‘ସୌଭାଗ୍ୟ’ର ଦୁର୍ଭାଗ୍ୟ  : ଲାଗିଛି ମିଟର୍‌, ଜଳୁଛି ଡିବିରି

୧୪ ହଜାର ଘରକୁ ପହଞ୍ଚି ପାରିନି ବିଜୁଳି, ଠିକାଦାରଙ୍କ ମନମୁଖି କାର୍ଯ୍ୟ ଅଭିଯୋଗ

ସମ୍ବଲପୁର : ଦୀର୍ଘ ବର୍ଷ ଧରି ବିଜୁଳି ସଂଯୋଗ ପାଇ ନଥିବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରା ଯାଇଥିଲା ସୌଭାଗ୍ୟ ଯୋଜନା। କିନ୍ତୁ ସମ୍ବଲପୁର ଜିଲ୍ଲାରେ ଏହି ଯୋଜନା ଯେମିତି ଅନ୍ଧାର ଭିତରେ ବାଟବଣା। ହୀରାକୁଦ ନଦୀବନ୍ଧ (ଜଳବିଦ୍ୟୁତ କେନ୍ଦ୍ର)ଠାରୁ ମାତ୍ର ୨ କିମି ଦୂରରେ ରହିଥିବା ଗାଁରେ ବି ଦେଖିବାକୁ ମିଳିଛି ଏଭଳି ପରିସ୍ଥିତି। ନୂଆ ହୀରାକୁଦ ଓ ଡେଙ୍ଗିମଚା ଗାଁକୁ ଦୃଷ୍ଟାନ୍ତ ଭାବେ ନିଆଯାଇପ‌ାରେ। ଏଠାରେ ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ୍ ସଂଯୋଗ ହୋଇପାରି ନାହିଁ। ଏହାବାଦ୍ ଘାଟିପଡ଼ା ଓ କିସାନ ପଡ଼ାର କିଛି ବିପିଏଲ ପରିବାର ଏବେ ବି ଅନ୍ଧାରରେ ରହିଛନ୍ତି। ତେବେ ଘାଟିପଡ଼ା ଗ୍ରାମରେ ବିଦ୍ୟୁତ୍ ସଂଯୋଗ ପାଇଁ ଜିନିଷ ପତ୍ର ଆସି ଥୁଆ ହୋଇଛି, କିନ୍ତୁ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବିଦ୍ୟୁତ୍ ସଂଯୋଗ ସମ୍ଭବ ହେଉନଥିବା ସ୍ଥାନୀୟ ଲୋକେ ଅଭି‌େଯାଗ କରିଛନ୍ତି।

ନୂଆ ହୀରାକୁଦରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ବାରମ୍ବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ଏହି ଅଞ୍ଚଳରେ ନୂଆ ଟ୍ରାନ୍ସଫର୍ମର ଲାଗିଲା ଓ ବିଜୁଳି ଖୁଣ୍ଟ ପଡ଼ିଲା।

କିନ୍ତୁ ଏହି କାର୍ଯ୍ୟ ପାଇଁ ଟେଣ୍ଡର ନେଇଥିବା ଠିକାଦାର ଅଧାପନ୍ତରିଆ କାମ କରିଥିବାରୁ କିଛି ପରିବାର ଏବେ ବି ବିଦ୍ୟୁତ୍ ସଂଯୋଗରୁ ବଞ୍ଚିତ ରହିଥିବା ଲୋକେ କହିଛନ୍ତି। ବୁଡ଼ାକଡ଼ା, ଘାଟିପଡ଼ାର ୧୨ ନଂ ୱାର୍ଡରେ ରହୁଥିବା ସୁରୁ ମୁଣ୍ଡାଙ୍କ ଘରକୁ ତାର ଟଣା ଯାଇଛି। ମିଟର ବି ବସିଛି। କିନ୍ତୁ ୩ ମାସ ବିତି ସାରିଥିଲେ ବି ବିଦ୍ୟୁତ୍ ସଂଯୋଗ ଦିଆଯାଉ ନାହିଁ। ଏହି ଅଞ୍ଚଳର ମହାଲିମ୍‌ପଡ଼ା ଓ ଫଟଫଟିପଡ଼ାରେ ମଧ୍ୟ ସ୍ଥିତି ସମାନ ଥିବା ଦେଖିବାକୁ ମିଳିଛି। ସେପଟେ, ବିଦ୍ୟୁତ୍ ସଂଯୋଗ ଦାୟିତ୍ବରେ ଥିବା ୱେସ୍କୋ ନିର୍ବାହୀ ଯନ୍ତ୍ରୀ ଏ ସଂପର୍କରେ କହିଛନ୍ତି ଯେ, ଏହି ଯୋଜନା ଅନ୍ତର୍ଗତ ୪୫ ହଜାର ଘରକୁ ବିଦ୍ୟୁତ୍ ସଂଯୋଗ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏଯାବତ ୩୧ ହଜାର ପରିବାରକୁ ସଂଯୋଗ ଦିଆଯାଇ ସାରିଛି। ଚଳିତ ମାସ ଶେଷ ସୁଦ୍ଧା ବାକି ଘରଗୁଡ଼ିକୁ ମଧ୍ୟ ବିଦ୍ୟୁତ୍ ସଂଯୋଗ କରାଯିବ।

ସମ୍ବଲପୁର ମହାନଗର ନିଗମ, ରେଢ଼ାଖୋଲ ଓ କୁଚିଣ୍ଡାର ମୋଟ ୬୫ଟି ୱାର୍ଡ଼ର ୫୦୦୯ଟି ପରିବାରକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ଧନକଉଡ଼ା ବ୍ଲକର ୨୫ଟି ଗ୍ରାମର ୮୨୪ଟି, ରେଙ୍ଗାଲି ବ୍ଲକର ୪୪ଟି ଗ୍ରାମର ୮୩୪ଟି,ମାନେଶ୍ବରର ୧୩ଟି ଗ୍ରାମର ୪୬୮ଟି, ଯୁଯୁମୁରାର ୪୫ଟି ଗ୍ରାମର ୮୨୩ଟି, ଜମନକିରାର ୯୨ଟି ଗାଁର ୫୭୨ଟି, କୁଚିଣ୍ଡାର ୩୩ଟି ଗାଁର ୩୩୮ଟି, ବାମରାର ୫୬ଟି ଗ୍ରାମର ୩୫୧ଟି ପରିବାରକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମସ୍ତ ଏପିଏଲ ଓ ବିଦ୍ୟୁତ୍ ସଂଯୋଗ ପାଇନଥିବା ବିପିଏଲ ଘରଗୁଡ଼ିକୁ ନୂତନ ସଂଯୋଗ ଦିଆଯିବ। ବିପିଏଲ ପରିବାରକୁ ମାଗଣା ଓ ଏପିଏଲ ପରିବାରଙ୍କୁ ୫ଶହ ଟଙ୍କା (୧୦ଟି କିସ୍ତିରେ)ରେ ବିଦ୍ୟୁତ୍ ସଂଯୋଗ ଦିଆଯିବାର ନିୟମ ରହିଛି। ଗୋଟିଏ ପଟେ, କେନ୍ଦ୍ର ସରକାରଙ୍କ ଏହି ଯୋଜନା ଗରିବ ପରିବାରକୁ ବିଦ୍ୟୁତ୍ ସଂଯୋଗ ପାଇଁ ଆଶାର କିରଣ ଦେଖାଯାଉଥିବା ବେଳେ ଠିକଭାବେ କାର୍ଯ୍ୟକାରୀ ହେଉ ନଥିବାରୁ ଲୋକଙ୍କ ଅବସ୍ଥା ଯାହାକୁ ସେଇୟା ହୋଇ ରହୁଛି।

ସମ୍ବନ୍ଧିତ ଖବର