ଆନନ୍ଦପୁର:  ଘସିପୁରା ରାଜନୀତିରେ ଦିନକୁ ଦିନ ଶାସକ ଦଳ ପକ୍ଷରୁ ହିଂସାକୁ ଉତ୍ସାହିତ କରାଯାଉଛି। ଏଠାରେ ପୁଲିସ ନିରପେକ୍ଷତା ଅବଲମ୍ବନ କରୁନାହିଁ। ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକଙ୍କୁ ଗିରଫ କରିବା ଏବଂ ପୁଲିସ ବିଜେଡିର ହାତବାରିସି ସା‌ଜିବା ପ୍ରତିବାଦରେ ଆଜି ସ୍ବାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ତାଙ୍କର ହଜାର ହଜାର ସମର୍ଥକ ରାମଚନ୍ଦ୍ରପୁର ଥାନା ସମ୍ମୁଖରେ ସତ୍ୟାଗ୍ରହ କରିଛନ୍ତି। ଘସିପୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖଲଣା ଗ୍ରାମର ସୁନନ୍ଦ ସେଠୀଙ୍କୁ ହତ୍ୟା କରାଯାଇଥିଲା। ମୃତକଙ୍କ ପରିବାର ବିରୋଧରେ ପ୍ରତିପକ୍ଷଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ ହୋଇଥିଲା। ଏହି ମାମଲା ମିଛ ଓ ଉଦ୍ଦେଶ୍ୟମୂଳକ ବୋଲି ପୀଡ଼ିତ ପରିବାର ପକ୍ଷରୁ ଦର୍ଶାଯାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ମାମଲାରେ ପୁଲିସକୁ କେସ୍‌ ଡାଏରି ଓ ମେଡିକାଲ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ। ପୁଲିସ ନିର୍ଦ୍ଧାରିତ ସମୟରେ ତାହା ନକରି ହତ୍ୟାକାଣ୍ଡର ଶିକାର ହୋଇଥିବା ପରିବାରର ଏକାଧିକ ସଦସ୍ୟଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରିଛି।

Advertisment

ଏହାର ପ୍ରତିବାଦରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ରାମଚନ୍ଦ୍ରପୁର ଥାନା ସମ୍ମୁଖରେ ପୀଡ଼ିତ ପରିବାର ସଦସ୍ୟ ଓ ହଜାର ହଜାର ସମର୍ଥକଙ୍କୁ ନେଇ ସତ୍ୟାଗ୍ରହ କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଥିଲେ, କିଛିଦିନ ଧରି ପୁଲିସ କେବଳ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକଙ୍କୁ ଗିରଫ କରି ଭୟର ବାତାବରଣ ସୃଷ୍ଟି କରୁଛି। ଜିଲ୍ଲାର ମାଟି ତଳେ ଥିବା‌ ଖଣି ଲୁଟ୍‌ କରି ଶାସକ ଦଳ ଏଠାରେ ଗୁଣ୍ଡାମାନଙ୍କୁ ପୋଷି ସାଧାରଣ ଲୋକଙ୍କୁ ଭୟଭୀତ କରୁଛି। ପୁଲିସ କର୍ମଚାରୀମାନେ ମନେ ରଖିବା ଉଚିତ ଯେ, ସେମାନେ କେବଳ ବିଜେଡିର ପୁଲିସ ନୁହନ୍ତି। ସାରା ଓଡ଼ିଶାର ପୁଲିସ। ସାଧାରଣ ଜନତାଙ୍କ ସୁରକ୍ଷା ଦାୟିତ୍ବ ତାଙ୍କ ହାତରେ ନ୍ୟସ୍ତ ଅଛି। ମାତ୍ର, ନିର୍ଦ୍ଦିଷ୍ଟ ଦଳ ଓ ବିଧାୟକଙ୍କ ଇଙ୍ଗିତରେ ‌ପୁଲିସ କାମ କରୁଛି।

ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଥିଲେ, ‘ପୁଲିସ ଯେଉଁମାନଙ୍କୁ ଗିରଫ କରୁଛି ସେମାନେ କେବଳ ମୋର ସମର୍ଥକ କିଭଳି ହେଉଛନ୍ତି ତାହା ବୁଝିପାରୁ ନାହିଁ। କିଛିବର୍ଷ ଧରି ଏଠାକାର ରକ୍ତରଂଜିତ ରାଜନୀତିରେ ବିଧାୟକ ବଦ୍ରିବାବୁଙ୍କ ସମର୍ଥକମାନଙ୍କ କିଭଳି ହାତ ଅଛି ତାହା ସମସ୍ତେ ଜାଣିଛନ୍ତି।’ ନିର୍ବାଚନ ସମୟରେ ବଦ୍ରିବାବୁ ଓ ତାଙ୍କ ସମର୍ଥକମାନେ କିଭଳି ଶାନ୍ତ, ସରଳ ଓ ଧାର୍ମିକ ହୋଇଗଲେ, ଯାହାଙ୍କୁ ପୁଲିସ ହାତ ମାରିବାକୁ ବି ସାହସ କରୁନି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଏହି ନିର୍ବାଚନ କେବଳ ସେ ଲଢ଼ୁ ନାହାନ୍ତି; ଘସିପୁରାର ସାଧାରଣ ଜନତା ଲଢ଼ୁଛନ୍ତି। ଗୋଟିଏପଟେ ସାଧାରଣ ଲୋକ ଏବଂ ଅନ୍ୟପଟେ ସରକାରୀ କଳ, ବଳ ଓ ଧନବଳ ସହିତ ବଦ୍ରିବାବୁ ଲଢ଼ୁଛନ୍ତି। ସାଧାରଣ ଜନତା ଏହାର ବିଚାର କରିବେ। ସେହିପରି, ବଦ୍ରିବାବୁ ତାଙ୍କୁ ବିଦେଶୀ ବୋଲି କହୁଛନ୍ତି। ଆଜି ଯେଉଁ ଦେଶୀନେତା ତାଙ୍କ ପାଇଁ ପ୍ରଚାର କରିବାକୁ ଆସୁଛନ୍ତି, ତାଙ୍କ ସମ୍ପର୍କରେ ସେ ନିଜେ ତର୍ଜମା କରି ଦେଖନ୍ତୁ, ପ୍ରକୃତରେ କିଏ ବିଦେଶୀ। ସୌମ୍ୟରଞ୍ଜନ ପଟ୍ଟନାୟକ ନା କାର୍ତ୍ତିକେୟନ ପାଣ୍ଡିଆନ। ଏହାର ସଠିକ୍‌ ଜବାବ ଘସିପୁରାର ଜନତା ଦେବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।