ଭୁବନେଶ୍ବର: ସମ୍ବାଦ ଗ୍ରୁପ୍‌ ପକ୍ଷରୁ ଆରମ୍ଭ ହୋଇଥିବା ତିନି ଦିନିଆ ପୁନଶ୍ଚ ପୃଥିବୀ ସମ୍ମିଳନୀର ଆଜି ପ୍ରଥମ ଦିନ। ଏହି ଅବସରରେ ନିଜର ଅଭିଭାଷଣ ଦେଇ ପରିବେଶ ସୁରକ୍ଷା ଦିଗରେ ନିଜର ଚିନ୍ତା ବ୍ୟକ୍ତ କରିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ।

Advertisment

ସେ କହିଛନ୍ତି, ‘‘ତନୟା ପଟ୍ଟନାୟକ ଯେତେବେଳେ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମର କରିବାର ଯୋଜନା କଲେ, ସେତେବେଳେ ମୁଁ ଏହାକୁ ଆକୁଣ୍ଠ ସମର୍ଥନ ଦେଇଥିଲି।କାରଣ ଏହା ପରିବେଶ ସୁରକ୍ଷା ଉପରେ ଆଧାରିତ। ସମ୍ବାଦ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି। ସେଥିମଧ୍ୟରୁ ‘ପୁନଶ୍ଚ ପୃଥିବୀ’ ଏକ ସଦ୍ୟତମ ଅଭିଯାନ।

ଆଜିର ଏକମାତ୍ର ପ୍ରସଂଗ ହେଉଛି ପରିବେଶ। ଯାହାକୁ ନେଇ କୌଣସି ବିବାଦ ନାହିଁ। ଏହା ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ପରିବେଶର ପରିଭାଷାକୁ ନେଇ ଆମେ ବିଶେଷ ଚିନ୍ତା ନକରି ଏହାର ବିକାଶ ଦିଗରେ ଅଧିକ ସକ୍ରିୟ ହେବା ଆବଶ୍ୟକ। ଓଡ଼ିଶା ଏକ ପଛୁଆ ରାଜ୍ୟ। ଏହି ରାଜ୍ୟ ବିକାଶ ଦିଗରେ ଅଗ୍ରମତି କରିପାରିବ। କିନ୍ତୁ ଏଥିପାଇଁ କିଛି ବିନାଶ ମଧ୍ୟ କରିବାକୁ ପଡ଼ିବ। ବିନା ବିନାଶରେ ବିକାଶ ସମ୍ଭବ ନୁହେଁ। ଏଣୁ ଅଳ୍ପ ବିନାଶରେ ଅଧିକ ବିକାଶ କିପରି କରାଯାଇପାରିବ ସେନେଇ ମାନସ ଚିନ୍ତନ କରିବାର ଆବଶ୍ୟକତା ରହିଛି। ଏହି ୩ ଦିନଆ ସମ୍ମିଳନୀରେ ସେନେଇ ଆଲୋଚନା ହେବ ବୋଲି ମୁଁ ଆଶା କରୁଛି।’’

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ ‘‘ମାନେକା ଗାନ୍ଧୀଙ୍କ ପରାମର୍ଶକ୍ରମେ ଆମେ ନିଜର ଆହାର ଓ ବିଚାରରେ କିଭଳି ପରିବର୍ତ୍ତନ ଆଣିପାରିବା ସେନେଇ ସମେସ୍ତ ଚିନ୍ତା କରନ୍ତୁ।’’

Untitled

ଉଲ୍ଳେଖ‌ଯୋଗ୍ୟ,  ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ସମ୍ମିଳନୀର ପ୍ରଥମ ଦିନର ପ୍ରଥମ ଅଧିବେଶନରେ ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ପରିବେଶବିତ୍ ଏବଂ ପ୍ରାଣୀ କଲ୍ୟାଣ ଅଧିକାର କର୍ମୀ  ମାନେକା ଗାନ୍ଧୀ ଯୋଗ ଦେଇଛନ୍ତି। ସେହିପରି ତାଙ୍କ ସହିତ ଭାରତର ବନ ପୁରୁଷ, ପରିବେଶବିତ୍ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଯାଦବ ପାୟେଙ୍ଗ, ସମ୍ବାଦ ଏବଂ କନକ ନ୍ୟୁଜର ସମ୍ପାଦକ ତନୟା ପଟ୍ଟନାୟକ ଯୋଗ ଦେଇଛନ୍ତି।