ଇଣ୍ଟରନ୍ୟାସନାଲ ବୁକ୍ ଅଫ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଲେ ସୌମ୍ୟରଂଜନ

ବାଲେଶ୍ବର : ଇଣ୍ଟରନ୍ୟାସନାଲ ବୁକ୍ ଅଫ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଛନ୍ତି ଆଇଆଇଟି ଇଞ୍ଜିନିୟର ସୌମ୍ୟରଂଜନ ଦାସ(୨୩)। ପୂର୍ବରୁ ସୌମ୍ୟରଂଜନ ଇଣ୍ଡିଆ ବୁକ୍ ଅଫ ୱାର୍ଲଡ ରେକର୍ଡ ଓ ଏସିଆ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲେ। ଏବେ ପୁଣି ସଫଳତାରେ ଆଉ ଏକ ଫର୍ଦ ଯୋଡ଼ିଛନ୍ତି। ବିଭିନ୍ନ ଟେକ୍ନୋଲୋଜି ଉପରେ ସବୁଠାରୁ ଅଧିକ ଗବେଷଣା କରିବା ସହ ୩ ଶହରୁ ଅଧିକ ଆର୍ଟିକିଲ ଓ ୫ ଟି ବହି ଲେଖିବାକୁ ନେଇ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।

ସେ ପୂର୍ବରୁ ୫ଟି ଟେକ୍ନୋଲୋଜି(ଡିଜିଟାଲ ଜୁଏଲାରୀ ‌ଟେକ୍ନୋଲୋଜି, ଲାଇଫାଇ ଟେକ୍ନୋଲୋଜି, ଅଟୋମେଟିକ୍‌ କ୍ରାକ୍‌ ଡିଟେକ୍‌ସନ୍‌ ଟେକ୍ନୋଲୋଜି, ପଲ୍ୟୁସନ୍‌ କଣ୍ଟ୍ରୋଲିଂ ଟି-ସାର୍ଟ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି) ଉପରେ ଗବେଷଣା କରି ଦୁଇଟି ସମ୍ମାନ ହାସଲ କରିଥିଲେ। ଜଳେଶ୍ବର ବ୍ଲକ ମାଙ୍କିଡ଼ିଆ‌ ଗ୍ରାମର ବାପା ଯୁଗଳ କିଶୋର ଦାସ ଓ ମା’ ସୁଷମା ରାଣୀ ଦାସଙ୍କ ସାନ ପୁଅ ହେଉଛନ୍ତି ସୌମ୍ୟରଂଜନ। ବାପା ଜଣେ ଚାଷୀ ହୋଇଥିବା ବେଳେ ମା’ ଶିକ୍ଷୟିତ୍ରୀ। ସୌମ୍ୟରଂଜନ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର। ମାଙ୍କିଡ଼ିଆ ସନ୍ତୋଷ କୁମାର ହାଇସ୍କୁଲରେ ମାଟ୍ରିକ ପଢ଼ିବା ପରେ ଫକୀର‌ମୋହନ ଜୁନିଅର କଲେଜ ଏବଂ ପରେ ଖଡ଼ଗପୁର ଆଇଆଇଟିରେ ବିଟେକ୍‌ କରି ଏବେ ସେଠାରେ ବିଭିନ୍ନ ଟେକ୍ନୋଲୋଜିରେ ଗବେଷଣା ଜାରି ରଖିଛନ୍ତି।

ସୂଚନାଥାଉକି, ସୌମ୍ୟରଂଜନଙ୍କ ପାଞ୍ଚଟି ଟେକ୍ନୋଲୋଜି ମଧ୍ୟରୁ ଡିଜିଟାଲ ଜୁଏଲାରୀ ‌ଟେକ୍ନୋଲୋଜି ଦ୍ବାରା ସୁନା ଅଳଙ୍କାର ଚୋରି କିମ୍ବା ହଜିଲେ ପାଇବା ସହଜ ହୋଇଯିବ। କାରଣ ଏହି ଅଳଙ୍କାରରେ ମାଇକ୍ରୋ ଟେକ୍ନୋଲୋଜିର ଏକ ଜିପିଏସ୍‌ ଟ୍ରାକିଂ ଲଗାଇବା ଦ୍ବାରା ମିଳିବା ସହଜ ହେବ। ସେମିତି ଲାଇଫାଇ ଟେକ୍ନୋଲୋଜି ଦ୍ବାରା ଇଣ୍ଟରନେଟ୍‌ ହ୍ୟାକ୍‌ ନ ହୋଇ ଡାଟା ସବୁ ସୁରକ୍ଷିତ ରହିବ। ଏକ ବିଦ୍ୟୁତ୍‌ ବଲ୍‌ବରେ ଏହି ଟେକ୍ନୋଲୋଜି ଲାଗିବା ଦ୍ବାରା ଯେତିକି ସ୍ଥାନରେ ଆଲୋକିତ ହେବ ସେତିକି ସ୍ଥାନ ଭିତରେ ଡାଟା ସୀମିତ ରହିବ। ସେହିପରି କ୍ରାକ୍‌ ଡିଟେକ୍‌ସନ୍‌ ଟେକ୍ନୋଲୋଜି ଦ୍ବାରା ରେଳ ଟ୍ରାକ୍‌ରେ କୌଣସି ଅସୁବିଧା ଥିଲେ ତାହା ଏହି ଟେକ୍ନୋଲୋଜି ଦ୍ବାରା ଜାଣି ହେବ। ସେମିତି ପଲ୍ୟୁସନ୍‌ କଣ୍ଟ୍ରୋଲିଂ ଟି-ସାର୍ଟ ଟେକ୍ନୋଲୋଜି ଦ୍ବାରା ପ୍ରଦୂଷଣକୁ କଣ୍ଟ୍ରୋଲ କରାଯାଇପାରିବ। ଡ୍ରେସ୍‌ରେ ଏହି ଟେକ୍ନୋଲୋଜି ଲାଗିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ଦ୍ବାରା ବିନା ଡ୍ରାଇଭରରେ ଗାଡ଼ି ଚାଲିପାରିବ। ତାଙ୍କର ଏହି ସବୁ ଗବେଷଣା ଅନ୍ତର୍ଜାତୀୟ ଜର୍ନାଲରେ ପ୍ରକାଶ ପାଇସାରିଛି। ଏହାସହିତ ସୌମ୍ୟରଂଜନ ଟେକ୍ନୋଲୋଜି ଉପରେ ୪ଟି ପୁସ୍ତକ ଲେଖିଛନ୍ତି। ସେ ନିକଟରେ ଏସିଆ ବୁକ ଅଫ୍‌ ରେକର୍ଡରେ ବି ସ୍ଥାନ ପାଇଛନ୍ତି। ତାଙ୍କର ଏହି ସଫଳତା ଜଳେଶ୍ବର ବ୍ଲକ ସହିତ ବାଲେଶ୍ବର ଜିଲ୍ଲାକୁ ଗର୍ବିତ କରିଛି। ଭବିଷ୍ୟତରେ ସେ ଇସ୍ରୋ‌ରେ କାମ କରିବାକୁ ସ୍ବପ୍ନ ‌ରଖିଛନ୍ତି।

ସମ୍ବନ୍ଧିତ ଖବର