ପୁଲିସ୍‌ ନିକଟରେ ସୌମ୍ୟରଞ୍ଜନ ମା’ଙ୍କ ଚାଞ୍ଚଲ୍ୟକର ବୟାନ୍‌: ‘ବାହାଘର ପରେ ବୋହୂ ଦେଇଥିଲେ ବ୍ୟାଚ୍‌ଲର୍‌ ପାର୍ଟି’

ସ୍ବାମୀ-ସ୍ତ୍ରୀଙ୍କୁ ଆଣିବା ପାଇଁ ଭୁବନେଶ୍ବର ଗାଡ଼ି ପଠାଉଥିଲେ ଡିଏଫ୍‌ଓ

ଖଇରା/କପ୍ତିପଦା : ସୌମ୍ୟରଞ୍ଜନଙ୍କ ମା’ ତୁଳସୀ ମହାପାତ୍ର ପାରଳାଖେମୁଣ୍ଡି ପୁଲିସ୍‌ ତଦନ୍ତକାରୀ ଟିମ୍ ଆଗରେ ଅନ୍ୟ ଏକ ଚାଞ୍ଚଲ୍ୟକର ବୟାନ୍‌ ଦେଇଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ବାହାଘର ପରେ ବୋହୂ ବିଦ୍ୟାଭାରତୀ ବଲାଙ୍ଗୀରରେ କୁଆଡ଼େ ଏକ ବ୍ୟାଚଲର୍‌ ପାର୍ଟି ଦେଇଥିଲେ। ସୌମ୍ୟରଞ୍ଜନଙ୍କୁ ମଧ୍ୟ ସେଠାକୁ ଡାକିଥିଲେ। ହେଲେ ବଲାଙ୍ଗୀରରେ ପହ‌ଞ୍ଚିବା ପରେ ସୌମ୍ୟରଞ୍ଜନଙ୍କୁ ସେଠାରୁ ଫେରାଇ ଦେଇଥିଲେ। ପରେ ତାଙ୍କୁ ୩୦ ହଜାର ଟଙ୍କା ପଠାଇବା ପାଇଁ ବିଦ୍ୟାଭାରତୀ ମେସେଜ୍‌ କରିଥିଲେ। କିନ୍ତୁ ଟଙ୍କା ନଥିବା ସୌମ୍ୟରଞ୍ଜନ କହିବାରୁ ବିଦ୍ୟାଭାରତୀ ଧମକ ଦେବାସହିତ ଅନ୍ୟ ଜଣେ ଯୁବକଙ୍କ ସହିତ ଉଠାଇଥିବା ଏକ ଫଟୋ ପଠାଇଥିଲେ। ଏମିତିକି ବୋହୂ ଥରେ ରାତିରେ ପୁଅ ସହ ପାଟିତୁଣ୍ଡ କରି ହାତରୁ ଶଙ୍ଖା ଭାଙ୍ଗି କୁଆଡ଼େ ପଳାଇଥିଲା। ପୁଅ ଖୋଜିଲା ବେଳକୁ ଡିଏଫ୍‌ଓଙ୍କ ଘରେ ବୋହୂ ଥିଲା ବୋଲି ତୁଳସୀ ଅଭିଯୋଗ କରିଛନ୍ତି। ସେପଟେ ସୌମ୍ୟରଞ୍ଜନଙ୍କ ମାମୁଁଙ୍କ ଶୀତିକଣ୍ଠ ପଣ୍ଡା ବଲାଙ୍ଗୀର ବ୍ୟାଚଲର୍‌ ପାର୍ଟି ଅବସରରେ ବିଦ୍ୟାଭାରତୀ କେଉଁଠି ରହିଥିଲେ ଏବଂ ସେଠାରେ କ’ଣ ସବୁ ଘଟିଥିଲା, ସେ ସଂପର୍କରେ ଖୋଳତାଡ଼ କରିବା ପାଇଁ ଦାବି କରିଛନ୍ତି। ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ସୌମ୍ୟରଞ୍ଜନ ଓ ବୋହୂ ବିଦ୍ୟାଭାରତୀ ଛୁଟି‌ରୁ କର୍ମସ୍ଥଳକୁ ଫେରିବାବେଳେ ଦୁହିଁଙ୍କୁ ନେବାପାଇଁ ଡିଏଫ୍‌ଓ ଭୁବନେଶ୍ବରକୁ ଗାଡ଼ି ପଠାଇଥା’ନ୍ତି।

ଡିଜିପି, ପିସିସିଏଫ୍‌ଙ୍କୁ ଭେଟିଲେ ସୌମ୍ୟରଂଜନଙ୍କ ବାପା
‘ବୋହୂ, ଡିଏଫ୍‌ଓ, ରୋଷେୟାଙ୍କ ଲାଏ ଡିଟେକସନ୍‌ ଟେଷ୍ଟ୍ କରାଯାଉ’
କାହିଁକି ଆମ୍ବୁଲାନ୍ସ ଅଟକାଇଥିଲେ ମହିଳା ଥାନା ଅଧିକାରୀ?
କଟକ/ଭୁବନେଶ୍ବର : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଆଜି ଏ ନେଇ ମୃତ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଭୁବନେଶ୍ବର ଆସି ପିସିସିଏଫ୍‌ ଶିଶିର ରଥଙ୍କୁ ଭେଟିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ନ୍ୟାୟ ପ୍ରଦାନ ପାଇଁ ନିବେଦନ କରିଛନ୍ତି।

ଡିଜିଙ୍କୁ ଭେଟିବା ପରେ ଶ୍ରୀ ମହାପାତ୍ର କହିଛନ୍ତି, ପୁଲିସ ତଦନ୍ତକୁ ଠିକ୍ ବାଟରେ ନେଉଛି। ପୁଅ ଚାଲିଯାଇଛି, ‌ହେଲେ ତାଙ୍କୁ ନ୍ୟାୟ ମିଳିବ ବୋଲି ରାଜ୍ୟ ପୁଲିସ ବିଭାଗ ଉପରେ ତାଙ୍କର ଭରସା ଅଛି। ତଦନ୍ତ ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରିବାକୁ ସେ ଡିଜିପିଙ୍କୁ ନିବେଦନ କରିଛନ୍ତି। ପୁଅକୁ ତାଙ୍କ ବୋହୂ ବିଦ୍ୟାଭାରତୀ ପଣ୍ଡା‌, ଡିଏଫ୍‌ଓ ସଂଗ୍ରାମକେଶରୀ ବେହେରା ଓ ଡିଏଫ୍‌ଓ ଅଫିସ୍‌ର ରୋଷେୟା ମିଳିତ ଭାବେ ଷଡ଼୍‌ଯନ୍ତ୍ର କରି ହତ୍ୟା କରିଥିବାରୁ ଏହି ତିନି ଜଣଙ୍କର ଲାଏ ଡ‌ିଟେକସନ୍‌ ଟେ‌ଷ୍ଟ୍‌ କରିବା, ଡିଏଫଓ ଅଫିସ ଓ ବଙ୍ଗଳାର ଫରେନସିକ୍‌ ତଦନ୍ତ କରାଇବା ତଥା ତାଙ୍କ ବୋହୂ ଓ ରୋଷେୟାଙ୍କୁ ତଦନ୍ତ ପରିସରକୁ ନେବାକୁ ସେ ଦାବି କରିଛନ୍ତି। ସ୍ଥାନୀୟ ଥାନା ଅଧିକାରୀଙ୍କ କାର୍ଯ୍ୟକୁ ମଧ୍ୟ ତଦନ୍ତ ପରିସରକୁ ନେବା ପାଇଁ ସେ ଦାବି କରିଛନ୍ତି। ଥାନା ଅଧିକାରୀ ମମତା ପଣ୍ଡା ତାଙ୍କ ବୋହୂଙ୍କ ସଂପର୍କୀୟ। ସୌମ୍ୟରଂଜନଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସକୁ ଅଟକା ଯିବା ଘଟଣାରେ ଥାନା ଅଧିକାରୀଙ୍କ ଭୂମିକାକୁ ନେଇ ଅଭିରାମ ପ୍ରଶ୍ନ କରିବା ସହିତ ଏହାର ତଦନ୍ତ ଦାବି କରିଛନ୍ତି।

ଏହାପରେ ଶ୍ରୀ ମହାପାତ୍ର ଆଜି ଭୁବନେଶ୍ବର ଆସି ପିସିସିଏଫ୍‌ ଶିଶିର ରଥଙ୍କୁ ଭେଟିଛନ୍ତି। ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ଯେ ସମ୍ପୂର୍ଣ୍ଣ ଘଟଣାରେ ଗଜପତି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ଭୂମିକା ରହିଛି। ସୌମ୍ୟଙ୍କୁ ଜାଣିଶୁଣି ରାତି ଡ୍ୟୁଟି ଦେବା ସହ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଡିଏଫ୍‌ଓଙ୍କ ବଦଳି କରାଯାଉ। ଏଥିସହ ବିଭାଗୀୟ ତଦନ୍ତ କରାଯାଇ ଦୋଷୀ ଡିଏଫ୍‌ଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଏଥିସହ ଶ୍ରୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ନ୍ୟାୟ ପ୍ରଦାନ ପାଇଁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର