ବାଜପେୟୀଙ୍କ ଆରୋଗ୍ୟ କାମନା କଲେ ସୌମ୍ୟ; କହିଲେ,‘ତାଙ୍କ ଭଳି ସବୁ ଦଳ ଲାଗି ଗ୍ରହଣୀୟ ନେତା ଆଜିର ରାଜନୀତିରେ ବିରଳ’

ଭୁବନେଶ୍ୱର:  ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ। ସେ କହିଛନ୍ତି ଅଟଳ ବିହାରୀ ବାଜପେୟୀଙ୍କ ଆରୋଗ୍ୟ ଲାଗି ମୁଁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଗତ ଜୁନ୍‌ ୧୧ରୁ ଅସୁସ୍ଥତା ହେତୁ ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗତକାଲି ଗୁରୁତର ହୋଇପଡ଼ିଥିଲା। ବର୍ତ୍ତମାନ ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖି ଚିକିତ୍ସା କରାଯାଉଛି।
ଶ୍ରୀ ବାଜପାୟୀଙ୍କ ସଂପର୍କରେ ମତ ରଖି ସୌମ୍ୟରଂଜନ କହିଛନ୍ତି,  ‘ତାଙ୍କ ଭଳି ସବୁ ଦଳ ଲାଗି ଗ୍ରହଣୀୟ ନେତା ଆଜିର ରାଜନୀତିରେ ବିରଳ। ସେ ଥିଲେ ଅତ୍ୟନ୍ତ ସ୍ପଷ୍ଟବାଦୀ। ମୂଲ୍ୟବୋଧ ଆଧାରରେ ସେ ନିଜ ଦଳ ବିରୋଧରେ ମଧ୍ୟ କଟୁ ମନ୍ତବ୍ୟ ଦେବାକୁ ପଛାଉ ନଥିଲେ। ୨୦୦୨ ମସିହାରେ ଗୁଜୁରାଟ ଦଙ୍ଗା ସମୟରେ ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ କି ମୋଦି ରାଜଧର୍ମ ପାଳନ କରିନାହାନ୍ତି। ମୁଁ ମଧ୍ୟ ତାଙ୍କ ସହ କିଛି ଦିନ କାମ କରିଛି। ବାଜପେୟୀଙ୍କ ଥିଲେ ବାଗ୍ମୀ। ତାଙ୍କ ବକ୍ତବ୍ୟକୁ ସମସ୍ତେ ଅପେକ୍ଷା କରି ରହୁଥିଲେ। ସେ ଶେଷ ବକ୍ତବ୍ୟ ହିଁ ରଖୁଥିଲେ। ତାଙ୍କ ପରେ ବକ୍ତବ୍ୟ ପରେ ଆଉ କେହି କହିବାର ସାହସ କରିପାରୁନଥିଲେ। ମୁଁ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛି ତାଙ୍କୁ ସୁସ୍ଥ କରନ୍ତୁ, ବାଜପେୟୀଜୀ ଆମ ଗହଣରେ  କିଛିଦିନ ବିତାନ୍ତୁ।’
ସମ୍ବନ୍ଧିତ ଖବର