ସାଉଥବଲଣ୍ଡା/ଅନୁଗୁଳ: ସାଂପ୍ରତିକ ରାଜନୀତିରେ ସାମୂହିକ ସ୍ୱାର୍ଥଜଡିତ ପ୍ରସଙ୍ଗ ଗୌଣ ହୋଇ ଯାଉଥିବା ବେଳେ ବ୍ୟକ୍ତି ବିଶେଷ ମୁଖ୍ୟ ହୋଇ ଯାଉଛନ୍ତି। ସଂଖ୍ୟା ଖେଳରେ ବଳିଆନ୍ ହୋଇ ଭୋଟ୍ କାଙ୍ଗାଳ ନେତାମାନେ ସମସ୍ୟା ବିଜଡ଼ିତ ମୁଖ୍ୟ ପ୍ରସଙ୍ଗଗୁଡ଼ିକୁ ଅଣଦେଖା କରି ଚାଲିଛନ୍ତି। ଯେଉଁଥି ପାଇଁ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ବି ସରକାରୀସ୍ତରରେ ବ୍ୟବହାର ହୋଇ ପାରୁନାହିଁ। କିଏ ଆମ ଶାସନତନ୍ତ୍ରରେ ଶତ୍ରୁ ସାଜି ଏଥିରେ ବାଧକ ସାଜିଛନ୍ତି, ସେମାନଙ୍କୁ ଚିହ୍ନଟ କରିବାର ସମୟ ଆସିଛି। ‘ସମ୍ବାଦ-ସାହିତ୍ୟ ଘର’ର କର୍ମକର୍ତାମାନେ ଏ ଚିହ୍ନଟ ପ୍ରକ୍ରିୟାର ନେତୃତ୍ୱ ନିଅନ୍ତୁ ଏବଂ କୋଟିକୋଟି ଓଡ଼ିଆଙ୍କୁ ଏଥିରେ ଯୋଡ଼ି ଓଡିଆ ଭାଷାକୁ ଆଗାମୀ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରାଇବାକୁ ‘ସମ୍ବାଦ’ର ସଂପାଦକ ତଥା ‘ସମ୍ବାଦ-ସାହିତ୍ୟ ଘର’ର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକ ଆହ୍ଵାନ ଦେଇଛନ୍ତି।
ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ସାଉଥ୍ବଲଣ୍ଡା ଜଗନ୍ନାଥ କଳାକେନ୍ଦ୍ରଠାରେ ଆଜି ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ‘ସମ୍ବାଦ-ସାହିତ୍ୟ ଘର’ କର୍ମକର୍ତାଙ୍କୁ ନେଇ ଶାରଦୀୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସାଉଥ୍ବଲଣ୍ଡା ‘ ସମ୍ବାଦ ସାହିତ୍ୟ ଘର’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପଟ୍ଟନାୟକ ଯୋଗ ଦେଇ କହିଲେ ଯେ, ଓଡ଼ିଶାର ଅଧିକାଂଶ ପ୍ରସଙ୍ଗ କାର୍ପେଟ୍ ତଳେ ଚାପି ହୋଇଯାଉଛି। ଭୁବନେଶ୍ୱରରେ ଓଡ଼ିଆ ଭାଷା ସୁରକ୍ଷା ପାଇଁ ବର୍ଷେରୁ ଅଧିକ ଦିନ ହେଲା ଚାଲିଥିବା କଳା ପତାକା ଶୋଭାଯାତ୍ରା ଏହାର ପ୍ରମାଣ ଦେଉଛି। ଏପରିସ୍ଥଳେ ଯଦି ଓଡ଼ିଆ ଭାଷାକୁ ପ୍ରକୃତରେ ଓଡ଼ିଆମାନେ ଭଲ ପାଆନ୍ତି ଏବଂ ସବୁସ୍ତରରେ ଏହାର ବ୍ୟାପକ ବ୍ୟବହାର ହେଉ ବୋଲି ଚାହାନ୍ତି, ତେବେ ସରକାରଙ୍କ ପାଖରେ ଏ ଶକ୍ତ ବାର୍ତ୍ତା ପହଞ୍ଚାଇବା ପାଇଁ ଭାଷାକୁ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରାଇ ପାରିଲେ ପ୍ରଶାସକମାନେ ନିଜ ଦୃଷ୍ଟିଭଂଗୀ ବଦଳାଇବାକୁ ବାଧ୍ୟ ହେବେ ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
ସାହିତ୍ୟର ଅଧୋଗତି ଉପରେ ମତ ରଖି ଶ୍ରୀ ପଟ୍ଟନାୟକ କହିଲେ ସାଂପ୍ରତିକ ସମୟରେ ସାଧାରଣ ଲୋକଙ୍କ ସହିତ ସାହିତ୍ୟିକଙ୍କ ସଂପୃକ୍ତି ରହୁନାହିଁ। ଏହାର ବଡ଼ କାରଣ ହେଉଛି ଈର୍ଷା ଓ ଅହଙ୍କାର। ସାହିତ୍ୟିକଙ୍କଠାରୁ ସମାଜ ଅଧିକ କିଛି ଆଶା କରୁଥିବା ବେଳେ ସେମାନେ ନିଜକୁ ସାଧାରଣ ଲୋକଙ୍କଠାରୁ ଭିନ୍ନ ତଥା ଉଚ୍ଚ ଭାବି ଏକ ବିରାଟ ବିଚାରଗତ ପ୍ରଭେଦ ସୃଷ୍ଟି କରୁଛନ୍ତି। ଯେଉଁଥିପାଇଁ ସାହିତ୍ୟ ସାଧାରଣ ଜନଜୀବନକୁ ପ୍ରଭାବିତ କରିପାରୁନାହିଁ କି’ ଲୋକଙ୍କ ସ୍ୱର କିମ୍ବା ସମସ୍ୟା ସାହିତ୍ୟରେ ପ୍ରତିଫଳିତ ହେଉନାହିଁ। ଏ ଅବକ୍ଷୟ ଧାରା ରୋକିବା ପାଇଁ ‘ସମ୍ବାଦ-ସାହିତ୍ୟ ଘର’ର ପରିକଳ୍ପନା କରାଯାଇଛି। ଓଡ଼ିଶାର ପ୍ରତ୍ୟେକ ଘର ‘ସାହିତ୍ୟ ଘର’ ହେଉ ଏବଂ ପରିବାରରେ ଓଡ଼ିଆ ସାହିତ୍ୟର ଗଳ୍ପ, ପ୍ରବଂଧ, ଉପନ୍ୟାସ, କବିତା ଇତ୍ୟାଦି ଆଲୋଚିତ ହେଉ। ପିଲାମାନଙ୍କୁ ମହାପୁରୁଷଙ୍କ କାଳଜୟୀ ସୃଷ୍ଟି ଏବଂ ଓଡ଼ିଆ ଭାଷା ସାହିତ୍ୟର ଅତୀତ ଓ ବର୍ତ୍ତମାନ ସ୍ଥିତି ସଂପର୍କରେ ଅବଗତ କରାଇବାରେ ସାହିତ୍ୟ ଘର ନିରନ୍ତର ପ୍ରୟାସ ଜାରି ରଖିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସାହିତ୍ୟିକମାନେ ପୁସ୍ତକ ପ୍ରକାଶନ ପାଇଁ ପ୍ରକାଶକଙ୍କ ପଛରେ ଗୋଡ଼ାଇବା ଅପେକ୍ଷା ନିଜ ସାହିତ୍ୟ କୃତୀକୁ ସୋସିଆଲ୍ ମିଡିଆରେ ଅଧିକରୁ ଅଧିକ ପ୍ରଚାର ପ୍ରସାର କରନ୍ତୁ ବୋଲି ମଧ୍ୟ ସେ ପରାମର୍ଶ ଦେଇଥିଲେ।
ମୁଖ୍ୟବକ୍ତା ଭାବେ ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆ ସାହିତ୍ୟିକ ତଥା ଢେଙ୍କାନାଳ ମାଟିର କୃତୀ ସନ୍ତାନ ଡ. ସତ୍ୟ ପଟ୍ଟନାୟକ କହିଲେ, ସମୃଦ୍ଧ ଓଡ଼ିଆ ଭାଷା ସାହିତ୍ୟକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ହେଲେ େଓ୍ଵବ୍ସାଇଟ୍ ଜରିଆରେ ବିଭିନ୍ନ ଲେଖକଙ୍କ ସାହିତ୍ୟ ରଚନାଗୁଡ଼ିକର ବ୍ୟାପକ ପ୍ରଚାର ପ୍ରସାର, ବିଶ୍ୱବିଦ୍ୟାଳୟସ୍ତରରେ ପୁସ୍ତକ ପ୍ରକାଶନର ସୁବିଧା ଏବଂ ବ୍ଲକ୍ସ୍ତର ଯାଏଁ ପୁସ୍ତକ ବିତରଣ ବ୍ୟବସ୍ଥା ଉପଲବ୍ଧ କରିବା ଭଳି ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ‘ମୋ ଭାଷା ପାଇଁ ମୁଁ ଏପରି କାମମାନ କରିବି ଯା’ଦ୍ୱାରା କି ମୋ ଭାଷାରେ ଲୋକେ ନୋବେଲ ପୁରସ୍କାର ପାଇବାକୁ ଯୋଗ୍ୟ ହେବେ’ ବୋଲି ଭାଷାପ୍ରେମୀମାନେ ସ୍ୱପ୍ନ ଦେଖିବାକୁ ହେବ। ଆମେରିକାରେ ଭାଷାପାଇଁ ତାଙ୍କ ସରକାର ଓ ସମାଜ ନେଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ସେ ସମ୍ୟକ ସୂଚନା ଦେଇଥିଲେ।
ସମ୍ମାନିତ ଅତିଥି ‘ସମ୍ବାଦ-ସାହିତ୍ୟ ଘର’ର ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା ‘ସମ୍ବାଦ-ସାହିତ୍ୟ ଘର’ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଉଦ୍ବୋଧନ ପ୍ରସଙ୍ଗରେ ସେ କହିଥିଲେ ଯେ, ବିଶ୍ୱ ସାହିତ୍ୟରେ ବି ଈର୍ଷା, ପ୍ରତିଦ୍ୱନ୍ଦ୍ୱିତା, ଦ୍ୱନ୍ଦ୍ୱ ରହିଛି। କିନ୍ତୁ ତା’ ଭିତରେ ବି ସାଧାରଣ ଲୋକଙ୍କୁ ଜାଣିବା, ସମାଜକୁ ଚିହ୍ନିବା ପାଇଁ ସାହିତ୍ୟିକଙ୍କୁ ନିଜ ସୀମିତ ଦୃଷ୍ଟିକୋଣକୁ ବିଶ୍ୱବ୍ୟାପୀ କରିବାକୁ ପଡ଼ିବ। ନିଜ ଭିତରେ ଲୁଚି ରହିଥିବା ପ୍ରତିଭାକୁ ରଚନା କରି ନିଜ କଲମର ତାକତ୍ ଦୁନିଆକୁ ଦେଖାଇବାକୁ ପଡ଼ିବ, ଯାହା ‘ ସମ୍ବାଦ ସାହିତ୍ୟ ଘର’ କରୁଛି ବୋଲି ଶ୍ରୀମତୀ ଲେଙ୍କା କହିଥିଲେ। ‘ସମ୍ବାଦ’ର ମହାପ୍ରବନ୍ଧକ ଅରବିନ୍ଦ ଦାସ କହିଲେ, ଦୁଇ ଚାରି ଖଣ୍ଡ ବହି ଲେଖିବା ପରେ ସଂପ୍ରତି ସାହିତ୍ୟିକମାନେ ନିଜ କୃତିକୁ ସମୀକ୍ଷା ନକରି ପୁରସ୍କାର ପାଇବା ପାଇଁ ଲବି କରୁଛନ୍ତି ଓ ସମୟ ତଥା ସାମର୍ଥ୍ୟ ନଷ୍ଟ କରୁଛନ୍ତି।। ଫଳସ୍ୱରୂପ ଓଡ଼ିଆ ସାହିତ୍ୟରେ ଆଉ କାଳଜୟୀ ରଚନା ଆଉ ଦେଖିବାକୁ ମିଳୁନାହିଁ। ଏଭଳିସ୍ଥିତିରେ ‘ସମ୍ବାଦ-ସାହିତ୍ୟ ଘର’ ପକ୍ଷରୁ ସାରା ରାଜ୍ୟରେ ଆୟୋଜିତ ହେଉଥିବା ସଭାରେ ବହୁ ପୁରୁଣା, ନୂଆ କବି ଓ ସାହିତ୍ୟିକଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଉଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରାଜ୍ୟ ଆଇଏନ୍ଟିୟୁସିର ସାଧାରଣ ସଂପାଦକ ସୌଭାଗ୍ୟ ଚନ୍ଦ୍ର ପ୍ରଧାନ ‘ସମ୍ବାଦ’ର ଏଭଳି ଅଭିନବ ପ୍ରୟାସକୁ ପ୍ରଶଂସା କରିବା ସହ ଏହା ଓଡ଼ିଆ ଭାଷା ସାହିତ୍ୟର ପ୍ରଚାରପ୍ରସାର କ୍ଷେତ୍ରରେ ସହାୟକ ହେବ ବୋଲି କହିଥିଲେ।
ସାଉଥ୍ବଲଣ୍ଡା ‘ସମ୍ବାଦ-ସାହିତ୍ୟ ଘର’ ସଭାପତି ବିଭୂତି ଭୂଷଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାକୁ ଉପଦେଷ୍ଟା ତଥା ବିଶିଷ୍ଟ ନାଟ୍ୟକାର ମୁକୁନ୍ଦ ଶତପଥୀ, ନିରଂଜନ ଜେନା ପରିଚାଳନା କରିଥିଲେ। ପ୍ରାରମ୍ଭରେ ସଂପାଦକ ତ୍ରିନାଥ ସାହୁ କବି ରାଧାମୋହନ ଗଡ଼ନାୟକଙ୍କ ‘ଶରତ ନଈ କୂଳେ’ କବିତା ଆବୃତ୍ତି କରିଥିଲେ। ଏହି ଅବସରରେ ଶିବପ୍ରସାଦ ପଟ୍ଟନାୟକ, ସିଦ୍ଧିପ୍ରସାଦ ସାହୁ, ଲତିକା ମହାପାତ୍ର, ରତ୍ନପ୍ରଭା ବାଇ, ଶର୍ମିଷ୍ଠା ସାହୁ, ରାଧାନାଥ ରଥ, ସୌଭାଗିନୀ ଦେବୀ, ଗୋଲାପ ନନ୍ଦ, ପ୍ରକାଶ ମିଶ୍ର ପ୍ରମୁଖ କବିତା ପାଠ କରିଥିଲେ। ସେହିଭଳି ଆନ୍ତର୍ଜାତିକ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଦୁଃଖବନ୍ଧୁ ସାହୁଙ୍କ ସମେତ ସ୍ଥାନୀୟ ଅଂଚଳର ବିଭିନ୍ନ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ଥାନୀୟ କଳାକାରଙ୍କ ଦ୍ୱାରା ଆଦିବାସୀ ନୃତ୍ୟ ପରିବେଷିତ ହୋଇଥିଲା। ଶେଷରେ ରଶ୍ମୀକାନ୍ତ ରଥ ଧନ୍ୟବାଦ ଦେଇଥିଲେ। ଅପରାହ୍ଣରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ସାହିତ୍ୟ ଘରର ସମ୍ପାଦକ ଶ୍ରୀ ସାହୁଙ୍କ ସଂଯୋଜନାରେ ବହୁ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ।