ଯୁକ୍ତ ଦୁଇ ପରୀକ୍ଷା ଫଳ: ପ୍ରାଣନାଥ ମହାବିଦ୍ୟାଳୟର ବାଣିଜ୍ୟରେ ମୋନାଲିସା, ବିଜ୍ଞାନରେ ସୌମ୍ୟରଂଜନ ଟପ୍ପର

ଖୋର୍ଦ୍ଧା: ଆଜି ସିଏଚ୍ଏସ୍ଇର ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଖୋର୍ଦ୍ଧା ଉପଖଣ୍ଡର ପୁରାତନ ଓ ବୃହତ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ସୌମ୍ୟ ରଂଜନ ସାହୁ ସର୍ବାଧିକ ୫୪୦ ନମ୍ବର ଓ ମୋନାଲିସା ବିଶ୍ୱାଳ ସର୍ବାଧିକ ୫୧୯ ନମ୍ବର ରଖିଛନ୍ତି ।

ପ୍ରାଣନାଥ ମହାବିଦ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଚଳିତ ଯୁକ୍ତ ଦୁଇ ବିଜ୍ଞାନରେ ୫୬୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ସେମାନଙ୍କ ମଧ୍ୟରୁ ୫୨୭ ଜଣ ଅର୍ଥାତ୍ ୯୩ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି । ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୩୫୦ଜଣ ପ୍ରଥମ ଶ୍ରେଣୀ, ୧୪୮ଜଣ ଦ୍ୱିତୀୟ ଶ୍ରେଣୀ ଓ ୨୯ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ସେହିଭଳି, ବାଣିଜ୍ୟରେ ପରୀକ୍ଷା ଦେଇଥିବା ୩୧୯ ଜଣଙ୍କ ମଧ୍ୟରୁ ୩୦୮ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଉତ୍ତୀର୍ଣ୍ଣ ହାର ୯୬.୫୬ ପ୍ରତିଶତ ରହିଛି । ବିଜ୍ଞାନରେ, ମହାବିଦ୍ୟାଳୟର ସୌମ୍ୟ ରଂଜନ ସାହୁ ମୋଟ ୬ଶହରୁ ୫୪୦ ନମ୍ବର ରଖିଥିବା ବେଳେ ମୋନାଲିସା ମହାରଣା ୫୩୧, ଓମ୍ ପ୍ରକାଶ ସାହୁ ୫୨୭, ଅମର କୁମାର ପ୍ରଧାନ ୫୨୧, ସ୍ମୃତି ରଂଜନ ପଟ୍ଟନାୟକ ୫୨୦, ମେହେତାବ ଆଲାମ୍ ୫୨୦ ରଖି ପ୍ରଥମ ୫ ଜଣରେ ସ୍ଥାନ ପାଇଛନ୍ତି । ବାଣିଜ୍ୟରେ, ମୋନାଲିସା ବିଶ୍ୱାଳ ୫୧୯, ବିଶ୍ୱଜିତ ସାହୁ ୫୦୯, ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ ୫୦୬, ଆକୃତି ମିଶ୍ର ୫୦୨, ସଂଧ୍ୟା ପ୍ରଧାନ ୫୦୨ ନମ୍ବର ରଖି ପ୍ରଥମ ୫ଜଣରେ ସ୍ଥାନ ପାଇଛନ୍ତି ।

ସେହିଭଳି ହଳଦିଆ ମହାବିଦ୍ୟାଳୟରେ ବାଣିଜ୍ୟରେ ଚଳିତ ବର୍ଷ ପରୀକ୍ଷା ଫଳ ଶତପ୍ରତିଶତ ରହିଛି । ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସୂଚନାନୁସାରେ, ବିଜ୍ଞାନରେ ପରୀକ୍ଷା ଦେଇଥିବା ୧୦ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେଥିମଧ୍ୟରୁ ପ୍ରଥମ ସ୍ଥାନରେ ୩, ଦ୍ୱିତୀୟ ସ୍ଥାନରେ ୨ ଓ ୫ଜଣ ତୃତୀୟ ସ୍ଥାନ ପାଇଛନ୍ତି । ରାକେଶ କୁମାର ସାହୁ ସର୍ବାଧିକ ୪୭୪ ନମ୍ବର ରଖି ମହାବିଦ୍ୟାଳୟରେ ଟପ୍ର ହୋଇଛନ୍ତି । ବାଣିଜ୍ୟରେ ୧୦ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସମସ୍ତେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରଥମ ସ୍ଥାନରେ ୨, ଦ୍ୱିତୀୟ ସ୍ଥାନରେ ଜଣେ ଓ ତୃତୀୟ ସ୍ଥାନରେ ୭ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସରସ୍ୱତୀ ବେହେରା ସର୍ବୋଚ୍ତ ୪୪୮ ନମ୍ବର ରଖିଛନ୍ତି । ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟରେ ଚଳିତ ବର୍ଷ ବାଣିଜ୍ୟ ବିଭାଗରେ ୪ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ଦ୍ୱିତୀୟ ସ୍ଥାନ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।

ସମ୍ବନ୍ଧିତ ଖବର