ତରୁଣମାନେ ବାଜପେୟୀଙ୍କ ପରି ହୁଅନ୍ତୁ

ସାଧାରଣ ନେତା ଓ ରାଷ୍ଟ୍ରନେତାଙ୍କ ମଧ୍ୟରେ ପ୍ରଭେଦ ଥାଏ ବୋଲି ଆମେ ଅନେକ କଥା କହିଥାଉ। ଅଟଳ ବିହାରୀ ବାଜପେୟୀ ସେ ସବୁର ଜୀବନ୍ତ ପ୍ରମାଣ ଥିଲେ। ପାର୍ଟି ବଡ଼ ନୁହେଁ, ମାଟି ବଡ଼ ବୋଲି ଯେଉଁ କଥା କୁହାଯାଏ ତାହା ତାଙ୍କ ଜୀବନରେ ପ୍ରତିଫଳିତ ହୋଇଥିଲା। ଗୋଟିଏ ନିର୍ଦ୍ଦିଷ୍ଟ ଦଳରେ ଥାଇ ମଧ୍ୟ ସେ ସବୁବେଳେ ସବୁଦଳ ଓ ବର୍ଗର ଶ୍ରଦ୍ଧା ଓ ସମ୍ମାନର ପାତ୍ର ହୋଇପାରିଥିଲେ। ଗୁଜୁରାଟ ଦଙ୍ଗା ବେଳେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଓ ତତ୍‌କାଳୀନ ଗୁଜୁରାଟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜଧର୍ମ ସମ୍ପର୍କରେ ଯେଉଁ ପରାମର୍ଶ ଦେଇଥିଲେ ତାହାକୁ କେହି ଭୁଲିପାରିବେ ନାହିଁ। ଦେଶର ବୈଦେଶିକ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବରେ ସେ ଯେଉଁ ଛାପ ଛାଡ଼ି ଯାଇଛନ୍ତି ତାହା ସବୁବେଳେ ଆମକୁ ପ୍ରେରିତ କରୁଥିବ। ଜଣେ କବି, ସୁବକ୍ତା ଓ ସୁସାହିତ୍ୟିକ ଭାବେ ସେ ଈର୍ଷଣୀୟ ଖ୍ୟାତି ଅର୍ଜନ କରିଥିଲେ।

ବାଜପେୟୀଙ୍କ ଅବର୍ତ୍ତମାନରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାକୁ ପୂରଣ କରିବା ପାଇଁ ବହୁବର୍ଷ ଲାଗିବ।

ମୁଁ ବ୍ୟକ୍ତିଗତ ଭାବେ ଅତ୍ୟନ୍ତ ଗର୍ବ ଏବଂ ଆନନ୍ଦ ଅନୁଭବ କରୁଛି ଯେ ଏମିତି ଜଣେ ରାଜନେତାଙ୍କୁ ନିକଟରୁ ଜାଣିବାର ଏବଂ ତାଙ୍କ ସହିତ କାମ କରିବାର ସୁଯୋଗ ମୋତେ ମିଳିଥିଲା। ତରୁଣମାନେ ବାଜପେୟୀଙ୍କ ସମର୍ପିତ ବ୍ୟକ୍ତିତ୍ୱ ସମ୍ପର୍କରେ ଅଧିକ ଜାଣିବା ପାଇଁ ଉଦ୍ୟମ କରିବା ସହିତ ତାଙ୍କ ପରି ହେବା ପାଇଁ ଚେଷ୍ଟା କରି ପାରିଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ।

ସୌମ୍ୟରଞ୍ଜନ ପଟ୍ଟନାୟକ

ସମ୍ବନ୍ଧିତ ଖବର