ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲା: ନିମ୍ନ ଅଦାଲତ ଶୁଣାଣି ଉପରେ ଅନ୍ତରୀଣ ରହିତାଦେଶ

କଟକ: ଯୁବ ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାର ଶୁଣାଣି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନର ପ୍ରାରମ୍ଭିକ ଶୁଣାଣି କରି ହାଇକୋର୍ଟ ପାରଳାଖେମୁଣ୍ଡ ଏସଡିଜେଏମ୍ ଅଦାଲତରେ ବିଚାରାଧୀନ ମାମଲର ଶୁଣାଣି ଉପରେ ମଧ୍ୟବର୍ତ୍ତିକାଳୀନ ରହିତାଦେଶ ଜାରି କରିବା ସହିତ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୮କୁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲାରେ ଆଇପିସିର ଦଫା ୨୮୫ ଓ ୩୦୪-କରେ ବିଦ୍ୟାଭାରତୀଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ ଦାଖଲ କରିଥିଲା। ପାରଳାଖେମୁଣ୍ଡିରେ ନିମ୍ନ ଅଦାଲତରେ ମାମଲାର ଶୁଣାଣି ଚାଲିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ଥିବା ବାପଘରେ ଏବେ ବିଦ୍ୟାଭରତୀ ରହିବା ସହିତ ବେତନଟି ପଶୁ ଚିକିତ୍ସାଳୟରେ ଲାଇଭ ଷ୍ଟକ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ପାରାଳାଖେମୁଣ୍ଡିସ୍ଥିତ ଅଦାଲତରେ ପ୍ରତ୍ୟେକ ତାରିଖରେ ହାଜର ହେବାକୁ ହେଲେ ତାଙ୍କୁ ପ୍ରାୟ ୫୫୦ କି.ମି. ଯାତ୍ରା କରିବାକୁ ପଡ଼ୁଛି। ଏଭଳି ସ୍ଥିତିରେ ପାରାଳାଖେମୁଣ୍ଡିଠାରେ ଅଦାଲତରେ ମାମଲାର ଶୁଣାଣି ସମୟରେ ସବୁ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ନ ହେବାକୁ ଅନୁମତି ଲୋଡ଼ି ବିଦ୍ୟାଭାରତୀ ସିଆରପିସିର ଧାରା ୨୦୫ରେ ଏକ ଆବେଦନ ଦାଖଲ କରିଥିଲେ।

ପାରାଳାଖେମୁଣ୍ଡି ଏସଡିଜେଏମ୍ ଅଦାଲତ ବିଦ୍ୟାଭାରତୀଙ୍କ ଏହି ଆବେଦନକୁ ୨୦୨୨, ମେ ୨୪ରେ ଖାରଜ କରିଥିଲେ। ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ବିଦ୍ୟାଭାରତୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେ ମାମଲାର ଶୁଣାଣି ସମୟରେ ଅଦାଲତଙ୍କ ନିର୍ଦ୍ଦେଶରେ ଆବଶ୍ୟକ ବେଳେ ‌ହାଜର ହେବ। କିନ୍ତୁ ସବୁ ତାରିଖରେ ତାଙ୍କୁ ହାଜର ହେବାକୁ ବାଧ୍ୟ କରା ନଯାଉ। ସେ ଏବେ ବେତନଟିଠାରେ କାର୍ଯ୍ୟ କରୁଥିବାରୁ ସବୁ ତାରିଖରେ ପାରଳାଖେମୁଣ୍ଡିସ୍ଥିତ ଅଦାଲତରେ ହାଜର ହେବା ତାଙ୍କ ପକ୍ଷେ ସହଜ ନୁହେଁ ବୋଲି ବିଦ୍ୟାଭାରତୀଙ୍କ ଆବେଦନରେ ଉଲ୍ଲେଖ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧, ଜୁଲାଇ ୧୨ରେ ସୌମ୍ୟରଂଜନଙ୍କ ଶରୀରରେ ସନ୍ଦେହଜନକ ପରିସ୍ଥିତିରେ ନିଆଁ ଲାଗି ଯାଇଥିବା ବେଳେ ୧୩ ତାରିଖ ଦିନ କଟକର ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଶବ ବ୍ୟବଚ୍ଛେଦ ‌ରିପୋର୍ଟରୁ ତାଙ୍କ ଶରୀରର ୯୫ ପ୍ରତିଶତ ଅଂଶ ପୋଡି ଯାଇଥିବା ସ୍ପଷ୍ଟ ହୋଇଥିଲା। ଜୁଲାଇ ୧୪ରେ ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ, ଗଜପତି ଡିଏଫଓ ଓ ରୋଷେଇଆ ବିରୋଧରେ ପରିବାର ତରଫରୁ ଏତଲା ଦିଆଯିବା ପରେ ପାରଳାଖେମୁଣ୍ଡି ଥାନାରେ ଆଇପିସିର ଦଫା ୩୦୨ ଓ ୧୨୦-ଖରେ ମାମଲା ପଞ୍ଜୀକୃତ ହୋଇଥିଲା। ପୁଲିସ ତଦନ୍ତ ଚାଲିଥିବା ବେଳେ ଅଗଷ୍ଟ ୧୪ରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ ସରକାର ଦେଇଥିଲେ। କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ ଓ ଡିଏଫଓଙ୍କୁ ପଚରା ଉଚୁରା କରିଥିଲେ। ଆବେଦନକାରୀଙ୍କ ସହିତ ତାଙ୍କ ପରିବାର ସଦସ୍ୟଙ୍କ ବୟାନ ମଧ୍ୟ କ୍ରାଇମବ୍ରାଞ୍ଚ ରେକର୍ଡ କରିଥିଲା। ସୌମ୍ୟରଂଜନଙ୍କ ମୃତ୍ୟୁ ଅବହେଳା କାରଣରୁ ହୋଇଥିବା ଦର୍ଶାଇ ତଦନ୍ତକାରୀ ସଂସ୍ଥା ବିଦ୍ୟାଭାରତୀଙ୍କ ବିରୋଧରେ ଆଇପିସର ଦଫା ୨୮୫ ଓ ୩୦୪-କ’ରେ ଚାର୍ଜସିଟ ଦାଖଲ କରିଥିଲା।

ସମ୍ବନ୍ଧିତ ଖବର