ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଅଣ୍ଟା ଭିଡ଼ିଲେ, ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗରେ ସୌମ୍ୟରଂଜନଙ୍କ ପିଟିସନ୍

ରାଜ୍ୟ ସରକାରଙ୍କ ବିଦ୍ୟୁତ ସଂସ୍କାର ସ୍ବପ୍ନକୁ କିଏ ଧୂଳିସାତ୍ କରୁଛି?
୨୪ ଘଣ୍ଟିଆ ଗୁଣାତ୍ମକ ବିଦ୍ୟୁତ ସୁଲଭ ମୂଲ୍ୟରେ ଯୋଗାଣ ପାଇଁ ଦାବି
ବିଦ୍ୟୁତ ଶୁଣାଣି ପ୍ରକ୍ରିୟାରୁ ଗ୍ରିଡକୋକୁ ବାଦ୍ ଦେବାକୁ ପ୍ରାର୍ଥନା

ଭୁବନେଶ୍ୱର : ବିଦ୍ୟୁତ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ପାଖାପାଖି ୨୦ ହଜାର କୋଟି ଟଙ୍କା। ବିଦ୍ୟୁତ ସଂସ୍କାର ମୂଳ ଉଦ୍ଦେଶ୍ୟକୁ ପୂରଣ ଲାଗି ସରକାରଙ୍କର ଏଭଳି କାର୍ଯ୍ୟକ୍ରମ ଜାରି ରହିଛି। ଅଥଚ ଉପଭୋକ୍ତାମାନେ ନା ଗୁଣାତ୍ମକ ବିଜୁଳି ପାଉଛନ୍ତି ନା ସୁଲଭ ମୂଲ୍ୟରେ ସେମାନଙ୍କୁ ବିଦ୍ୟୁତ ଯୋଗାଣ ହୋଇପାରୁଛି।

ଏଭଳି ଏକ ବଡ଼ ପ୍ରସଙ୍ଗକୁ ନେଇ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ଦ୍ବାରସ୍ଥ ହୋଇଛନ୍ତି। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଗଠନ ହେବା ଦିନଠାରୁ ଏଯାଏ ଗତ ୨୫ବର୍ଷ ଭିତରେ କୌଣସି ବିଧାୟକ ସିଧାସଳଖ ବା ପ୍ରତ୍ୟକ୍ଷ ଭାବେ ଉପଭୋକ୍ତା, ରାଜ୍ୟ ସରକାର ଏବଂ ଅନ୍ୟ ସମସ୍ତ ଅଂଶୀଦାରଙ୍କ ସ୍ବାର୍ଥ ପାଇଁ ଆୟୋଗଙ୍କ ଦ୍ବାରସ୍ଥ ହୋଇନଥିଲେ। ଏଭଳି ପଦକ୍ଷେପ ଗ୍ରହଣ କରିବାରେ ଶ୍ରୀ ପଟ୍ଟନାୟକ ହେଉଛନ୍ତି ପ୍ରଥମ ବିଧାୟକ।

ଉଲ୍ଲେଖଥାଉକି, ନିୟାମକ ପ୍ରକ୍ରିୟାରେ ବିଦ୍ୟୁତ ଦର ନିର୍ଧାରଣ ଲାଗି ପ୍ରତି ବର୍ଷ ବଣ୍ଟନ କଂପାନି, ଓପିଟିସିଏଲ୍, ଗ୍ରିଡ୍‌କୋ, ଓଡ଼ିଶା ଜଳ ବିଦ୍ୟୁତ ନିଗମ ଏବଂ ଓଡ଼ିଶା ତାପଜ ବିଦ୍ୟୁତ ନିଗମ ପ୍ରମୁଖ ଆୟୋଗଙ୍କ ନିକଟରେ ଦରଖାସ୍ତ କରିଥାନ୍ତି। ଏହି କ୍ରମରେ ଆୟୋଗ ଗତ ମାସ ୧୭ ତାରିଖରେ ଜନଶୁଣାଣି ମାଧ୍ୟମରେ ଏସବୁ ଦରଖାସ୍ତକୁ ବିଚାର କରିବା ସହିତ ବିଦ୍ୟୁତ ଦର ନିର୍ଧାରଣ ଲାଗି ନୋଟିସ ଜାରି କରିଛନ୍ତି। ଏଥର ଅନ୍ୟସବୁ ଅଂଶୀଦାର ଏବଂ ସାମାଜିକ ସେବୀ ପ୍ରମୁଖଙ୍କ ସହିତ ଶ୍ରୀ ପଟ୍ଟନାୟକ ମଧ୍ୟ ଆୟୋଗଙ୍କ ନିକଟରେ ଦରଖାସ୍ତ କରିଛନ୍ତି।

ସବୁଠାରୁ ବଡ଼ କଥା ହେଲା ଯେ ଆୟୋଗଙ୍କୁ ଦେଇଥିବା ଦରଖାସ୍ତରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟର କୋଣ ଅନୁକୋଣରେ ଥିବା ସମସ୍ତ ଉପଭୋକ୍ତାଙ୍କୁ ୨୪ ଘଣ୍ଟିଆ ଗୁଣାତ୍ମକ ଏବଂ ସୁଲଭ ମୂଲ୍ୟରେ ବିଦ୍ୟୁତ ଯୋଗାଣ ପାଇଁ ରାଜ୍ୟ ସରକାର ସଂସ୍କାର କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ଏହାର ଅନ୍ୟତମ ଉଦ୍ଦେଶ୍ୟ ଥିଲା; ଏହି ସଂସ୍କାର ମାଧ୍ୟମରେ ସରକାର ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶକୁ ତ୍ବରାନ୍ବିତ କରିବେ। ହେଲେ ଏତେ ବର୍ଷପରେ ବି ଏହା ସାଧିତ ହୋଇପାରିନାହିଁ।

extremetech.com

ଶ୍ରୀ ପଟ୍ଟନାୟକ ଉଦବେଗ ପ୍ରକାଶ କରି କହିଛନ୍ତି, ରାଜ୍ୟ ସରକାର ଇତିମଧ୍ୟରେ ପ୍ରାୟ ୨୦ ହଜାର କୋଟି ଟଙ୍କା ଅନୁଦାନ ଦେଇ ଭିତ୍ତିଭୂମି ବିକାଶ ପାଇଁ ରାସ୍ତା ଖୋଲିଛନ୍ତି। ଅଥଚ ଏହି ସଂପତ୍ତି କଂପାନିର ବାଲାନ୍ସ ସିଟ୍‌ରେ ପ୍ରତିଫଳିତ ହେଉନାହିଁ। କେବଳ ସେତିକି ନୁହେଁ, ଆହୁରି ଗର୍ହିତ କଥା ହେଲା; ଏସବୁ ସଂପତ୍ତି ଦର୍ଶାଯାଇନଥିବା ବାଲାନ୍ସ ସିଟକୁ ଆଧାର କରି ଚାରିଟି ବଣ୍ଟନ କଂପାନିକୁ ଟାଟା ପାଵାରକୁ ଟେକି ଦିଆଯାଇଛି। ଏବେ ପ୍ରଶ୍ନ ଉଠୁଛି, ଯେତେବେଳେ ଏସବୁ ସଂପତ୍ତି ବାଲାନ୍ସ ସିଟରେ ରେକର୍ଡ ହେଲା ନାହିଁ, ତେବେ ଏହାର ମରାମତି ଓ ରକ୍ଷଣାବେକ୍ଷଣ କିଏ, କିଭଳି ଏବଂ କେଉଁ ଅର୍ଥରେ କରିବେ? ଦ୍ବିତୀୟତଃ, ନୂଆ ପୁଞ୍ଜି ବିନିଯୋଗ ପାଇଁ ରାଜ୍ୟ ସରକାର ଯେବେ ପ୍ରସ୍ତୁତି କରିବେ, ସେବେ ବଣ୍ଟନ କଂପାନିମାନେ ଏସଂକ୍ରାନ୍ତରେ କିଭଳି ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ତିଆରି କରିବେ?

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ ବିଦ୍ୟୁତ ଆଇନରେ କୌଣସି ବିଧି ବ୍ୟବସ୍ଥା ନଥିବା ସତ୍ତ୍ବେ ଗ୍ରିଡକୋ ପ୍ରତିବର୍ଷ ଆୟୋଗଙ୍କ ନିକଟରେ ନିଜର ବାର୍ଷିକ ଆବଶ୍ୟକତା ଏବଂ ବାର୍ଷିକ ରାଜସ୍ବ ଆବଶ୍ୟକତା ଦାବି କରି ପାଇକାରୀ ବିଦ୍ୟୁତ ଦର ନିର୍ଧାରଣ ପାଇଁ ଆବେଦନ କରିଆସୁଛି। ହେଲେ ଏହା କିଭଳି ଓ କେଉଁ ପରିସ୍ଥିତିରେ ତଥା କେଉଁ ଆଇନ ବଳରେ ଆୟୋଗ ଗ୍ରହଣ କରୁଛନ୍ତି ଏବଂ ବିଦ୍ୟୁତ ଦର ନିର୍ଧାରଣ କରୁଛନ୍ତି ତାହା ବିସ୍ମିତ କରିବା ଭଳି ଗୋଟିଏ ପ୍ରସଙ୍ଗ।

ଏହି ଦରଖାସ୍ତରେ ନିଜସ୍ବ ତାପଜ ବିଦ୍ୟୁତ କେନ୍ଦ୍ରମାନଙ୍କର ଅପ୍ରତ୍ୟାଶିତ ବିଦ୍ୟୁତକୁ ରେକର୍ଡ କରାନଯିବା, କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ ତଥ୍ୟ ସହିତ ଆୟୋଗଙ୍କ ଟାରିଫ୍ ତଥ୍ୟ ମେଳ ନ ଖାଇବା, ସର୍ବୋପରି ବଣ୍ଟନ କଂପାନିଙ୍କ କ୍ରୟ ଓ ବିକ୍ରୟ ଏବଂ ସରବରାହ କଂପାନିର ବିଦ୍ୟୁତ ଦର ନିରୂପଣ କରିବା ପାଇଁ ପୁରୁଣା ସୂତ୍ର ବା ଫର୍ମୁଲା ପ୍ରୟୋଗ କରିବା ପ୍ରସଙ୍ଗରେ ଶ୍ରୀ ପଟ୍ଟନାୟକ ଆପତ୍ତି ଉଠାଇଛନ୍ତି। କେବଳ ସେତିକି ନୁହେଁ, ଏସଏଲଡିସିକୁ ଓ଼ ଓ଼ପିଟିସିଏଲଠାରୁ ଅଲଗା ନ କରିବା, ମୂଲ୍ୟଯୁକ୍ତ ବିଦ୍ୟୁତ ଦର ନିର୍ଣ୍ଣୟ ପ୍ରଣାଳୀ, ବିଦ୍ୟୁତ ଦର ନିର୍ଧାରଣରେ ସାଧାରଣ କ୍ଷତିକୁ ଅନୁମୋଦନ ଭଳି ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଗ୍ରହଣ କରାଯିବା, ବହୁବର୍ଷୀୟ ଟାରିଫ୍ ବ୍ୟବସ୍ଥାକୁ ବାଦ୍ ଦିଆଯିବା, ଓପିଜିସିର ଫେଜ-୨ ପ୍ରକଳ୍ପ (୬୬୦x୨ େମଗାଵଟ୍) ଦୁଇବର୍ଷ ବିଳମ୍ବ ହେବା, ଓଡ଼ିଶା ଜଳବିଦ୍ୟୁତ ନିଗମକୁ ସ୍ଥାଣୁ ପ୍ରାଣ ରଖାଯିବା ପ୍ରସଙ୍ଗ ସଂପର୍କରେ ମଧ୍ୟ ଶ୍ରୀ ପଟ୍ଟନାୟକ ଏହି ଦରଖାସ୍ତରେ ଆପତ୍ତି ଉଠାଇଛନ୍ତି।

ଏହାବ୍ୟତୀତ ସୌମ୍ୟରଂଜନ ପ୍ରଶ୍ନ କରିଛନ୍ତି ଯେ କେଉଁ ପରିସ୍ଥିତିରେ ବିଦ୍ୟୁତ ଦର ଯୁକ୍ତିଯୁକ୍ତ ଓ ବାସ୍ତବବାଦୀ ଓ ପ୍ରତିଯୋଗିତା କ୍ଷମ ହୋଇପାରିନାହିଁ, ତାହା ଆୟୋଗ ସ୍ପଷ୍ଟ କରିବା ଦରକାର।

New Indian Express

ବିଦ୍ୟୁତ ଦର ନିର୍ଧାରଣ ପ୍ରକ୍ରିୟାରେ ଗ୍ରିଡକୋର ଦରଖାସ୍ତକୁ ବାଜ୍ୟାପ୍ତି କରିବା ସହିତ କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ ତଥ୍ୟକୁ ଆୟୋଗ ବିଚାରକୁ ନେବା ଲାଗି ମଧ୍ୟ ଶ୍ରୀ ପଟ୍ଟନାୟକ ଏହି ଦରଖାସ୍ତରେ ପ୍ରାର୍ଥନା କରିଛନ୍ତି। ସେହିଭଳି ଆର୍ଥିକ ବର୍ଷ ୨୦୧୯-୨୦ ଓ ୨୦୨୦-୨୧ ପାଇଁ ବିଦ୍ୟୁତ୍ କ୍ରୟ ପରିମାଣ ଯଥାକ୍ରମେ ୩୨୪୮ ଓ ୩୫୫୪ ମିଲିୟନ ୟୁନିଟ ରହିଥିଲା। ବାସ୍ତବ ବ୍ୟବହାର ଠାରୁ ଆୟୋଗ ଅଧିକ ମଞ୍ଜୁର କରିଥିବା କାରଣରୁ ଉପଭୋକ୍ତାମାନଙ୍କ ଉପରେ ପ୍ରାୟ ୧୩୦୦ କୋଟି ଟଙ୍କାର ବିଦ୍ୟୁତ୍ ଦର ବୋଝ ଲଦି ଦିଆଯାଇଛି। ତେଣୁ ବାସ୍ତବତାକୁ ବିଚାର କରି ଆସନ୍ତା ବର୍ଷ ପାଇଁ ୨୫୦୦୦ ମିଲିୟନ ୟୁନିଟ ମଞ୍ଜୁର କରିବା ପାଇଁ ସେ ନିବେଦନ କରିଛନ୍ତି।

ଆସନ୍ତା ଫେବ୍ରୁଆରି ପ୍ରଥମ ସପ୍ତାହରୁ ବିଦ୍ୟୁତ ଦର ନିର୍ଧାରଣ ସଂକ୍ରାନ୍ତ ଜନଶୁଣାଣି ଆରମ୍ଭ ହେବ। ଇତିମଧ୍ୟରେ ଆୟୋଗର ଅଧ୍ୟକ୍ଷ ଉପେନ୍ଦ୍ର ବେହେରା ଅବସର ନେଇଥିବା ପରିପ୍ରେକ୍ଷୀରେ ଅନ୍ୟତମ ବରିଷ୍ଠ ସଦସ୍ୟ ଗଜେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଦୁଇଜଣିଆ ବେଞ୍ଚରେ ଶୁଣାଣି ହେବ।

ସମ୍ବନ୍ଧିତ ଖବର