଧଡ଼ାଙ୍କର ଟିକେଟ୍‌ କଟିଯିବାରୁ ସେ ନିଜ ପୁରୁଣା ଦଳ ବିଜେପିକୁ ଫେରିଥିଲେ। ରାଜେନ୍ଦ୍ରଙ୍କ ପ୍ରାର୍ଥିତ୍ବକୁ ନେଇ ଦଳ ଭିତରେ ବିବାଦ କ୍ରମଶଃ ତୀବ୍ର ହେବାରୁ ଏହାକୁ ପ୍ରଶମିତ କରିବା ପାଇଁ ପର୍ଶୁରାମଙ୍କୁ ପ୍ରାର୍ଥୀ କରିବା ଲାଗି ଗୋଟିଏ ପକ୍ଷ ଦାବି କରିଥିଲେ। ତେବେ ନାମାଙ୍କନପତ୍ରର ଶେଷ ଦିନ ପର୍ଯ୍ୟନ୍ତ ଏ ବାବଦରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନ ହେବାରୁ ରାଜେନ୍ଦ୍ର ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଥିବା କହିଛନ୍ତି। ଏ ସଂପର୍କରେ ତାଙ୍କର କହିବା କଥା ହେଲା, ସୋରରେ ପ୍ରାର୍ଥୀ ବଦଳାଇଥିବା ନିଷ୍ପତ୍ତି ବାବଦରେ ଦଳ ପକ୍ଷରୁ ତାଙ୍କୁ କୌଣସି ସୂଚନା ଦିଆଯାଇନାହିଁ। ଟିକେଟ୍‌ ମିଳିନଥିଲେ ବି ସେ ଘୋଷିତ ଦଳୀୟ ପ୍ରାର୍ଥୀ ତାଲିକାର ନକଲ ନିଜ ପ୍ରାର୍ଥିପତ୍ରରେ ସଂଲଗ୍ନ କରିଛନ୍ତି। ପ୍ରାର୍ଥିପତ୍ର ଯାଞ୍ଚ ବେଳେ ଦଳୀୟ ଟିକେଟ୍‌ ଦାଖଲ କରିବେ। ଯଦି ତାଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ କୁହାଯିବ, ତା’ ହେଲେ ସେ ଦଳର ନିର୍ଦ୍ଦେଶ ମାନିବେ। ସେପଟେ ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ବିଧାୟକ ପର୍ଶୁରାମ ଧଡ଼ାଙ୍କ ପ୍ରାର୍ଥିତ୍ବକୁ ଦଳ ଚୂଡ଼ାନ୍ତ କରିଥିବା କହିଛନ୍ତି।

ରାଜେନ୍ଦ୍ରଙ୍କ ପ୍ରାର୍ଥିପତ୍ର ଦାଖଲ ପରେ ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ସିଂ ତୋମାରଙ୍କ ସହ ପର୍ଶୁରାମ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନିଜ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିବା ସହ ତାଙ୍କୁ ମିଳିଥିବା ଟିକେଟ୍‌ ଦେଖାଇଥିଲେ। ଅନ୍ୟପକ୍ଷରେ ଦଳୀୟ ଟିକେଟ୍‌ରୁ ବଞ୍ଚିତ ହେବା ପରେ ରାକେଶ ମଳିକ ନିଜ ସମର୍ଥକମାନଙ୍କ ସହ ଏକ ବାଇକ୍‌ ଶୋଭାଯାତ୍ରାରେ ଆସି ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।