ସୌମ୍ୟରଂଜନଙ୍କୁ ଅନ୍ତର୍ଜାତୀୟ ବିଶ୍ୱାମିତ୍ର ପୁରସ୍କାର ପ୍ରଦାନ : ନିଜ ସଂସ୍କୃତି ପାଇଁ ଭାରତୀୟ ବିଦେଶରେ ସମ୍ମାନ ପାଇଥାନ୍ତି
ଭୁବନେଶ୍ବର : ଅନ୍ୟ ଦେଶର ସଂସ୍କୃତି ଧର୍ମ ଉପଦେଶ ଉପରେ ଆଧାରିତ ହୋଇଥିବା ବେଳେ ଆମର ସଂସ୍କୃତି ଜ୍ଞାନ ଉପରେ ପର୍ଯ୍ୟବସିତ। କିନ୍ତୁ ଆମେ ନିଜକୁ ସବୁବେଳେ ଅସୁରକ୍ଷିତ ମଣୁଛୁ, ଅନ୍ୟଠାରୁ ନିଜକୁ ତୁଚ୍ଛ ବୋଲି ଭାବୁଛୁ। ସେଥିପାଇଁ ଆମେ ନିଜେ ନିଜକୁ ଯୋଗ୍ୟରୂପେ ଦେଖିପାରୁ ନାହୁଁ ବୋଲି କହିଛନ୍ତି ବିଶ୍ବାମିତ୍ର ପୁରସ୍କାରର ପ୍ରତିଷ୍ଠାତା ସ୍ବାମୀ ଆନନ୍ଦ ସରସ୍ବତୀ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଇଡ୍କଲ୍ ଅଡିଟୋରିୟମ୍ରେ ବିଦ୍ୟାବାହିନୀ ଟ୍ରଷ୍ଟ, ଓଡ଼ିଶା ପକ୍ଷରୁ ଯୋଗବିଦ୍ୟା ଅନ୍ଲୁଜ୍, ଇଟାଲିର ଅନ୍ତର୍ଜାତୀୟ ବିଶ୍ବାମିତ୍ର ପୁରସ୍କାର ୨୦୧୯ର ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ‘ସମ୍ବାଦ’ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିବା ପାଇଁ ଇଟାଲିରେ ଯୋଗଦେଇ ପାରି ନଥିବାରୁ ଓଡ଼ିଶାରେ ଏକ ସ୍ବତନ୍ତ୍ର ଉତ୍ସବ ଜରିଆରେ ଶ୍ରୀ ପଟ୍ଟନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସ୍ବାମୀ ରାମ ସ୍ବରୂପାନନ୍ଦଜୀ ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ।
ଏହି ଅବସରରେ ସ୍ବାମୀ ଆନନ୍ଦ ସରସ୍ବତୀ କହିଲେ, ବିଦେଶରେ ଭାରତୀୟମାନେ ନିଜର ବୁଦ୍ଧିମତା ପାଇଁ ନୁହେଁ ବରଂ ନିଜର ସଂସ୍କୃତି ପାଇଁ ସମ୍ମାନ ପାଇଥାନ୍ତି। ତେବେ ଏହି ସଂସ୍କୃତିକୁ ଆଗକୁ ବଢ଼ାଇବାକୁ ହେଲେ ବେଦାନ୍ତ ଦର୍ଶନ ଓ ମୁନିଋଷିଙ୍କୁ ନଜରରେ ରଖି ଆଗକୁ ବଢ଼ିବାକୁ ହେବ। ଏହି ମୁନିଋଷିଙ୍କ ମଧ୍ୟରେ ଜଣେ ସପ୍ତର୍ଷି ହେଉଛନ୍ତି ବିଶ୍ବାମିତ୍ର। ମାତ୍ର ଅନେକ ବିଶ୍ବାମିତ୍ରଙ୍କ ନାଁ ଶୁଣିବା ମାତ୍ରେ ତାଙ୍କୁ ଜଣେ କ୍ରୋଧୀ ଋଷିଭାବେ ବିବେଚନା କରିଥାନ୍ତି। କିନ୍ତୁ ବିଶ୍ବାମିତ୍ର ଜଣେ ସଫଳ ବ୍ୟକ୍ତି ରହିଥିଲେ। ସଫଳ ବ୍ୟକ୍ତି ଯାହା ବି କରିଥାଏ ତାହା ଅନ୍ୟମାନଙ୍କ ପାଇଁ କରିଥାଏ। ତାହା ହିଁ ବିଶ୍ବାମିତ୍ର ପୁରସ୍କାର ପଛର ଉଦ୍ଦେଶ୍ୟ ବୋଲି ସ୍ବାମୀଜୀ ମତବ୍ୟକ୍ତ କରିଥିଲେ।
ଅନ୍ତର୍ଜାତୀୟ ବିଶ୍ବାମିତ୍ର ପୁରସ୍କାରପ୍ରାପ୍ତ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ସମ୍ବର୍ଧନା ନିଶ୍ଚିତ ଭାବେ ମୂଲ୍ୟବୋଧର ପରିଚୟ। ଉତ୍କର୍ଷର ଉପାସନା ହେଉ ନ ଥିଲେ ମଣିଷ ସମାଜ ଆଗକୁ ବଢ଼ିପାରିବ ନାହିଁ। ଉତ୍କର୍ଷର ଉପାସକ ରହିଥିବାରୁ ସମାଜରେ ଉତ୍କର୍ଷ ରହିଛି ଓ ରହିବ। ମାତ୍ର କୌଣସି ଏକ ପୁରସ୍କାର ସଂପର୍କରେ ଘୋଷଣା ହେଲେ ଯେତିକି ଲୋକ ଖୁସି ହୋଇ ନ ଥାନ୍ତି ତାଠାରୁ ଅଧିକ ଲୋକ ଦୁଃଖ ଓ ସମାଲୋଚନା କରିବାକୁ ପସନ୍ଦ କରିଥାନ୍ତି। ଏସବୁ ଦୃଷ୍ଟିରୁ ଅନେକ ସମୟରେ ଆତ୍ମ ସଚେତନ ବ୍ୟକ୍ତିମାନେ ପୁରସ୍କାର ଗ୍ରହଣ କରିବା ପାଇଁ ଭୟ କରିଥାନ୍ତି। ସାମ୍ବାଦିକତା ବୃତ୍ତି ଗ୍ରହଣ ନ କରିବାର ଚାପ ସତ୍ବେ ଏହି ବୃତ୍ତିକୁ ଗ୍ରହଣ କରିଥିଲି। ତେଣୁ ବୃହତ୍ତର ‘ସମ୍ବାଦ’ ପରିବାରର ସମସ୍ତ ସଭ୍ୟ/ସଭ୍ୟା ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ। ସାମ୍ବାଦିକମାନେ ଏହି ପୁରସ୍କାରରେ ଉତ୍ସାହିତ ହେବା ସହିତ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ସମାଜକୁ ବଦଳାଇବା ପାଇଁ ଗୋଟିଏ ଗୋଟିଏ ଅନୁଷ୍ଠାନ ହୋଇ ଛିଡ଼ା ହେବାକୁ ଚେଷ୍ଟା କରନ୍ତୁ।
ସେ ଆହୁରି କହିଥିଲେ ଯେ, ସୁନ୍ଦର ଜିନିଷ ତିଆରି କରିବାର ନାଁ ହେଲା ସଂସ୍କୃତି। ସବୁ ସୁନ୍ଦର ଜିନିଷକୁ ମିଶାଇବା ପରେ ଯାହା ମିଳିଥାଏ ତାହାକୁ ସଭ୍ୟତା କୁହାଯାଏ। ଆଜିକାଲି ସମସ୍ତେ ଯେ କୌଣସି ଉପାୟରେ ସଫଳତା ପାଇବାକୁ ଚେଷ୍ଟା କରୁଛନ୍ତି। ଯେଉଁମାନେ ସଫଳତା ପାଉଛନ୍ତି ସେମାନେ ଆନନ୍ଦିତ ହେଉଛନ୍ତି। ମାତ୍ର ଯେଉଁମାନେ ସଫଳତା ପାଉ ନାହାନ୍ତି ସେମାନେ ଅନ୍ୟର ସଫଳତାରେ ଈର୍ଷା କରୁଛନ୍ତି। ଗୋଡ଼ ଟଣାକୁ ଡରିବା କୌଣସି ଯୋଗ୍ୟ ବ୍ୟକ୍ତିର ଧର୍ମ ନୁହେଁ। ତେବେ ପ୍ରତିବାଦର ସ୍ବର ଯେପରି ନ ଉଠିବ ସେଥିପାଇଁ କ୍ଷମତାରେ ଥିବା ରାଜର୍ଷିମାନେ ଚେଷ୍ଟା କରୁଛନ୍ତି। ହେଲେ କ୍ଷମତାରେ ଥିବା ରାଜର୍ଷିମାନେ ମହର୍ଷି ହେବାକୁ ଚେଷ୍ଟା କରନ୍ତୁ। କ୍ଷମତା ଓ ଅହଂକାରକୁ ପରିହାର କରି ରାଜର୍ଷିମାନେ କୃତଜ୍ଞତା ଓ ଅନ୍ୟର ମଙ୍ଗଳ କଥା ଚିନ୍ତା କରିବା ଉଚିତ୍।
ଶ୍ରୀ ପଟ୍ଟନାୟକ କହିଥିଲେ, ଭାଗ୍ୟ ବୋଲି ମଣିଷର କିଛି ନାହିଁ। ମଣିଷର ପ୍ରଥମ ଭାଗ୍ୟ ହେଲା ତା’ର ପିତାମାତା। ଜଣେ ବ୍ୟକ୍ତିର ବାପାମା’ କିଏ ହେବ ଏହାର ନିଷ୍ପତ୍ତି ଈଶ୍ବର ନେଇଥାନ୍ତି। ସଭ୍ୟତା ଓ ସଂସ୍କତିର କଥା ଶିଖାଇଥିବା ବ୍ୟକ୍ତି ହେଉଛନ୍ତି ଶିକ୍ଷକ। ତେବେ ଭଲ ସହଯୋଗୀ ବିନା ଜଣେ ବ୍ୟକ୍ତି ସଫଳ ହୋଇପାରିବ ନାହିଁ। ଜଣେ ବ୍ୟକ୍ତି ଯେତେ ପ୍ରତିଭାବାନ ହୋଇଥାଉ ନା କାହିଁକି ପ୍ରକୃତ ସହଯୋଗୀ ନ ଥିଲେ ଜଣେ ସଫଳ ହୋଇପାରିବ ନାହିଁ।
ଅନ୍ତର୍ଜାତୀୟ ବିଶ୍ବାମିତ୍ର ପୁରସ୍କାର କାର୍ଯ୍ୟକ୍ରମର ଜୁରି କମିଟି ସଦସ୍ୟ ଷ୍ଟେଫାନିଆ ରୋସିତୋ ଓ ଲୌରା ତାଲାମୌନି କହିଲେ, ଇଟାଲିରେ ବେଦାନ୍ତ ଦର୍ଶନର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରୁଛୁ। ଏହି କାର୍ଯ୍ୟକ୍ରମ ଫଳରେ ସାଂସ୍କୃତିକ ଭାବ ବିନିମୟ ଅଧିକ ସୁଦୃଢ଼ ହୋଇପାରିବ। ପ୍ରାରମ୍ଭରେ ଟ୍ରଷ୍ଟର ଟ୍ରଷ୍ଟି ନଗେନ କୁମାର ବାରିକ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ସଦସ୍ୟ ଉମେଶ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଳେ। ସାରଦା ପ୍ରସାଦ ନାୟକ ମଞ୍ଚ ପରିଚାଳନା କରିଥିଲେ।
ଉଲ୍ଲେଖ ଯେ, ଗତମାସ ୩୦ତାରିଖରେ ଇଟାଲିର ସିରାକୁଶା ସହରରେ ଅନ୍ତର୍ଜାତୀୟ ବିଶ୍ବାମିତ୍ର ପୁରସ୍କାର ୨୦୧୯ ପ୍ରଦାନ କରାଯାଇଥିଲା। ଅନ୍ତର୍ଜାତୀୟ ସ୍ତରରେ କୃତିତ୍ବ ହାସଲ କରିଥିବା ବ୍ୟକ୍ତିମାନଙ୍କୁ ଏକ ଜୁରି କମିଟି ଜରିଆରେ ମନୋନୀତ କରାଯାଇଥିଲା। ଲୋକସ୍ବରର ସଶକ୍ତି କରଣ, ଭେଷଜ ବିଜ୍ଞାନ, ବୈକଳ୍ପିକ ଔଷଧ, କର୍ପୋରେଟ ଏଚ୍ଆର, ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ କମ୍ପାନି, ଆଇନ, ଆଦେଶର ସାମର୍ଥ୍ୟ, ଆର୍କିଟେକଚର, ଇଞ୍ଜିନିୟରିଂ, କୃଷି, ଯୋଗ ଓ ସଂସ୍କୃତି, କଳା ଓ ମାତୃତ୍ବ ପାଇଁ ଏହାକୁ ପ୍ରଦାନ କରାଯାଇଥିଲା। ଲୋକସ୍ବରର ସଶକ୍ତିକରଣ ପାଇଁ ‘ସମ୍ବାଦ’ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା।