ଭଞ୍ଜନଗର/ସୋରଡ଼ା : ମାତ୍ର କିଛିଦିନ ତଳେ କୋଭିଡ୍‌ କଟକଣା ଉଲ୍ଲଘଂନ କରି ନିଜ ବାପାଙ୍କ ଶ୍ରାଦ୍ଧବାର୍ଷିକୀରେ ଶତାଧିକ ଲୋକଙ୍କୁ ଭୋଜିଦେଇ ଚର୍ଚ୍ଚାକୁ ଆସିଥିଲେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ। ଆଜି   ମାଟ୍ରିକ୍‌ ପରୀକ୍ଷା ଦେଇ ପୁଣିଥରେ ସେ ଚର୍ଚ୍ଚାକୁ ଆସିଛନ୍ତି। ସେ ଏକ ପୃଥକ୍‌  କକ୍ଷରେ ବସି ପରୀକ୍ଷା ଦେଇଲାବେଳେ  ସେଠାରେ ସିସିଟିଭି ଲାଗିଥିବା ଜଣାପଡ଼ିଛି।

Advertisment

ବିଧାୟକ ପୂର୍ଣ୍ଣଚନ୍ଦ୍ର ପୂର୍ବରୁ ଅନେକଥର ମାଟ୍ରିକ ପରୀକ୍ଷା ଦେବାପାଇଁ ଚେଷ୍ଟା କରିଥିଲେ। ମାତ୍ର ପାରିବାରିକ ତଥ‌ା  ରାଜନୈତିକ ବ୍ୟସ୍ତତା ଯୋଗୁ ସୁଯୋଗ ପାଇନଥିଲେ। ଆଜି କିନ୍ତୁ ସେ ପରୀକ୍ଷା ଦେବାର ସୁଯୋଗ ପାଇଥିଲେ।  ନିଜ ନିର୍ବାଚନମଣ୍ଡଳୀର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ହେଉଛି ତାଙ୍କ ପରୀକ୍ଷ‌ାକେନ୍ଦ୍ର। ନିର୍ଦ୍ଧାରିତ ସମୟରେ ପରୀକ୍ଷାକେନ୍ଦ୍ର  ପ୍ରବେଶ କରିବା ସମୟରେ ତାଙ୍କର ସ୍କ୍ରିନିଂ କରାଯିବା ସହ ଆଡମିଟ୍‌ କାର୍ଡ ଯାଞ୍ଚ କରାଯାଇଥିଲା। ସେ ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଥିବାନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ସହ ମେଡିକାଲ୍‌ ପ୍ରମାଣପତ୍ର ଦେଖା‌ଇଥ‌ିଲେ। ଏହାପରେ ବିଦ୍ୟାଳୟ ପକ୍ଷରୁ ହୋଇଥିବା ସ୍ବତନ୍ତ୍ର ଆଇସୋଲେସନ୍‌ କକ୍ଷରେ ଜଣେ ମାତ୍ର ପରୀକ୍ଷାର୍ଥୀ ଭାବେ ସେ ପରୀକ୍ଷା ଦେଇଥିଲେ।  ପରୀକ୍ଷା ଦେଉଥିବା କକ୍ଷରେ ସିସିଟିଭି ଲାଗିବା ସହ ପାଖ ଶ୍ରେଣୀରେ ନିରୀକ୍ଷକ ଭ‌ାବେ ଥିବା ଶିକ୍ଷକ ବିଧାୟକଙ୍କ ଉପରେ  ନଜର ରଖିଥିଲେ।  ବିଧାୟକ  ଜଣେ ସାଧାରଣ ପରୀକ୍ଷାର୍ଥୀ ଭାବେ  ପରୀକ୍ଷା ଦେଇଥିବା ସ୍କୁଲ୍‌ର  ପ୍ରଧାନଶିକ୍ଷକ କହିଛନ୍ତି।

ପୂର୍ଣ୍ଣଚନ୍ଦ୍ର   ସୋରଡ଼ା ନିର୍ବାଚନୀମଣ୍ଡଳୀରୁ ତିନିଥର ବିଧାୟକ  ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ଏବେ ୫୦ ବର୍ଷ ବୟସ। ଏହିଭଳି ଏକ ବୟସରେ ଶାସକ ଦଳର ଜଣେ ବିଧାୟକ ମାଟ୍ରିକ୍‌ ପରୀକ୍ଷା ଦେବା ବିଷୟ ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।  ଏହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ସାଧାରଣରେ ଆଲୋଚନା ହେଉଥିବାବେଳେ ଏ ସମ୍ପର୍କରେ ବିଧାୟକ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବିଧାୟକ ପୂର୍ଣ୍ଣଚନ୍ଦ୍ରଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ବିବାଦ ଉପୁଜିଥିଲା। ଗତ ୨୦୦୯ ମସିହା ନିର୍ବାଚନରେ ତାଙ୍କ ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା ଦଶମ ଉଲ୍ଲେଖ ଥିବା ଏବଂ ୨୦୧୪ ନିର୍ବାଚନରେ ନବମ ପାସ୍‌ ହୋଇଥିବା ଉଲ୍ଲେଖ କରି ବିବାଦରେ ଫସିଥିଲେ ପୂର୍ଣ୍ଣଚନ୍ଦ୍ର। ଏ ନେଇ ଅଭିଯୋଗ ଆସିବା ସହ ୨୦୧୯ ନିର୍ବାଚନରେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ସଂଗ୍ରାମ ମହାନ୍ତିଙ୍କ ପକ୍ଷରୁ ତାଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ବିବାଦ ଘେରକୁ  ଆସିଥିଲେ।