ଖଣ୍ଡପଡ଼ାବାସୀଙ୍କ ଋଣ ଶୁଝିପାରିବି ନାହିଁ: ସୌମ୍ୟରଂଜନ

ଖଣ୍ଡପଡ଼ା/ଭାପୁର : ଖଣ୍ଡପଡ଼ାବାସୀଙ୍କ ସହିତ ମୋର ସଂପର୍କ ଦୀର୍ଘ ୨୨ ବର୍ଷର। ଖଣ୍ଡପଡ଼ା ଯେତେବେଳେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ଅଂଶବିଶେଷ ଥିଲା, ସେତେବେଳେ ଖଣ୍ଡପଡ଼ାରୁ କଂଗ୍ରେସ ପ୍ରାର୍ଥୀ ଭାବେ ମୋତେ ସର୍ବାଧିକ ଭୋଟ ମିଳିଥିଲା। ସେବେ ଠାରୁ ଏ ସଂପର୍କ। ପରବର୍ତୀ ସମୟରେ କଂଗ୍ରେସ ଯେତେବେଳେ ମୋତେ ବହିଷ୍କୃୃତ କଲା ସେତେବେଳେ ମଧ୍ୟ ଖଣ୍ଡପଡ଼ାର ସମସ୍ତ କର୍ମୀ ମୋ ସହିତ ଦୃଢ଼ଭାବେ ରହିଥିଲେ। ‘ଆମ ଓଡ଼ିଶା’ ପାର୍ଟି ଗଠନ କରିବାରେ ବଳ ଓ ସମର୍ଥନ ଯୋଗାଇ ଥିଲେ। ତେଣୁ ଖଣ୍ଡପଡ଼ାବାସୀଙ୍କର ଋଣ ମୁଁ କେବେ ଶୁଝିପାରିବି ନାହିଁ। ମୋର ରାଜନୈତିକ ଜୀବନରେ ଖଣ୍ଡପଡ଼ା ସବୁବେଳେ କେନ୍ଦ୍ରରେ ରହିବ ବୋଲି ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି।

ଆଜି ବନମାଳୀପୁରସ୍ଥିତ ସୋମନାଥ ମେଳଣ ପଡ଼ିଆରେ ଅନୁଷ୍ଠିତ ଖଣ୍ଡପଡ଼ାର ସୌମ୍ୟପ୍ରେମୀଙ୍କ ଏକ ବିଶାଳ ସମାବେଶରେ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଲେ, ପଠାଣୀ ସାମନ୍ତଙ୍କ ମାଟି ଆଜି ବି ଅବହେଳିତ ହୋଇ ରହିଛି। କ୍ଷମତାସୀନ ବିଜେଡ଼ି ପ୍ରତି ସାଧାରଣ ଜନତାଙ୍କ ସଦିଚ୍ଛା ଓ ସମର୍ଥନ ବଢ଼ୁଥିବା ଦେଖାଯାଇଛି। ଏଭଳି ପରିସ୍ଥିତିରେ ବିଜେଡ଼ି ସହିତ ରହି ଖଣ୍ଡପଡ଼ାର ବିକାଶ କାର୍ଯ୍ୟକୁ ତ୍ଵରାନ୍ଵିତ କରାଯାଇ ପାରିବ ବୋଲି ମୋର ବିଶ୍ୱାସ ହେଉଛି।

ବିଜେଡ଼ି-ଆମ ଓଡ଼ିଶା ପାର୍ଟିର ମିଶ୍ରଣ ସମ୍ପର୍କରେ ଶ୍ରୀ ପଟ୍ଟନାୟକ କହିଲେ, ସମ୍ଭବତଃ ଆଗାମୀ ଦିନରେ ଖଣ୍ଡପଡ଼ା ଏକ ଅନନ୍ୟ ଓ ଆଦର୍ଶ ନିର୍ବାଚନମଣ୍ଡଳୀ ହେବାକୁ ଯାଉଛି। ସେ ପରିସଂଖ୍ୟାନ ଦେଇ କହିଲେ, ନିର୍ବାଚନ ଦୃଷ୍ଟିରୁ ମଧ୍ୟ ଖଣ୍ଡପଡ଼ା ଓଡ଼ିଶାର ପ୍ରଥମ ନିର୍ବାଚନ ମଣ୍ଡଳୀ ହେବ ଯେଉଁଠି ଗୋଟିଏ ଦଳକୁ ୯୫ ପ୍ରତିଶତ ଭୋଟ ମିଳିବ।

ବିଜୟ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିତେନ୍ଦ୍ର କୁମାର ରଣସିଂ, ଶିଶିର କୁମାର ସାହୁ, ବସନ୍ତ କୁମାର ମାଝି, ବିରଂଚି ନାରାୟଣ ପଟ୍ଟନାୟକ, ବ୍ଲକ୍‌ ଅଧ୍ୟକ୍ଷ ମନୋଜ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ରାମେଶ୍ୱର ଶତପଥି, ଦୁର୍ଯ୍ୟୋଧନ ସ୍ୱାଇଁ, ଅଖିଳ କୁମାର ପଣ୍ଡା, ଓ ମଧୁସୂଦନ ରଥଙ୍କ ସମେତ ବ୍ଲକ୍‌ ଉପାଧ୍ୟକ୍ଷା ମିନତୀ ସାହୁ, ସରପଂଚ, ସମିତି ସଭ୍ୟ ଓ ହଜାର ହଜାର କର୍ମୀ ଉପସ୍ଥିତ ଥିଲେ । ବରିଷ୍ଠ କର୍ମୀ ବିଜୟ କୁମାର ତ୍ରିପାଠୀ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧିତ ଖବର