ବେସରକାରୀ ସ୍କୁଲରେ ମନ ଇଚ୍ଛା ଫି ଆଦାୟ ପ୍ରସଙ୍ଗ ବିଧାନସଭାରେ ଉଠାଇଲେ ସୌମ୍ୟରଂଜନ: ସରକାର ଦୃଷ୍ଟି ଦେବାକୁ ଦାବି କଲେ

ଭୁବନେଶ୍ବର: ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ଫି ଆଦାୟ ଉପରେ କୌଣସି ଅଙ୍କୁଶ ନାହିଁ । ବେସରକାରୀ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବା ଅଭିଭାବକଙ୍କୁ  ଖୁବ୍ ବାଧୁଛି । ମଙ୍ଗଳବାର ଏହି ପ୍ରସଙ୍ଗ ଗୃହରେ ଉଠାଇଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଶୂନ୍ୟକାଳରେ ରାଜ୍ୟର ଘରୋଇ ସ୍କୁଲର ଫି ପ୍ରସଙ୍ଗ ଉତଥାପନ କରି ସେ କହିଛନ୍ତି, ବେସରକାରୀ ସ୍କୁଲରେ ମନଇଛା ଫି ନିର୍ଦ୍ଧାରଣ କରାଯାଉଛି । ରାଜ୍ୟରେ ଥିବା ସରକାରୀ ସ୍କୁଲଗୁଡ଼ିକ ଉପରେ ଅଭିଭାବକଙ୍କ ଆସ୍ଥା ନାହିଁ । ବାଧ୍ୟ ହୋଇ ଇଂରାଜୀ ମାଧ୍ୟମରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ଉତ୍ତମ ଶିକ୍ଷା ଦେବା ଆଳରେ ଅଭିଭାବକମାନେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକର ମନମାନି ସହୁଛନ୍ତି । ସବୁ ସ୍କୁଲରେ ଏକ ରେଗୁଲେଟାରୀ କମିଟି ରହିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ସ୍କୁଲଗୁଡ଼ିକ ଏହି ନିୟମ ମାନିବା ପାଇଁ ବାଧ୍ୟ । ହେଲେ ଦୁର୍ଭାଗ୍ୟବଶତଃ ନିୟମ  ମାନୁ ନାହାନ୍ତି କୌଣସି ବେସରକାରୀ ଶିକ୍ଷାନୁଷ୍ଠାନ । ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ଫି ନିର୍ଦ୍ଧାରଣ ଉପରେ ସରକାର ଦୃଷ୍ଟି ଦେବା ଉଚିତ ବୋଲି ଗୃହରେ ଦାବି କରିଛନ୍ତି ସୌମ୍ୟରଞ୍ଜନ ।

ଅନ୍ୟପଟେ ରାଜ୍ୟରେ ସମସ୍ତେ ଇଂରାଜୀ ଭାଷା ପ୍ରେମରେ ପଡ଼ିଛନ୍ତି । ଆମ ଭାଷା ଓଡ଼ିଆ ଭାଷା, ବର୍ତ୍ତମାନ ଦୟନୀୟ ସ୍ଥିତିରେ । ଇଂରାଜୀ ମିଡିୟମ ସ୍କୁଲ ଗୁଡିକରେ ଓଡ଼ିଆ ପଢାଯାଉନାହିଁ । ମାତୃଭାଷା ପ୍ରତି ନା ପିଲାଙ୍କର ନା ଅଭିଭାବକଙ୍କ ମମତା ଅଛି । ପିଲାମାନେ ନିଜ ଭାଷା ସାହିତ୍ୟ ଠାରୁ ଦୂରେଇ ଯିବା ଉଚିତ ନୁହେଁ । ଇଂରାଜୀ ଭାଷା ପ୍ରୀତିରେ ପିଲାମାନେ ମାତୃଭାଷାଠାରୁ ମୁହଁ ଫେରାଉଛନ୍ତି । ଦିନକୁ ଦିନ ଏପରି ହେଲେ ଦିନ ଆସିବ ଓଡ଼ିଆ ଭାଷାର ଅସ୍ତିତ୍ବ ରହିବ ନାହିଁ । ସରକାର ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ।

File Picture

ଅନ୍ୟପଟେ ଚାକିରିରେ ସର୍ବନିମ୍ନ ବୟସ ସୀମା ବୃଦ୍ଧି ପ୍ରସଙ୍ଗକୁ ମଧ୍ୟ ଗୃହରେ ଉଠାଇଛନ୍ତି ବିଧାୟକ ସୌମ୍ୟରଞ୍ଜନ । ସରକାରୀ ଚାକିରିରେ ସର୍ବନିମ୍ନ ବୟସ ସୀମା ବଢ଼ାଇବାକୁ  ସେ ଦାବି  କରିଛନ୍ତି । ରାଜ୍ୟରେ କର୍ମ ନିଯୁକ୍ତି ବଢ଼ିବା ଆବଶ୍ୟକ । ବର୍ତ୍ତମାନ ସମୟରେ ରାଜ୍ୟରେ କାମ କରୁଥିବା ନିଯୁକ୍ତି ସଂସ୍ଥାଗୁଡ଼ିକ ଠିକରେ କାମ କରୁନାହାନ୍ତି । ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ହେଉଛି । ଏଥିଯୋଗୁଁ ଯୋଗ୍ୟ ପ୍ରାର୍ଥୀଙ୍କ ବୟସ ଗଡ଼ୁଛି। ଆଉ ସେଥିପାଇଁ ପଦବୀ ପୂରଣ ସମୟରେ ଯୋଗ୍ୟ ପ୍ରାର୍ଥୀମାନେ ଚାକିରି ପାଇବାରୁ ବଞ୍ଚିତ ହେଉଛନ୍ତି । ଦୀର୍ଘ ୮-୧୦ ବର୍ଷ ହେବ ରାଜ୍ୟରେ ବିଭିନ୍ନ ପଦବୀ ଖାଲି ପଡ଼ୁଛି । ଅନ୍ୟ ରାଜ୍ୟଗୁଡ଼ିକ ଚାକିରି ବୟସ ସୀମା ୪୦-୪୫ ବର୍ଷକୁ ବଢ଼ାଇ ସାରିଲେଣି । ଓଡ଼ିଶାରେ ବି ଏହି ନିୟମ ଲାଗୁ ହେବା ଉଚିତ । ଅନ୍ୟପଟେ ଅବସର ପରେ ମଧ୍ୟ ସରକାରୀ ଚାକିରିଆ ଚାକିରି ପାଉଛନ୍ତି ଓ ଯୋଗ୍ୟ ଯୁବକଯୁବତୀ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି । ଏସବୁ ଦିଗ ପ୍ରତି ସରକାର ତୁରନ୍ତ ଦୃଷ୍ଟି  ଦିଅନ୍ତୁ ବୋଲି ଦାବି କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।

ସମ୍ବନ୍ଧିତ ଖବର