ଭୁବନେଶ୍ୱର: ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଲୋକପ୍ରିୟ ଜନନେତା ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ। ବିଜୁ ଜନତା ଦଳର ରାଜ୍ୟସଭା ପ୍ରାର୍ଥୀ ଭାବେ ନିର୍ବାଚିତ ହେବା ପରେ ସୌମ୍ୟରଂଜନ ନିଜର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ରାଜ୍ୟର ପ୍ରମୁଖ ପ୍ରସଙ୍ଗକୁ ରାଜ୍ୟସଭାରେ ଉତ୍ଥାପନ କରିବି। ଦୀର୍ଘଦିନ ଗଣମାଧ୍ୟମରେ କାର୍ଯ୍ୟ କରିବା ଏବଂ ସାଧାରଣ ଲୋକ ସହ ରହିବା ଭିତରେ ମୋର ଯେଉଁ ଦୀର୍ଘ ଅନୁଭୂତି ରହିଛି, ତାହାର ଆଧାରରେ ରାଜ୍ୟର ଜନସାଧାରଣଙ୍କର ବିଭିନ୍ନ ସମସ୍ୟା ପାର୍ଲାମେଣ୍ଟରେ ଉପସ୍ଥାପିତ କରିବି।’
/sambad/media/post_attachments/wp-content/uploads/2018/03/Soumya-ranjan-Patnaik-expelled-from-Congress-300x300.jpg)
ଗୁରୁବାର ଅପରାହ୍ନରେ ରାଜ୍ୟ ବିଧାନସଭା ପରିସରରେ ରାଜ୍ୟସଭା ନିର୍ବାଚନ ପରିଚାଳନା କରୁଥିବା ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ନିର୍ବାଚିତ ହେବାର ସାର୍ଟିଫିକେଟ ଗ୍ରହଣ କରିବା ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ‘ଓଡ଼ିଶା କିପରି ଏକ ଆଗୁଆ ରାଜ୍ୟ ହୋଇପାରିବ ସେ ଦିଗରେ ସେ ଉଦ୍ୟମ ଜାରି ରଖିବି। ଓଡ଼ିଶାର ପଛୁଆପଣ ଦୂର ଲାଗି ସ୍ୱତନ୍ତ୍ର ସୁବିଧା ସୁଯୋଗର ଆବଶ୍ୟକତା ରହିଛି। କେନ୍ଦ୍ର ସରକାର ରାଜନୈତିକ ଦୃଷ୍ଟିଭଙ୍ଗୀ ହେଉ ବା ଅବହେଳା କରି ହେଉ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରି ନାହାନ୍ତି। ଏହି ଦାବିକୁ ମୁଁ ଦୋହରାଇବି। ଓଡ଼ିଶାକୁ କିଭଳି ସ୍ୱତନ୍ତ୍ର ସୁବିଧା ସୁଯୋଗ ମିଳିବ ସେଥିପାଇଁ ପାର୍ଲାମେଣ୍ଟରେ ସ୍ୱର ଉତ୍ତୋଳନ କରିବି।’
/sambad/media/post_attachments/wp-content/uploads/2018/03/images-1-14.jpg)
ଏଥିପୂର୍ବରୁ ସମଗ୍ର ରାଜ୍ୟରେ ଚାଷୀମାନଙ୍କ ପ୍ରାଇସ୍-ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବି, ଓଡ଼ିଶା ଭାଷାକୁ ସରକାରୀ ଭାଷା ଭାବେ ପ୍ରଚଳନକୁ ବାଧ୍ୟତାମୂଳକ କରିବା, ନିଶା ନିବାରଣ କରାଇବା ଓ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଜମାରାଶି ମିଳିବା ନେଇ ଆନ୍ଦୋଳନ ଚଳାଇଥିବା ସୌମ୍ୟରଂଜନ ଏ ପ୍ରସଙ୍ଗରେ ମନ୍ତବ୍ୟ ରଖିଛନ୍ତି କି ଚଷା-ଭାଷା ଓ ନିଶା ନେଇ ମୋର କାର୍ଯ୍ୟ ଜାରି ରହିବ। ଚିଟଫଣ୍ଡ ଜମାକାରୀଙ୍କୁ ଅର୍ଥ ଫେରସ୍ତ ଓ ଭାଷା ଦିଗରେ ରାଜ୍ୟ ସରକାର କିଛି ପଦକ୍ଷେପ ନେଇ ସାରିଲେଣି। ଏସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ମୋର ଆଶା।
ଏଥିସହ ସେ ବିଜୁ ଜନତା ଦଳ ଏବଂ ଦଳର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ। ଦଳ ତାଙ୍କୁ ଏହି ସୁଯୋଗ ଦେଇଥିବାରୁ ସେ ଆନନ୍ଦିତ ଓ ଗୌରବାନ୍ଵିତ ବୋଲି ମନ୍ତବ୍ୟ ଦେଇଛନ୍ତି ସୌମ୍ୟରଂଜନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/srp1.jpg)
